ନୂଆଦିଲ୍ଲୀ:ନୂଆ ସଂସଦ ଭବନ ଉଦଘାଟନକୁ ନେଇ ଆରମ୍ଭ ହୋଇଥିବା ବିବାଦ ଥମିବାର ନା ଧରୁନାହିଁ । ଏହି ମାମଲାରେ ଏବେ ବହୁଜନ ସମାଜବାଦୀ ପାର୍ଟି ସାଂସଦ ମାୟାବତୀଙ୍କ ବୟାନ ସାମ୍ନାକୁ ଆସିଛି । ମାୟାବତୀ ଗୋଟିଏ ପଟେ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରିବା ସହିତ ଅନ୍ୟପଟେ ଅନ୍ୟ ରାଜନୈତିକ ଦଳ ମାନଙ୍କର ବିରୋଧକୁ ଅନୁଚିତ ବୋଲି କହିଛନ୍ତି । ଅନ୍ୟପକ୍ଷରେ ସେ ସ୍ପଷ୍ଟ କରିଛନ୍ତି ଯେ,ଏହି ଆୟୋଜନରେ ସେ ସାମିଲ ହୋଇପାରିବେ ନାହିଁ ।
ଏଠାରେ ସୂଚାଇ ଦିଆଯାଇପାରେ ଯେ, ନୂଆ ସଂସଦ ଭବନର ଉଦଘାଟନକୁ ନେଇ ଏବେ ବିବାଦ ବଢିବାରେ ଲାଗିଛି । ମେ ୨୮ ତାରିଖ ଯେତେ ଯେତେ ପାଖେଇ ଆସୁଛି ସେତେ ସେତେ ବିରୋଧ ଓ ସମର୍ଥନର ଜୁଆର ଓ ଭଟ୍ଟା ବଢିବାରେ ଲାଗିଛି । ଏବେ ଏହି ମାମଲାରେ ବିଏସପି ସୁପ୍ରିମୋ ସୁଶ୍ରୀ ମାୟାବତୀଙ୍କ ବୟାନ ସାମ୍ନାକୁ ଆସିଛି । ମାୟାବତୀ କହିଛନ୍ତି ସଂସଦର ନିର୍ମାଣ ସରକାର କରାଇଛନ୍ତି ତେଣୁ ତାଙ୍କର ସଂପୂର୍ଣ୍ଣ ହକ୍ ରହିଛି ତାହା ଉଦଘାଟନ କରିବାର । ଅନ୍ୟପକ୍ଷରେ ତାଙ୍କୁ ଏହି ସମାରୋହକୁ ନିମନ୍ତ୍ରଣ ପଠାଯାଇଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି । କିନ୍ତୁ ସେ ଏହି ସମାରୋହରେ ସାମିଲ ହୋଇପାରିବେ ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି ।ତାଙ୍କର କିଛି ବ୍ୟକ୍ତିଗତ ଜରୁରୀ କାର୍ଯ୍ୟକ୍ରମ ରହିଥିବାରୁ ସେ ଏଥିରେ ଯୋଗ ଦେଇ ପାରିବେନି ବୋଲି କହିଛନ୍ତି ।
ମାୟାବତୀ କହିଛନ୍ତି କେନ୍ଦ୍ରରେ କଂଗ୍ରେସ ସରକାର ରହୁ କି ବିଜେପି ବିଏସପି ସର୍ବଦା ଜନହିତ ନିହିତ ପ୍ରସଙ୍ଗରେ ଦଳଗତ ରାଜନୀତିର ଉପରକୁ ଉଠି ତାହାକୁ ସମର୍ଥନ କରିଛି । ୨୮ ମେରେ ହେଉଥିବା ସଂସଦ ଭବନ ଉଦଘାଟନ କାର୍ଯ୍ୟକ୍ରମକୁ ମୁଁ ହୃଦୟରୁ ସ୍ୱାଗତ କରୁଛି । ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୂଙ୍କ ଦ୍ୱାରା ସଂସଦ ଭବନ ଉଦଘାଟନ କରା ନ ଯିବାକୁ ନେଇ ରାଜନୀତି କରି ଏହି କାର୍ଯ୍ୟକ୍ରମକୁ ବର୍ଜନ କରିବା ଅନୁଚିତ ବୋଲି ସେ କହିଛନ୍ତି । ଏହି ପ୍ରସଙ୍ଗକୁ ଆଦିବାସୀ ମହିଳା ସମ୍ମାନ ସହ ଯୋଡିବା ମଧ୍ୟ ଅନୁଚିତ ।