fbpx

(Video) ଓଡ଼ିଶାରେ ବିରଳ ଘଟଣା: ନଳକୂପ ଖୋଳୁଖୋଳୁ ବାହାରିଲା ସୁନା ଖଣି, ପାଣିରୁ ସୁନା ଛାଣି ନେଉଛନ୍ତି ଲୋକମାନେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଆମର ଆଖପାଖରେ ଏପରି କିଛି ଅବିଶ୍ୱସନୀୟ ବିରଳ ଘଟଣା ଦେଖିବାକୁ ମିଳିଥାଏ । ଏପରି ଘଟଣାକୁ ନିଜ ଆଖିରେ ନ ଦେଖିବା ପର୍ଯ୍ୟନ୍ତ କେହି ବିଶ୍ୱାସ କରନ୍ତି ନାହିଁ । ତେବେ ଯଦି ଆପଣଙ୍କୁ କୁହାଯିବ ପାଣିରୁ ସୁନା ବାହାରୁଛି ଆପଣମାନେ ପାଗଳ ବୋଲି କହିବେ । ମାତ୍ର ଏଭଳି ଏକ ଘଟଣା ରାଜ୍ୟର ବଳାଙ୍ଗିର ଜିଲ୍ଲାରେ ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ବଲାଙ୍ଗିର ଜିଲ୍ଲାରେ ନଳକୂପ ଖୋଳୁଖୋଳୁ ଏକ ସୁନା ଖଣିର ସନ୍ଧାନ ମିଳିଛି । ଏହି ସୁନା ଖଣି ଖବର ଚାରିଆଡ଼େ ପ୍ରଘଟ ହେବା ପରେ ଉକ୍ତ ଅଞ୍ଚଳରେ ଏବେ ପୋଲିସ ଓ ସରକାରୀ ବାବୁଙ୍କ ଭିଡ଼ ଜମିବାରେ ଲାଗିଛି । ଜିଲ୍ଲାର ଖପରାଖୋଲ ଥାନା ଅନ୍ତର୍ଗତ ଛାଞ୍ଚାଣବାହାଲି ଗ୍ରାମରେ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ।

ତେବେ ପାଇପରୁ ପାଣି ବାହାରୁଥିବା ବେଳେ ଲୋକମାନେ ଗାମୁଛା ଦେଖାଇ ସେହି ପାଣିରୁ ସୁନା ଛାଣି ନେଉଥିବା ଦେଖାଯାଉଛି । ବାଲିରେ ସୁନାର ଗୁଣ୍ଡ ସବୁ ମିଶି କରି ରହିଥିବା ଜଣାପଡ଼ିଛି । ଉକ୍ତ ଗାଁର ମହମ୍ମଦ ଜାବେଦ ନାମ ଜଣେ ବ୍ୟକ୍ତି ତାଙ୍କ ବିଲରେ ଚାଷ କରିବା ପାଇଁ ଏକ ନଳକୂପ ଖୋଳିଥିଲେ । ଏହି ନଳକୂପ ୨୦୦-୩୦୦ ଫୁଟ ଖୋଲିବା ପରେ ମାଟି ମିଶା ପାଣିରୁ ସୁନା ବାହାରିଥିଲା । ଏହାପରେ ଜାବେଦ ସ୍ଥାନୀୟ ତହସିଲଦାରଙ୍କୁ ଏହି ଖବର ଜଣାଇଥିଲେ । ଏହାପରେ ତହସିଲଦାର ଘଟଣାସ୍ଥଳକୁ ଯାଇ ସତ୍ୟତା ପରଖିଥିଲେ । ତେବେ ସୁରକ୍ଷା ଦୃଷ୍ଟିରୁ ଉକ୍ତ ସ୍ଥାନରେ ପୋଲିସ ମୁତୟନ ହୋଇଛନ୍ତି ।

Get real time updates directly on you device, subscribe now.