fbpx

ସତରେ ବଡ଼ ଚମତ୍କାର! ନିମ ପତ୍ର ଖାଇଲେ ଲାଗୁଛି ମିଠା, ମାଆ ଚଣ୍ଡୀଙ୍କର ରହିଛି ଅଶେଷ କୃପା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ ନିମପତ୍ର ଖାଇଲେ ପିତା ଲାଗେ । ଏକଥା ଆମେ ସମସ୍ତେ ଜାଣିଛେ । ତେବେ ଯଦି ଆପଣଙ୍କୁ କୁହାଯିବ ନିମପତ୍ର ଖାଇଲେ ମିଠା ଲାଗୁଛି ତେବେ ଆପଣମାନେ କେବେ ବି ବିଶ୍ୱାସ କରିବେ ନାହିଁ । ତେବେ ମାଆ ଚଣ୍ଡୀଙ୍କ କୃପାରୁ ଏଭଳି ଅବିଶ୍ୱସନୀୟ କଥା ସତ୍ୟରେ ପରିଣତ ହୋଇଛି । ମାଆଙ୍କ ମନ୍ଦିର ପରିସରରେ କାହିଁ କେତେ ବର୍ଷ ଧରି ରହିଆସିଥିବା ଏହି ନିମ ପତ୍ର ଖାଇଲେ ମନସ୍କାମନା ମଧ୍ୟ ପୂରଣ ହେଉଥିବା ଅଞ୍ଚଳବାସୀ କହୁଛନ୍ତି ।

ବାଲେଶ୍ୱର ଜିଲ୍ଲାର ଖଇରା ବ୍ଲକ ଅନ୍ତର୍ଗତ ମାଣିତ୍ରୀ ପଞ୍ଚାୟତରେ ଦେଖିବାକୁ ମିଳିଛି ମାଆଙ୍କର ଏପରି ନିଆରା ଅନୁଭବ । ଆଜିକୁ ପାଖାପାଖି ୨୦୦ ବର୍ଷ ପୂର୍ବରୁ କେନ୍ଦୁଝର ଜିଲ୍ଲା ଢେଙ୍କା ନିକଟସ୍ଥ ବାଲିଗୁରେଇ ଅଞ୍ଚଳରେ ମା’ ଚଣ୍ଡୀ ପୂଜା ପାଉଥିଲେ । ତେବେ ସେଠାରେ ମାଆଙ୍କ ପ୍ରତି ଅନ୍ୟାୟ ହେବାରୁ ତାଙ୍କୁ ଅନ୍ୟ ସ୍ଥାନକୁ ନେଇ ଯିବାକୁ ମାଆ ସ୍ୱପ୍ନାଦେଶ ଦେଇଥିଲେ । ଏହାପରେ ଜଳଙ୍ଗ ଗ୍ରାମର ଜଣେ ବ୍ୟକ୍ତି ମାଆଙ୍କ ପ୍ରତିମାକୁ କାନ୍ଧରେ ବୋହି ଆଣି ଜଳଙ୍ଗ ଗ୍ରାମର ଏକ ନିମ ଗଛ ମୂଳେ ରଖିଥିଲେ ।

ତେବେ ପରବର୍ତ୍ତୀ ସମୟରେ ଶତ ଚେଷ୍ଟା କରାଯାଇଥିଲେ ହେଁ ମାଆଙ୍କର ମୂର୍ତ୍ତିକୁ ଗଛ ମୂଳରୁ ଅନ୍ୟ ସ୍ଥାନକୁ ନେବା ସମ୍ଭବ ହୋଇ ପାରିନଥିଲା । ବୋଧହୁଏ ତାହା ହିଁ ମାଆଙ୍କର ଉଦ୍ଦେଶ୍ୟ ରହିଥିଲା । ପରବର୍ତ୍ତୀ ସମୟରେ ମାଆଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରାଯାଇଥିଲା । ମାଆ ଜଣେ ପ୍ରତ୍ୟକ୍ଷ ଠାକୁରାଣୀ ହୋଇଥିବାରୁ ତାଙ୍କ ନିକଟକୁ ବହୁ ଦୂରଦୂରାନ୍ତରୁ ଭକ୍ତମାନେ ଧାଇଁ ଆସିଥାନ୍ତି । ମାଆଙ୍କ ଦର୍ଶନ କରିବାକୁ ଯିଏ ଆସନ୍ତି ସେ ପ୍ରଥମେ ନିମପତ୍ର ଖାଇ ମାଆଙ୍କୁ ନିଜର ଦୁଃଖ ଜଣାଇଥାନ୍ତି । ତେବେ ଭକ୍ତଙ୍କର ବହୁ ବଡ଼ ବଡ଼ ସମସ୍ୟା ମାଆ ହରଣ କରିନେଉଥିବା ଅନେକ କହିଛନ୍ତି ।

Get real time updates directly on you device, subscribe now.