fbpx

ଆଜି ନବୀନ-ମମତା ଭେଟ: ସମସ୍ତଙ୍କ ନଜର ଓଡ଼ିଶା ଉପରେ, BJD ସୁପ୍ରିମୋଙ୍କ ନିଷ୍ପତ୍ତି ବଦଳାଇପାରେ ରାଜନୀତିର ମୋଡ଼

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଥିବା ବେଳେ ଏହି ଅବସରରେ କେନ୍ଦ୍ରୀୟ ଦଳ ଆଞ୍ଚଳିକ ଦଳଗୁଡ଼ିକୁ ବେଶି ଗୁରୁତ୍ୱ ପ୍ରଦାନ କରୁଛନ୍ତି । କାରଣ ଅଧିକାଂଶ ରାଜ୍ୟରେ ଏବେ ଆଞ୍ଚଳିକ ଦଳମାନଙ୍କର ଦବଦବା ଦେଖିବାକୁ ମିଳୁଛି । ତେବେ ଏହା ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ମମତା ବାନାର୍ଜୀ ଓଡ଼ିଶା ଗସ୍ତରେ ଆସିଛନ୍ତି ।

ଆଜି ମମତା ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଅପରାହ୍ଣରେ ସାକ୍ଷାତ କରିବେ । ତେଣୁ ଦିଦି-ନବୀନଙ୍କ ଏହି ସାକ୍ଷାତକୁ ନେଇ ଜାତୀୟ ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚା ହେଉଛି । ପୂର୍ବରୁ ବିଜେଡି ବିଜେପି ସହ ମେଣ୍ଟ ସରକାରରେ ରହିଥିବା ବେଳେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ନିର୍ବାଚନ ପରି ବହୁ ଗୁରୁତ୍ୱପୂର୍ଣ୍ଣ ସମୟରେ ବିଜେଡି ଗେରୁଆ ଦଳକୁ ସମର୍ଥନ କରିଥିବା ଦେଖାଯାଇଛି । ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ଏକ ଶକ୍ତିଶାଳୀ ବିରୋଧୀ ମହାମେଣ୍ଟ ଗଠନ ନେଇ ପ୍ରୟାସ ଆରମ୍ଭ ହୋଇଥିଲେ ହେଁ ତାହା ସଫଳ ହୋଇପାରୁନାହିଁ ।

ସର୍ବପୂରାତନ ଦଳ କଂଗ୍ରେସ, ଆମ ଆଦମୀ ପାର୍ଟି (ଆପ) ଓ ଟିଏମସି ନିଜ ନିଜ ଷ୍ଟାଇଲରେ ଆଗକୁ ବଢ଼ିବାକୁ ଉଦ୍ୟତ ହେଉଛନ୍ତି । ଏପରି ସ୍ଥଳେ ବିରୋଧୀ ଶିବିର ଦୁର୍ବଳ ହୋଇପଡ଼ୁଥିବାରୁ ଫାଇଦା ଯାଉଛି ଭାଜପା ଖାତାକୁ । ନରେନ୍ଦ୍ର ମୋଦୀଙ୍କୁ ଟକ୍କର ଦେବାକୁ ରାହୁଲ ଗାନ୍ଧି, ଅରବିନ୍ଦ କ୍ରେଜିୱାଲ ଓ ମମତାଙ୍କ ମଧ୍ୟରେ ଏକପ୍ରକାରର ଶୀତଳଯୁଦ୍ଧ ଆରମ୍ଭ ହୋଇ ଯାଇଛି । ତେବେ ଏହା ପୂର୍ବରୁ ମମତା ସମାଜବାଦୀ ପାର୍ଟି (ସପା) ମୁଖ୍ୟ ୟୁପିର ପୂର୍ବତନ ସିଏମ ଅଖିଳେଶ ଯାଦବଙ୍କୁ ନେଇ ଏକ ବୈଠକ କରିଥିଲେ । ତେବେ ସପା ଦିଦିଙ୍କ ସହ ରହିଥିବା ଅଖିଳେଶ କହିଥିଲେ । ମୋଦୀଙ୍କ କଟ୍ଟର ବିରୋଧୀ ଭାବେ ଜଣାଶୁଣା ଦିଦି ପୂର୍ବରୁ କଂଗ୍ରେସ, ଆପ ସହ ଏକାଧିକ ଦଳର ନେତାଙ୍କ ସହ ମଧ୍ୟ ଅଲୋଚନା କରିଥିଲେ ।

ତେବେ ନବୀନଙ୍କ ସହ ଦିଦିଙ୍କର କ’ଣ ଆଲୋଚନା ହେବ ତାହାକୁ ନେଇ ଏବେ ବେଶି ଚର୍ଚ୍ଚା । ସର୍ବଦା ନିଜର ଷ୍ଟାଇଲରେ ନିଷ୍ପତ୍ତି ନେବାରେ ଧୁରନ୍ଧର ନବୀନଙ୍କ ଗୋଟିଚାଳନା ପ୍ରତିପକ୍ଷଙ୍କୁ ଅଡ଼ୁଆରେ ପକାଇପାରେ । ଏପରିକି ଭାଜପା ମଧ୍ୟ ଏହା ଉପରେ ନଜର ରଖିଛି । ଏପରି ସ୍ଥିତିରେ ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଅପରାଜେୟ ନାୟକ ଭାବେ ଓଡ଼ିଶାକୁ ଶାସନ କରି ଆସୁଥିବା ନବୀନଙ୍କ ଗୋଟିଏ ଇସାରା କେନ୍ଦ୍ର ରାଜନୀତିକୁ ହଲଚଲ କରିଦେଇପାରେ । ଯଦି କୌଣସି ପ୍ରକାରେ ଦିଦି ନବୀନଙ୍କୁ ମନାଇବାରେ ସଫଳ ହୁଅନ୍ତି, ତେବେ ଆଗାମୀ ଦିନରେ ରାଜନୀତିର ଏକ ନୂଆ ଇତିହାସ ଦେଖିବାକୁ ମିଳିବ, ଏହି ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ।

Get real time updates directly on you device, subscribe now.