fbpx

ପାଣିପାଗ ବିଭାଗର ସୂଚନା: ରାଜ୍ୟରେ ଆଉ ୨ ଦିନ ଅସମ୍ଭାଳ ତାତି, ୫ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ମାଡ଼ି ଆସୁଛି ଡହଡହ ତାତି । ଦୁଇ ଦିନ ସାରା ରାଜ୍ୟରେ ଜାରି ରହିବ ଅସହ୍ୟ ଗରମ ଓ ଗୁଳୁଗୁଳି । ଅନୁଭୂତ ହେବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ୧୬ ଓ ୧୭ ଦୁଇ ଦିନ ଧରି ଜଳିବ ସାରା ରାଜ୍ୟ । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ଥିତି ସଙ୍ଗୀନ ରୂପ ଧାରଣ କରିବ । ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ବଢିବ ପାରଦ । ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ପଶ୍ଚିମ, ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଗରମ ବାୟୂ ରାଜ୍ୟ ଭିତରକୁ ପ୍ରବେଶ କରୁଥିବାରୁ ତାତିର ପ୍ରଭାବ ବୃଦ୍ଧି ପାଇବ । ଡହଡହ ଖରାରେ ସାରା ରାଜ୍ୟ ସିଝିବ । ଉପକୂଳ ଅପେକ୍ଷା ପଶ୍ଚିମ ଓଡ଼ିଶାରେ ତାତିର ପ୍ରଭାବ ଅଧିକ ଅନୁଭୂତ ହେବ । ଏପରିକି କିଛି ଅଞ୍ଚଳରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିବ ବୋଲି ସତର୍କ ସୂଚନା ଜାରି କରାଯାଇଛି । ୫ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହିସବୁ ଜିଲ୍ଲାରେ ହିଟ୍ୱେଭ୍ ନେଇ ସତର୍କ ଓ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି ।

ଏହିସବୁ ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୋନପୁର ଓ ବଲାଙ୍ଗିର । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଆଲର୍ଟରେ ରହିଛି ପ୍ରଶାସନ । ପ୍ରତିଦିନ ଗ୍ରୀଷ୍ମ ପ୍ରବାହ ନେଇ ରିପୋର୍ଟ ଦେବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲା ଯିବା ସହ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପାନୀୟ ଜଳ ବିଭାଗକୁ ଆଲର୍ଟ ରଖା ଯାଇଛି । ପିଏଚ୍ସି ଓ ସିଏଚ୍ସି ଗୁଡ଼ିକରେ ଏସି ରୁମ୍ ବ୍ୟବସ୍ଥା ସହ ଆବଶ୍ୟକ ଔଷଧ ଓ ଓଆରଏସ୍ ମହଜୁଦ ଥିବା ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

ଅନ୍ୟପକ୍ଷରେ ଦୁଇ ଦିନ ପରେ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି । କାଳବୈଶାଖୀ ପ୍ରଭାବରେ ଉପକୂଳ ତଥା ଉତ୍ତର ପୂର୍ବ ଓଡ଼ିଶାର କିଛି ଜିଲ୍ଲାରେ ଘଡ଼ଘଡ଼ି ଓ ବିଜୁଳି ସହ ବର୍ଷାର ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ଦୁଇଦିନ ପରେ ତାତିର ପ୍ରଭାବ କମିବାର ଥିଲେ ମଧ୍ୟ ଗ୍ରୀଷ୍ମ ପ୍ରବାହ ୨୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ ।

Get real time updates directly on you device, subscribe now.