fbpx

ପାଣିପାଗ ବିଭାଗର ସୂଚନା: ୨୭ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା

ଭୁବନେଶ୍ୱର : ଗତ କିଛିଦିନ ହେବ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ନେଇ ରାଜ୍ୟବାସୀ ହନ୍ତସନ୍ତ ହେଉଥିବା ବେଳେ ଗତ ଦୁଇ ଦିନ ହେବ ସେଥିରୁ ତ୍ରାହି ମିଳିଛି । କାଳବୈଶାଖୀ ବର୍ଷା ଫଳରେ ପାରଦ ନିମ୍ନଗାମୀ ହୋଇଛି । ଆଗାମୀ ୩ରୁ ୪ ଦିନ ଅର୍ଥାତ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ଏହି ସମୟରେ ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଆସନ୍ତା ୫୬ ଦିନ ପର୍ଯ୍ୟନ୍ତ ଦିନର ତାପମାତ୍ରା ୪ରୁ ୫ ଡିଗ୍ରୀ ହ୍ରାସ ପାଇବା ନେଇ ପୂର୍ବାନୁମାନ କରାଯାଇଛି ।

୨୩ ତାରିଖରେ ବର୍ଷାର ପରିମାଣ ଅଧିକ ରହିବ ଓ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ସାଙ୍ଗକୁ ୪୦ରୁ ୫୦ କି.ମି ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ବର୍ଷା ନେଇ ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କୋରାପୁଟ, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କଟକ, ଜଗତସିଂହପୁର ଓ ନବରଙ୍ଗପୁର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାପରେ ପୁଣି ଥରେ ତାତିର ପ୍ରଭାବ ବୃଦ୍ଧି ପାଇବ ବୋଲି ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ ଗତ କିଛିଦିନ ହେବ ରାଜ୍ୟର ବାରିପଦା, ଝାରସୁଗୁଡ଼ାରେ ତାପମାତ୍ରା ୪୪ ଡିଗ୍ରୀ ଉପରେ ରହୁଥିଲା । ସେହିପରି ରାଜଧାନୀ ଭୁବନେଶ୍ୱର ଓ କଟକର ତାପମାତ୍ରା ମଧ୍ୟ ୪୩ ଡିଗ୍ରୀ ପାର କରିଯାଇଥିଲା । ଏହାକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା । ଲୋକେ ତ୍ରାହିତ୍ରାହି ଡାକ ଛାଡ଼ିଥିଲେ । ତେବେ ପାଗରେ ପରିବର୍ତ୍ତନ ଯୋଗୁଁ ଲୋକଙ୍କୁ ଆଶ୍ୱସ୍ତି ମିଳିଛି ।

Get real time updates directly on you device, subscribe now.