ଇମ୍ଫାଲ:ମଣିପୁର ରାଜଧାନୀ ଇମ୍ଫାଲରେ ହିଂସାକାରୀ ମାନେ ରବିବାର ଏକ ଆମ୍ବୁଲାନ୍ସରେ ନିଆଁ ଲଗାଇ ଦେଇଥିଲେ । ଏଥିରେ କୁକୀ ସଂପ୍ରଦାୟର ଜଣେ ପୁରୁଷଙ୍କ ସହ ବିବାହ କରିଥିବା ଜଣେ ମେଇତି ମହିଳା, ତାଙ୍କ ପୁଅ ଓ ସଂପର୍କୀୟ ମୃତ୍ୟୁବରଣ କରିଛନ୍ତି । ପୀଡିତଙ୍କ ଗ୍ରାମର ଜଣେ ସଂପର୍କୀୟ ଏକ ସମ୍ବାପତ୍ରକୁ ଏ ବିଷୟରେ ସୂଚନା ଦେଇଛନ୍ତି ।
ଆକ୍ରମଣ ସେହି ସମୟରେ ହୋଇଥିଲା ଯେତେବେଳେ ଆମ୍ବୁଲାନ୍ସ ଏକ ଶିଶୁକୁ ଧରି ହସ୍ପିଟାଲ୍ ଯାଉଥିଲା ଓ ପୋଲିସ କର୍ମୀଙ୍କ ଦ୍ୱାରା ଯାନବାହନ ସବୁକୁ ନିୟନ୍ତ୍ରଣ କରାଯାଉଥିଲା । ଏହି ଘଟଣା ଲାମ୍ଫେଲ ପୋଲିସ ଥାନା ଅନ୍ତର୍ଗତ ପଶ୍ଚିମ ଇମ୍ପାଲର ଇରୋଇସେମ୍ବା ଅଞ୍ଚଳରେ ଘଟିଛି । ଷ୍ଟେସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ରବିବାର ସନ୍ଧ୍ୟା ୭ ଟାରେ ଏକ ଆମ୍ବୁଲାନ୍ସରେ ନିଆଁ ଲଗାଇ ଦିଆଯାଇଥିଲା । ତେବେ ଏହି ଘଟଣାରେ ପୋଲିସ ଆମ୍ବୁଲାନ୍ସ ମଧ୍ୟରୁ କେବଳ କିଛି ହାଡ ଜବତ କରିଛି ।
ଏହି ମାମଲାରେ ପୋଲିସ ପକ୍ଷରୁ ସେହି ରାତିରେ ଏକ ଏଫ୍ ଆଇଆର୍ ରୁଜୁ କରାଯାଇଛି । ଏହି ତିନିଜଣ ମୃତକଙ୍କ ମଧ୍ୟରେ ରହିଥିଲେ ମୀନା ହେଗିଙ୍ଗ, ତାଙ୍କ ପୁଅ ଟାମାଶିଙ୍ଗ(ବୟସ ୭ ବର୍ଷ), ଏବଂ ମୀନାଙ୍କ ଜଣେ ସଂପର୍କୀୟ ଲିଡିଆ ଲୋରେବମ୍ବ ।
ଏଠାରେ ସୂଚାଇ ଦିଆଯାଇପାରେ ଯେ, ମଣିପୁରରେ ପ୍ରାୟ ଏକ ମାସ ଧରି ଲାଗି ରହିଥିବା ଜାତିଗତ ହିଂସାରେ ୯୮ଜଣ ମୃତ୍ୟୁ ମୁଖରେ ପଡି ସାରିଥିବା ବେଳେ ୩୧୦ରୁ ଅଧିକ ଆହତ ହୋଇଛନ୍ତି ।