fbpx

ଶ୍ରୀମନ୍ଦିରରେ ନୀତି ବିଳମ୍ବ, ମହାପ୍ରଭୁଙ୍କ ଅପେକ୍ଷାରେ ବଡଦାଣ୍ଡରେ ଛଟପଟ ଭକ୍ତ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ପୁଣି ବିଳମ୍ବିତ କଥା ସାମ୍ନାକୁ ଆସିଛି । ଦୀର୍ଘଘଣ୍ଟାର ବିଳମ୍ବ ପରେ ଜୟବିଜୟ ଦ୍ୱାର ଖୋଲିଛି । ଜଗା ଦର୍ଶନ ପାଇଁ ଘଣ୍ଟା ଘଣ୍ଟା ହେଲା ବଡ଼ଦାଣ୍ଡରେ ଶ୍ରଦ୍ଧାଳୁମାନେ ଅପେକ୍ଷାରେ ଅଛନ୍ତି ।

ସୂଚନା ଅନୁଯାୟୀ, ପୁରୀ ବଡ ଦେଉଳରେ ପୁଣିଥରେ ମହାପ୍ରଭୁଙ୍କ ନୀତି ବିଳମ୍ବିତ ହୋଇଛି । ଏନେଇ ଭକ୍ତମାନେ ବାହାରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷା କରି ରହିଛନ୍ତି । ନୀତି ବିଳମ୍ବକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଘଟଣାସ୍ଥଳରେ ନୀତି ବିଳମ୍ବକୁ ନେଇ ଏସପି ଅନୁଧ୍ୟାନ କରୁଛନ୍ତି ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା ପାଇଁ ଅନେକ ସେବାୟତ ରହିଛନ୍ତି, ହେଲେ ବାରମ୍ବାର ମହାପ୍ରଭୁଙ୍କ ଏପରି ନୀତି ବିଳମ୍ବ ଘଟଣା କାହିଁକି ହେଉଛି, ସେନେଇ ଏସପି ଅନୁଧ୍ୟାନ କରୁଛନ୍ତି । ଅନ୍ୟପଟେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ବାହାରୁ ଆସୁଥିବା ଅନେକ ଶ୍ରଦ୍ଧାଳୁ ବାହାରେ ଅପେକ୍ଷା କରୁଛନ୍ତି ।

ରଥଯାତ୍ରା ଉପଲକ୍ଷେ ଆଜି ଅପରାହ୍ନରେ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ବସିବ । ନୀଳାଦ୍ରି ଭକ୍ତ ନିବାସ ସମ୍ମିଳନୀ କକ୍ଷରେ ହେବାକୁ ଥିବା ଏହି ବୈଠକରେ ଆଗାମୀ ସ୍ନାନଯାତ୍ରା ଏବଂ ଅନ୍ୟାନ୍ୟ ନୀତିକାନ୍ତି ସଂପର୍କରେ ଆଲୋଚନା କରାଯିବା ସହ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ବ୍ୟବସ୍ଥାବଳୀ ଅନୁମୋଦନ କରାଯିବ ବୋଲି ଜଣାଯାଇଛି ।

ତେବେ ଗତକାଲି ଭକ୍ତମାନେ ମହାପ୍ରସାଦ ନପାଇ ଫେରିଯିବା କଥା ମଧ୍ୟ ସାମ୍ନାକୁ ଆସିଛି । ହଜାର ହଜାର ଲୋକଙ୍କ ପାଇଁ ରନ୍ଧା ମହାପ୍ରସାଦକୁ ଫିଙ୍ଗାଯାଇଛି । ଯାହାର କ୍ଷତି ଭରଣା ପାଇଁ ସୁଆର ମହାସୁଆର ନିଯୋଗ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାବି କରିବ ବୋଲି କହିଛି । ଗତକାଲି ସାବିତ୍ରୀ ବ୍ରତି ଥିବାରୁ ପୁରୀ ସହର ଓ ଅନ୍ୟ ଅଂଚଳର ବହୁ ସଂଖ୍ୟାରେ ଲୋକେ ମହାପ୍ରସାଦ ପାଇଁ ଆସିଥିଲେ । କିନ୍ତୁ ଏମାନେ ଆନନ୍ଦ ବଜାରକୁ ଆସିପାରିନଥିଲେ । ଏନେଇ ପ୍ରଶାସନ ଦୃଷ୍ଟି ଆକର୍ଷଣ କରିବା ସତ୍ତେ୍ୱ ଏହାର ସମାଧାନର ବାଟ ଖୋଲୁନି ।

Get real time updates directly on you device, subscribe now.