fbpx

୨୦୨୮ ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ? ବିଶ୍ୱକପ ପୂର୍ବରୁ IOC କରିପାରେ ବଡ଼ ଘୋଷଣା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦେଶରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ଜାରି ରହିଛି । ଦିନକୁ ଦିନ କ୍ରିକେଟର ଲୋକପ୍ରିୟତା ବଢ଼ିବାରେ ଲାଗିଛି । ତେବେ ଏଭଳି ସ୍ଥିତିରେ ଆସନ୍ତା ୨୦୨୮ ଲସ୍ ଏଞ୍ଜେଲସ ଅଲିମ୍ପିକ୍ସରେ କ୍ରିକେଟ ସାମିଲ ହେବା ଚର୍ଚ୍ଚା ବଢ଼ିବାରେ ଲାଗିଛି । ତେବେ ଚଳିତ ବର୍ଷ ଭାରତରେ କ୍ରିକେଟ ବିଶ୍ୱକପ ଆୟୋଜନ ହେଉଥିବାରୁ ଏହି ଅବସରରେ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ବଡ଼ ଘୋଷଣା କରିବାର ସମ୍ଭାବନା ରହିଛି ।

ଦକ୍ଷିଣ ଏସିଆରେ କ୍ରିକେଟର ଲୋକପ୍ରିୟତା ବଢ଼ିଚାଲିଥିବା ବେଳେ କ୍ରିକେଟ ଖେଳ ଅଲିମ୍ପିକ୍ସରେ ସାମିଲ ହେଲେ ଏହା ସମସ୍ତଙ୍କୁ ଫାଇଦା ଦେବ । ବିଶେଷ କରି ଭାରତୀୟ ବଜାରରେ ପ୍ରବେଶ ପାଇଁ ଆଇଓସିକୁ ଏକ ବଡ଼ ସୁଯୋଗ ମିଳିପାରିବ ବୋଲି କୁହାଯାଉଛି । ତେବେ ଆସନ୍ତା ୩-୪ ମାସ ମଧ୍ୟରେ ଏହା ସ୍ପଷ୍ଟ ହୋଇଯିବ । ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ଅଲିମ୍ପିକ୍ସରେ ଯଦି କ୍ରିକେଟ ସାମିଲ ହୁଏ ତେବେ ପରବର୍ତ୍ତୀ ଦୁଇଟି ସଂସ୍କରଣ ପାଇଁ ଏହାର ପଥ ପରିସ୍କାର ହୋଇଯିବ ବୋଲି କୁହାଯାଉଛି ।

ବର୍ତ୍ତମାନର କ୍ରିକେଟ ପୀଢ଼ିଙ୍କୁ ଅଲିମ୍ପିକ୍ସ ପଦକ ମିଳିଲେ ତାହା କ୍ରିକେଟକୁ ଫାଇଦା ପ୍ରଦାନ କରିବ । ଏଥିସହିତ ପାରମ୍ପରିକ କ୍ରିକେଟ ଖେଳୁଥିବା କିଛି ବଛା ବଛା ରାଷ୍ଟ୍ରର ସୀମାରେଖା ଅତିକ୍ରମ କରି କ୍ରିକେଟ ବିଶ୍ୱ ସ୍ତରରେ କାୟାବିସ୍ତାର କରି ପାରିବ । ଯଦି ସବୁକିଛି ଠିକଠାକ ରୁହେ, ତେବେ ବର୍ତ୍ତମାନର ପ୍ରମୁଖ ଖେଳାଳିଙ୍କ ଗଳାରେ ଆଗାମୀ ଦିନରେ ନିଶ୍ଚିତ ଭାବେ ଅଲିମ୍ପିକ୍ସ ମେଡାଲ ଝୁଲିବ ।

ସୂଚନାଯୋଗ୍ୟ ଯେ, କ୍ରିକେଟକୁ ଅଲିମ୍ପିକ୍ସରେ ସାମିଲ ନେଇ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ପୂର୍ବରୁ ପ୍ରୟାସ ଜାରି ରଖି ଆସିଛି । ଉଭୟ ପୁରୁଷ ଓ ମହିଳା କ୍ରିକେଟ ଇଭେଣ୍ଟରେ ୬ଟି ଲେଖାଏଁ ଟିମ୍ ଭାଗ ନେବା ନେଇ ଆଇସିସି ଗତ ଜାନୁଆରୀ ମାସରେ ସୁପାରିଶ କରିଥିଲା । ସେହିପରି ଭାରତ ମଧ୍ୟ ଆଗକୁ ଅଲିମ୍ପିକ୍ସ କ୍ରୀଡ଼ା ଆୟୋଜନ ନେଇ ଇଚ୍ଛୁକ ଥିବାରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆ) ମଧ୍ୟ ଏ ଦିଗରେ ଉଦ୍ୟମ ଆରମ୍ଭ କରିଦେଇଛି । କ୍ରିକେଟ ସହିତ ଅନ୍ୟ କିଛି ସ୍ପୋର୍ଟ୍ସ ଇଭେଣ୍ଟ ମଧ୍ୟ ଅଲିମ୍ପିକ୍ସରେ ସାମିଲ ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.