୫+୩+୩+୪ ଢାଞ୍ଚାରେ ହେବ ପାଠପଢା ; ୩ ରୁ ୧୮ ବର୍ଷ ପର୍ଯ୍ୟନ୍ତ ୪ଟି ପର୍ଯ୍ୟାୟରେ ଅଧ୍ୟୟନ, କ୍ଲାସରେ ପିଲାଙ୍କୁ ମିଳିବ ଦୁଇଟି ବ୍ରେକ୍

ନୂଆଦିଲ୍ଲୀ : ବଦଳିଛି ପିଲାଙ୍କ ଜୀବନ ଶୈଳୀ, ବଦଳିଛି ପିଲାଙ୍କ ଅଧ୍ୟୟନର ଢାଞ୍ଚା । ପୂର୍ବ ଭଳି ଆଉ ସେ ସ୍କୁଲ ନାହିଁ କି ପିଲାଙ୍କ ପାଠପଢା ବି ନାହିଁ । ଉନ୍ନତମାନର ସ୍କୁଲ ସାଙ୍ଗକୁ ପାଠପଢାରେ ମଧ୍ୟ ଅନେକ ପରିବର୍ତ୍ତନ ହୋଇଛି । ଜାତୀୟ ଶିକ୍ଷା ନୀତି କାର‌୍ୟ୍ୟକାରୀ କରିବାବେଳେ ସରକାର ବିଦ୍ୟାଳୟ ଶିକ୍ଷାର ସମ୍ପୂର୍ଣ୍ଣ ଗଠନକୁ ପରିବର୍ତ୍ତନ କରିବା ବିଷୟରେ କହିଥିଲେ। ଏଣିକି ଛାତ୍ରଛାତ୍ରୀଙ୍କୁ ୪ଟି ପର୍ଯ୍ୟାୟରେ ଅଧ୍ୟୟନ କରାଯିବ । ତାହା ହେଉଛି ୫ + ୩ + ୩ + ୪ । ୩ ବର୍ଷରୁ ୧୮ ବର୍ଷ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଏହି ଢାଞ୍ଚାରେ ପାଠ ପଢିବେ ।

ତେବେ ନିଶ୍ଚିତ ଭାବରେ ମନରେ ପ୍ରଶ୍ନ ଆସୁଥିବ ୫ + ୩ + ୩ + ୪ ଢାଞ୍ଚା କ’ଣ? ଆସନ୍ତୁ ଜାଣିବା..

୫ + ୩ + ୩ + ୪ ରେ ଥିବା ୫ ର ଅର୍ଥ ହେଉଛି ଫାଉଣ୍ଡେସନ୍ ଷ୍ଟେଜ୍ । ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ପ୍ରଥମ ଅଙ୍ଗନୱାଡି କିମ୍ବା ୩ ବର୍ଷର ପ୍ରି-ସ୍କୁଲ ଏବଂ ୨ ବର୍ଷର ପ୍ରାଥମିକ ବିଦ୍ୟାଳୟ । ପ୍ରଥମ, ଦ୍ୱିତୀୟ ଶ୍ରେଣୀ ସାମିଲ ରହିବ । ଯେଉଁଥିରେ ପିଲାଙ୍କ ବୟସ ୩ରୁ ୮ ବର୍ଷ ହୋଇସାରିଥିବ ।

ସେହିପରି ଏତିରେ ଥିବା ୩ର ଅର୍ଥ ହେଉଛି ପିଲାଙ୍କର ୮ରୁ ୧୧ ବର୍ଷ ବୟସ । ତୃତୀୟ , ଚତୁର୍ଥ, ପଞ୍ଚମ ଶ୍ରେଣୀ । ଖେଳ, ଆବିଷ୍କାର, ବିଭିନ୍ନ କାର୍ଯ୍ୟକଳାପ, ଇଣ୍ଟରାକ୍ଟିଭ୍ ଲର୍ଣ୍ଣିଂ ଏବଂ ଶିଶୁର ଜ୍ଞାନ ବିକାଶ ଏହି ପର‌୍ୟ୍ୟାୟର ଏକ ଅଂଶ । ଭାଷା ଏବଂ ଗଣିତ ଦକ୍ଷତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ।

ଏହାର ପରବର୍ତ୍ତୀ ୩ର ଅର୍ଥ ହେଉଛି ଷଷ୍ଠରୁ ଅଷ୍ଟମ ଶ୍ରେଣୀ । ତା’ପରେ ୪ ର ଅର୍ଥ ହେଉଛି ନବମରୁ ଦ୍ୱାଦଶ । ସେତେବେଳକୁ ପିଲାଙ୍କୁ ୧୮ ବର୍ଷ ହୋଇ ସାରିଥିବ ।

ଏହି ନିୟମ ଅନୁଯାୟୀ କ୍ଲାସ୍ ସମୟ ୪୦ ମିନିଟ୍ ରହିବ । ଶନିବାର ସଭା ହେବ ନାହିଁ । ଅନ୍ୟ ଦିନରେ ୨୫ ମିନିଟ୍ ପ୍ରାର୍ଥନା ସଭା ହେବ । ପ୍ରତ୍ୟେକ କ୍ଲସ୍ ୪୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ । ଗୋଟିଏ କ୍ଲାସ୍ ପରେ ପରବର୍ତ୍ତୀ କ୍ଲାସ୍ ପାଇଁ ୫ ମିନିଟର ସମୟ ଦିଆଯିବ । ଏହା ବ୍ୟତୀତ ୧୫ ମିନିଟର ସ୍ନାକ୍ସ ବ୍ରେକ୍ ଏବଂ ୪୫ ମିନିଟର ମଧ୍ୟାହ୍ନ ଭୋଜନ ବିରତି ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ଶନିବାର ଦିନ କୌଣସି ସଭା ହେବ ନାହିଁ ଏବଂ ମଧ୍ୟାହ୍ନ ଭୋଜନ ବିରତି ୩୦ ମିନିଟ୍ ହେବ ।

ନବମ ଶ୍ରେଣୀର ସମୟ ୫୦ ମିନିଟ୍ ର ରହିବ । ପରବର୍ତ୍ତୀ ଶ୍ରେଣୀ ପ୍ରସ୍ତୁତି ପାଇଁ ସେମାନଙ୍କୁ ୫ ମିନିଟ୍ ସମୟ ମିଳିବ । ସ୍ନାକ୍ସ ପାଇଁ ସେମାନଙ୍କୁ କୌଣସି ସମୟ ଦିଆଯାଇ ନାହିଁ, କିନ୍ତୁ ମଧ୍ୟାହ୍ନ ଭୋଜନ ବିରତିକୁ ସମୟ ୫୫ ମିନିଟକୁ ବୃଦ୍ଧି କରାଯାଇଛି । ଶନିବାର ମଧ୍ୟ ସେମାନଙ୍କର କୌଣସି ସଭା ହେବ ନାହିଁ।