ବ୍ୟାଙ୍କରେ ୨୦୦୦ ଟଙ୍କିଆ ନୋଟ୍ ବଦଳାଇବାକୁ ମନା କଲେ ଏପରି କରନ୍ତୁ ଅଭିଯୋଗ

ନୂଆଦିଲ୍ଲୀ : ‘କ୍ଲିନ୍ ନୋଟ୍ ନୀତି’ ଅଧିନରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗତକାଲି ୨,୦୦୦ ଟଙ୍କିଆ ନୋଟ ଚଳନକୁ ବନ୍ଦ କରାଯାଇଛି । ଲୋକମାନଙ୍କ ପାଖରେ ସ୍ବଚ୍ଛ ଓ ପରିଷ୍କାର ନୋଟ୍ ପହଞ୍ଚାଇବାକୁ ନିଶ୍ଚିତ କରିବା ଲାଗି ରିଜର୍ଭ ବ୍ୟାଙ୍କ କ୍ଲିନ୍ ନୋଟ୍ ନୀତି ଗ୍ରହଣ କରିଛି। ଲୋକମାନେ କାରବାର ଲାଗି ୨୦୦୦ ଟଙ୍କିଆକୁ ବ୍ୟବହାର କରିପାରିବେ ଏବଂ ପେମେଣ୍ଟ୍‌ ଆକାରରେ ଗ୍ରହଣ ବି କରିପାରିବେ। ତଥାପି ସେହି ନୋଟ୍‌ଗୁଡ଼ିକୁ ୨୦୨୩ ସେପ୍ଟେମ୍ବର ୩୦ ସୁଦ୍ଧା ବ୍ୟାଙ୍କକୁ ଫେରାଇ ଦେବା ଲାଗି ଲୋକମାନଙ୍କୁ ରିଜର୍ଭ ବ୍ୟାଙ୍କ କହିଛି।

ଲୋକମାନେ ନିଜ ପାଖରେ ରଖିଥିବା ୨୦୦୦ ଟଙ୍କିଆକୁ ନିଜ ବ୍ୟାଙ୍କ ଖାତାରେ ଜମା କରିପାରିବେ ଅନ୍ୟଥା ବଦଳାଇ ଅନ୍ୟ ନୋଟ୍ ଆଣିପାରିବେ। ୨୦୨୩ ମେ’ ୨୩ରୁ ସେପ୍ଟେମ୍ବର ୩୦ ଭିତରେ ନୋଟ୍‌ଗୁଡ଼ିକୁ ବଦଳାଇ ହେବ। ବ୍ୟାଙ୍କ ଶାଖା ଓ ଭାରତୀୟ ରିଜର୍ଭ ବ୍ୟାଙ୍କର ୧୯ଟି ଆଞ୍ଚଳିକ କାର୍ଯ୍ୟାଳୟର ଇସ୍ୟୁ ବିଭାଗରେ ଏହି ସୁବିଧା ମିଳିବ। ଭୁବନେଶ୍ବରରେ ରିଜର୍ଭ ବ୍ୟାଙ୍କର ଇସ୍ୟୁ ବିଭାଗ ରହିଛି। ଲୋକମାନେ ଥରକେ ୨୦ ହଜାର ଟଙ୍କାର ୨୦୦୦ ଟଙ୍କିଆ ବଦଳାଇପାରିବେ। ଲୋକମାନେ ଯେକୌଣସି ବ୍ୟାଙ୍କ ଶାଖାରେ ୨୦୦୦ ଟଙ୍କିଆ ବଦଳାଇପାରିବେ। ସେହି ଶାଖାର ଗ୍ରାହକ ହୋଇଥିବା ଜରୁରୀ ନୁହେଁ।

ସେହି ବ୍ୟକ୍ତି ଜଣକ ୨୦୦୦ ଟଙ୍କିଆଗୁଡ଼ିକୁ ନିଜ ଖାତାରେ ଜମା କରିପାରିବେ। ଏହା ପରେ ସେଥିରୁ ଅନ୍ୟ ନୋଟ୍‌ ଆକାରରେ ଟଙ୍କା ଉଠାଇପାରିବେ। ସମ୍ପୂର୍ଣ୍ଣ ମାଗଣାରେ ନୋଟ୍ ବଦଳାଇହେବ। କିଛି ଫି’ ଦେବାକୁ ପଡ଼ିବନି। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗମାନେ ଯେଭଳି ସୁବିଧାରେ ୨୦୦୦ ଟଙ୍କିଆ ନୋଟ୍ ବଦଳାଇପାରିବେ ଓ ଜମା କରିପାରିବେ ସେଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ଏହି ପ୍ରକ୍ରିୟାକୁ ସହଜ କରିବା ଲାଗି ଲୋକମାନଙ୍କୁ ଚାରି ମାସରୁ ଅଧିକ ସମୟ ଦିଆଯାଇଛି। ତେଣୁ ସେହି ସମୟ ଭିତରେ ନୋଟ୍ ବଦଳାଇଦେବା କିମ୍ବା ଜମା କରିବା ଲାଗି ଲୋକମାନଙ୍କୁ କୁହାଯାଉଛି।

ବ୍ୟାଙ୍କ ନୋଟ୍ ବଦଳାଇବାକୁ ମନା କଲେ କ’ଣ କରିବେ?
ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଛନ୍ତି ଯେ ୨୦୨୩ ସେପ୍ଟେମ୍ବର ୩୦ ପରେ ମଧ୍ୟ ୨୦୦୦ ଟଙ୍କିଆ ନୋଟ୍ ଲିଗାଲ ଟେଣ୍ଡର ହୋଇରହିବ। ତଥାପି ତାହାକୁ ନିର୍ଧାରିତ ସମୟରେ ବଦଳାଇବା ଲାଗି ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି। ଯଦି କୌଣସି ବ୍ୟାଙ୍କର କର୍ମଚାରୀ ୨୦୦୦ ଟଙ୍କିଆ ନେବାକୁ ମନା କରିବେ ତେବେ ଗ୍ରାହକ ଜଣକ ପ୍ରଥମେ ବ୍ୟାଙ୍କ କର୍ତ୍ତପକ୍ଷଙ୍କୁ ସେବିଷୟରେ ଜଣାଇବେ। ୩୦ ଦିନ ଭିତରେ ଯଦି ବ୍ୟାଙ୍କ କିଛି ଉତ୍ତର ନଦେବ କିମ୍ବା ଉତ୍ତର ସନ୍ତୋଷଜନକ ହୋଇନଥିବ ତେବେ ରିଜର୍ଭ ବ୍ୟାଙ୍କର ଲୋକପାଳ ସ୍କିମ୍‌ ଅଧିନରେ csm.rbi.org.inରେ ଅଭିଯୋଗ କରାଯାଇପାରିବ।