fbpx

ଓଡ଼ିଶାକୁ ଆସିବା ଜାପାନ ପୁଞ୍ଜି: ନିବେଶକୁ ଆକୃଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଉଚ୍ଚସ୍ତରୀୟ ପ୍ରତିନିଧି ଦଳର ଜାପାନ ଗସ୍ତ

ଭୁବନେଶ୍ୱର: ରାଜ୍ୟରେ ପୁଞ୍ଜିନିବେଶକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଜାପାନ ଗସ୍ତରେ ଯାଇଛନ୍ତି। ଏହି ପ୍ରତିନିଧି ଦଳରେ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟସଚିବ ପି.କେ. ଜେନା, ଶିଳ୍ପ ବିଭାଗର ସଚିବ ହେମନ୍ତ ଶର୍ମା, ଇଲେକ୍ଟ୍ରୋନିକ୍ସ ଓ ଆଇଟି ସଚିବ ମନୋଜ ମିଶ୍ର, ଇପିକଲର ପରିଚାଳନା ନିର୍ଦ୍ଦେଶକ ଭୂପେନ୍ଦ୍ର ପୁନିଆ, ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ. ପାଣ୍ଡିଆନ ଓ ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା ସାମିଲ ଅଛନ୍ତି।

ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ଟୋକିଓରେ ପୁଞ୍ଜିନିବେଶକ ସମ୍ମିଳନୀରେ ଯୋଗଦେବା ସହ କ୍ୱୋଟୋ ଓ ଓସାକାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଓଡ଼ିଶାରେ ଜାପାନର ପୁଞ୍ଜିନିବେଶ ନେଇ ମୁଖ୍ୟମନ୍ତ୍ରୀ କେତେକ ଉଦ୍ୟୋଗୀଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ରାଜ୍ୟର ଏହି ପ୍ରତିନିଧି ଦଳ ଜାପାନର ପ୍ରତିନିଧି ଦଳ ସହ ଓଡ଼ିଶାର ବୌଦ୍ଧ ଏବଂ ପରିବେଶ ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ଉପରେ ଗୁରୁତ୍ୱ ଦେଇ ଓଡ଼ିଶା ଓ ଜାପାନରେ ପର୍ଯ୍ୟଟନ କ୍ଷେତ୍ରରେ ସହଭାଗିତା ନେଇ ଆଲୋଚନା କରିବେ।

ଓଡ଼ିଶାରେ କ୍ରୀଡ଼ା ପରିବେଷ୍ଟନୀତନ୍ତ୍ରରେ ହୋଇଥିବା ଉଲ୍ଳେଖନୀୟ ମାଇଲ୍‍ଖୁଣ୍ଟକୁ ଦୃଷ୍ଟିରେ ରଖି କ୍ରୀଡ଼ା କ୍ଷେତ୍ରରେ ପ୍ରଶିକ୍ଷଣ ଓ ବିକାଶକୁ ନେଇଥିବା ସମ୍ଭାବ୍ୟ ସହଭାଗିତା ଉପରେ ମଧ୍ୟ ଆଲୋଚନା ହେବ । ୨୦୧୮ ଓ ୨୦୨୨ ମେକ୍‍ ଇନ୍‍ ଓଡ଼ିଶା ସମ୍ମିଳନୀରେ ଜାପାନ ଏକ କଣ୍ଟ୍ରି ପାର୍ଟନର ଥିଲା। ବିଦେଶୀ ପୁଞ୍ଜି ପାଇଁ ପ୍ରମୁଖ ନିବେଶକଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ ଏହି ଗସ୍ତ ଉଦ୍ଦିଷ୍ଟ । ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଜାପାନରେ ରହିବା କାର୍ଯ୍ୟକ୍ରମ ରହିଛି ।

Get real time updates directly on you device, subscribe now.