fbpx

ପିଏମ କିସାନର ନୂଆ କିସ୍ତି ପୂର୍ବରୁ ବଡ ଘୋଷଣା: ୧୪ କୋଟି ଚାଷୀ ଉଠାଇବେ ଫାଇଦା

ନୂଆଦିଲ୍ଲୀ: ଦେଶର ଲକ୍ଷ ଲକ୍ଷ କୃଷକ ବର୍ତ୍ତମାନ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୧୪ତମ କିସ୍ତିକୁ ଅପେକ୍ଷା କରିଛନ୍ତି । ତେବେ ଏହି ଟଙ୍କା ଆସନ୍ତା ମେ’ ଶେଷ ସପ୍ତାହ କିମ୍ବା ଜୁନ ପ୍ରଥମ ସପ୍ତାହ ସୁଦ୍ଧା କୃଷକମାନଙ୍କ ଆକାଉଣ୍ଟକୁ ପଠାଯାଇପାରେ । କିନ୍ତୁ ଏହାପୂର୍ବରୁ ଚାଷୀମାନଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର । ଦେଶର ୧୪ କୋଟି କୃଷକମାନଙ୍କ ବିକାଶ ଏବଂ ସହଯୋଗ ପାଇଁ ନୂଆ ପଦକ୍ଷେପ ନେଇଛନ୍ତି ସରକାର ।

ସରକାରଙ୍କ ତରଫରୁ ନକଲି ବିହନର ବିକ୍ରି ଉପରେ ରୋକ ଲଗାଇବା ଉଦ୍ଦେଶ୍ୟରେ ଜାରି ହୋଇଛି ଏକ ନୂଆ ଆପ୍ । ଏହାଦ୍ୱାରା ଦେଶର ୧୪ କୋଟି କୃଷକ ଉପକୃତ ହୋଇପାରିବେ । ନକଲି ବିହନକୁ ଚିହ୍ନଟ କରିବା ଏବଂ ଅଥେଣ୍ଟିକେସନ ପାଇଁ ‘ସାଥୀ’ ନାମରେ ପୋର୍ଟାଲ ଏବଂ ମୋବାଇଲ ଆପ୍ ଜାରି କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ । ଏହା ବିହନର ଗୁଣବତ୍ତା ବିଷୟରେ ଜଣାଇବା ସହିତ ଏହାର ପ୍ରମାଣପତ୍ର ଏବଂ ସଂରକ୍ଷଣ ପାଇଁ ଏକ କେନ୍ଦ୍ରୀକୃତ ବ୍ୟବସ୍ଥା ଭାବରେ କାର୍ଯ୍ୟ କରିବ । ବିହନ ଉତ୍ପାଦନ, ଗୁଣାତ୍ମକ ବିହନ ଚିହ୍ନଟ ଏବଂ ବିହନ ପ୍ରମାଣପତ୍ରକୁ ନେଇ ଦେଖା ଦେଉଥିବା ସମସ୍ୟାଗୁଡିକୁ ସମାଧାନ କରିବା ପାଇଁ ଏହି ଆପ୍ ଲଞ୍ଚ କରାଯାଇଛି । କୃଷି ମନ୍ତ୍ରାଳୟର ସହଯୋଗରେ ଏନଆଇସି ‘ଉତ୍ତମ ବିହନ-ସମୃଦ୍ଧ କିସାନ’ ବିଷୟ ଉପରେ ବିକଶିତ କରିଛି ।

ଏହି ଅବସରରେ କେନ୍ଦ୍ର କୃଷିମନ୍ତ୍ରୀ କହିଛନ୍ତି ଯେ, ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମ ଦ୍ୱାରା କୃଷି କ୍ଷେତ୍ରରେ ଆସୁଥିବା ବିଭିନ୍ନ ସମସ୍ୟା ଏବଂ ଜଟିଳତାକୁ ଦୂର କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି କେନ୍ଦ୍ର ସରକାର । ସେ କହିଛନ୍ତି ଯେ, ସାଥୀ ପୋର୍ଟାଲ ଏହି ଦିଗରେ ଏକ ପ୍ରମୁଖ ପଦକ୍ଷେପ ହୋଇପାରେ । ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇସାରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଅଦିକ ସମୟ ନ ଲଗାଇବା ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.