fbpx

୨୦୪୫ ବେଳକୁ କ’ଣ ସତରେ ଅମର ହୋଇଯିବ ମଣିଷ ? ଖୁଲାସା କଲେ ବୈଜ୍ଞାନିକ

ଦୁନିଆରେ ଜନ୍ମ ମୃତ୍ୟୁ ହେଉଛି ଅପ୍ରିୟ ସତ । ଜନ୍ମ ହେଇଛ ମାନେ ମୃତ୍ୟୁ ସୁନିଶ୍ଚିତ । ଏକଥା ବୈଜ୍ଞାନିକଙ୍କୁ ଛାଡି ଅନ୍ୟ ସମସ୍ତେ ମାନନ୍ତି । କିନ୍ତୁ ବୈଜ୍ଞାନିକମାନେ ବେଶ୍‌ କିଛି ବର୍ଷ ହେଲା ଅମର ହେବାର ଗୁଢ଼ ରହସ୍ୟ ଖୋଜିବାରେ ଲାଗିଛନ୍ତି । ବର୍ତ୍ତମାନ ସେମାନେ କିଛି ମାତ୍ରାରେ ସଫଳ ହୋଇସାରିଛନ୍ତି । ସେମାନଙ୍କ କହିବାନୁଯାୟୀ ଆଗାମୀ ୨୦୩୦ ବେଳକୁ ମଣିଷ ଚାହିଁଲେ ନିଜର ବୟସ ପ୍ରତିବର୍ଷ ବଢ଼ାଇ ପାରିବ । ସେହିଭଳି ୨୦୪୫ ମସିହା ପର୍ଯ୍ୟନ୍ତ ଯଦି କେହି ବଞ୍ଚି ରୁହନ୍ତି ତେବେ ତାଙ୍କର ଆଉ ମୃତ୍ୟୁ ହେବାର ପ୍ରଶ୍ନ ଉଠିବ ନାହିଁ । ସେମାନେ ସବୁଦିନ ପାଇଁ ଦୁନିଆରେ ରହିପାରିବେ ।

ଅନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ହ୍ୟୁମାନିଟି ପ୍ଲସ୍‌ର ବୈଜ୍ଞାନିକ ଡକ୍ଟର ଜୋସ୍‌ କୋର୍ଡେରୋ ଦାବି କରିଛନ୍ତି କି ଆଗାମୀ କିଛି ବର୍ଷ ଭିତରେ ଆମକୁ ଅମର ହୋଇଯିବାର ଗୋପନ ତଥ୍ୟ ମିଳିଯିବ । ଯଦିଓ ସେ ଏହି ଗୋପନ ତଥ୍ୟ ବିଷୟରେ ଖୋଲାଖୋଲି ଭାବେ କିଛି କହିନାହାନ୍ତି ଏଥିରେ ନାନୋ ଟେକ୍ନୋଲୋଜି, ରୋବୋଟିକ୍ସ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବଡ ଭୂମିକା ରହିବ ବୋଲି ସଙ୍କେତ ମିଳିଛି । ଏହାରି ମାଧ୍ୟମରେ ବୟସ ବଢ଼ିବ ଓ କମିବ ଏବଂ ଦିନେ ଏଭଳି ସମୟ ଆସିବ ଯେତେବେଳେ କି ମଣିଷ ଶହ ଶହ ବର୍ଷ ଧରି ବଞ୍ଚିରହିପାରିବ । ଡକ୍ଟର କୋର୍ଡେରୋଙ୍କ କହିବାନୁଯାୟୀ ପୂର୍ବରୁ ହାରାହାରି ଆୟୁସ କମ୍‌ ହେଉଥିଲା । କିନ୍ତୁ ବର୍ତ୍ତମାନ ବଢ଼ିବାରେ ଲାଗିଛି । ଉଦାହରଣ ଦେଇ ସେ କହିଛନ୍ତି ୧୮୮୧ ବେଳକୁ ଦୁନିଆରେ ଜଣେ ଲୋକର ହାରାହାରି ଆୟୁସ ଥିଲା ୨୫.୪ ବର୍ଷ । ୨୦୧୯ରେ ଏହା ୬୯.୭ ବର୍ଷକୁ ବୃଦ୍ଧି ପାଇଛି । ଏହି ସୂତ୍ରରେ ମଣିଷର ଡିଏନ୍‌ଏର ଏଜିଂକୁ ରିଭର୍ସ ଏଜିଂରେ ବଦଳାଇ ଦିଆଯିବ ।

ହାର୍ଭାର୍ଡ ଓ ବୋଷ୍ଟର ୟୁନିର୍ଭସିଟି ପକ୍ଷରୁ ମିଳିତ ଭାବେ ହୋଇଥିବା ଗବେଷଣାରେ ମୂଷାଙ୍କ ଠାରେ କରାଯାଇଥିବା ପରୀକ୍ଷା ସଫଳ ହୋଇଛି । ବୈଜ୍ଞାନିକମାନେ କେତେକ ବୁଢ଼ା ମୂଷାଙ୍କ ଦେହରେ ସେମାନେ ଆବିଷ୍କାର କରିଥିବା ନୂଆ ଜ୍ଞାନ କୌଶଳ ପ୍ରୟୋଗ କରି ସେମାନଙ୍କୁ ଯୁବା ବନାଇ ଦେଇଥିଲେ । ଏପରିକି ବୟସ ବୃଦ୍ଧି ପରେ ସେମାନେ ଯେଉଁ ଶାରୀରିକ ଦୁର୍ବଳ ଅନୁଭବ କରିଥାନ୍ତି ତାକୁ ମଧ୍ୟ ଠିକ୍‌ କରି ଦେଇଥିଲେ । ଏହି ଗବେଷଣା ରିପୋର୍ଟ ବିଜ୍ଞାନ ପତ୍ରିକା ସେଲ୍‌ରେ ସ୍ଥାନ ପାଇଛି । ତାର ଶୀର୍ଷକ ରହିଛି ‘ଲସ୍‌ ଅଫ୍‌ ଏପିଜେନେଟିକ ଇନଫର୍ମେସନ ଏଜ୍‌ କଜ୍‌ ଅଫ୍‌ ମୋମୋଲିୟନ ଏଜିଂ’ । ସେଥିରେ କୁହାଯାଇଛି କି ଲ୍ୟାବରେ ମୂଷାଙ୍କ ଦେହରେ ହୋଇଥିବା ପରୀକ୍ଷାରୁ ସ୍ପଷ୍ଟ ଭାବେ ଜଣାପଡିଛି କି ବୟସକୁ ପଛକୁ ଫେରାଇ ଅଣାଯାଇ ଯୁବା କରାଯାଇପାରିବ । ସେହିଭଳି ବୟସକୁ ମଧ୍ୟ ଆଗକୁ ବଢ଼ାଇ ଦିଆଯାଇପାରିବ । ଅର୍ଥାତ ଏହି ଫର୍ମୁଲା ମାଧ୍ୟମରେ ସମୟ ପୂର୍ବରୁ କୌଣସି ବ୍ୟକ୍ତିଙ୍କୁ ବୁଢ଼ା କିମ୍ବା ଯୁବା କରାଯାଇପାରିବ ।

ଗବେଷଣାରୁ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ ଶରୀର ନିକଟରେ ନିଜର ଯୁବାବାସ୍ଥାର ବ୍ୟାକଅପ୍‌ କପି ଥାଏ । ଏହି କପିକୁ ସକ୍ରିୟ କରାଯିବା ଫଳରେ ଶରୀରରେ କୋଷ ପୁଣି ସୃଷ୍ଟି ହୁଏ ଏବଂ ବୟସ ପଛକୁ ଫେରିବା ସମ୍ଭବ ହେବ । ଏହି ସମୟରେ ଡିଏନ୍‌ଏ କିମ୍ବା କୌଣସି କୋଷ ଦୁର୍ବଳ ହୋଇନଥାଏ । ଗବେଷଣା ସମୟରେ ଦୁର୍ବଳ ଓ ବୟସାଧିକ ହୋଇଥିବା ମୂଷାଙ୍କ ଶରୀରରେ ପ୍ରାପ୍ତ ବୟସ୍କ ମଣିଷର ଚର୍ମ କୋଷ ବ୍ୟବହାର କରାଯାଇଥିଲା । କିଛିଦିନ ପରେ ସେହି ମୂଷାମାନେ ବେଶ୍‌ ସକ୍ରିୟ ହୋଇପଡିଥିବା ଦେଖାଯାଇଥିଲା । ଏଭଳି ଭାବେ ମସ୍ତିଷ୍କ, ମାଂସପେଶୀ ଓ କିଡ୍‌ନୀ କୋଷକୁ ଯୁବାବସ୍ଥାକୁ ଫେରାଇ ଅଣାଯାଇପାରିବ ।

୨୦୨୨ ଏପ୍ରିଲରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର କିଛି ବୈଜ୍ଞାନିକ ଦାବି କରିଥିଲେ ଏକ ବିଶେଷ ସୂତ୍ର ପ୍ରୟୋଗ କରାଯାଇ ବୟସକୁ ୩୦ରୁ ଅଧିକ ବର୍ଷ ପର୍ଯ୍ୟନ୍ତ ପଛକୁ ଫେରାଇ ନିଆଯାଇପାରିବ । ବିଶ୍ୱର ବଡବଡ ଦେଶର ଅରବପତିମାନେ ପଛକୁ ବୟସ ଫେରାଇ ଆଣିବା ଲାଗି ଚାଲିଥିବା ଗବେଷଣାରେ ବିପୁଳ ଟଙ୍କା ବିନିଯୋଗ କରିଛନ୍ତି । ଏପରିକି ଲ୍ୟାବରେ ସେମାନଙ୍କ ମୃତ ଶରୀରକୁ ସଂରକ୍ଷିତ କରି ରଖୁଛନ୍ତି । ଯାହାଫଳରେ କି ନୂଆ ଫର୍ମୁଲା ବିକଶିତ ହେବା ପରେ ସେମାନେ ଦ୍ୱିତୀୟଥର ପାଇଁ ଜୀବନ ଫେରିପାଇ ପାରିବେ ।

Get real time updates directly on you device, subscribe now.