fbpx

ଟ୍ରେନ ଟ୍ରାଜେଡି: ଏହିମାନଙ୍କ ଭୁଲ ପାଇଁ ହୋଇଥିଲା କରମଣ୍ଡଳ ଦୁର୍ଘଟଣା! ୫ ଜଣଙ୍କୁ ନେଇଗଲା ସିବିଆଇ

ବାଲେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣା ପରେ ସାରା ଦେଶରେ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏଭଳି ଏକ ସଙ୍ଗୀନ ମାମଲାର ତଦନ୍ତ ଦାୟିତ୍ୱ ସିବିଆଇ ହାତରେ ଦେଇଛନ୍ତି ସରକାର । ତେଣୁ ସିବିଆଇ ମଧ୍ୟ ଏହାକୁ ନେଇ ଖୋଳତାଡ ଆରମ୍ଭ କରି ଦେଇଛି । ତେବେ ଦୁର୍ଘଟଣାକୁ ୧୧ ଦିନ ବିତିଯିବା ପରେ ମାମଲାରେ ଏକ ନୂଆ ଟ୍ୱିଷ୍ଟ ଆସିଛି । ତଦନ୍ତ ମଧ୍ୟରେ ସିବିଆଇ ୫ ଜଣଙ୍କୁ ନେଇ ଯାଇଥିବା ଜାଣିବାକୁ ମିଳିଛି । ଏହାପରେ ଭୟଙ୍କର ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇପାରେ ବୋଲି ଆଶା କରାଯାଉଛି ।

ସୂଚନା ଅନୁସାରେ, ବାଲେଶ୍ୱର ଟ୍ରେନ ଟ୍ରାଜେଡି ଉପରୁ ପରଦା ଉଠାଇବା ପାଇଁ ସିବିଆଇ ନେଇଛି ଏକ ବଡ ପଦକ୍ଷେପ । ବାହାନଗାର ଆସିଷ୍ଟାଣ୍ଟ ଷ୍ଟେସନ ମ୍ୟାନେଜର ଏବଂ ସିଗନାଲ ଷ୍ଟାଫଙ୍କ ସହ ୫ ଜଣଙ୍କୁ ନେଇଯାଇଛି ତଦନ୍ତକାରୀ ଟିମ୍ । ଦୁର୍ଘଟଣା ଦିନ ୪ ଜଣ ସିଗନାଲ ଷ୍ଟାଫ ସିଗନାଲ ଟେଷ୍ଟ ନ କରି ଘରକୁ ପଳାଇ ଯାଇଥିଲେ । ଯେଉଁଥିପାଇଁ ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟି ଯାଇଥିବା ସନ୍ଦେହ କରାଯାଉଛି । ତେବେ ଏହି ୫ ଜଣଙ୍କୁ ବର୍ତ୍ତମାନ ସିବିଆଇ ପଚରାଉଚରା କରି ଦୁର୍ଘଟଣାର କାରଣ ବିଷୟରେ ସ୍ପଷ୍ଟ ସୂଚନା ଜାଣିବାକୁ ଚେଷ୍ଟା କରିବ । ତେଣୁ ଖୁବଶୀଘ୍ର ମାମଲାରେ କିଛି ନୂଆ ତଥ୍ୟ ସାମନାକୁ ଆସିବା ସହ ଦୁର୍ଘଟଣାର ପ୍ରକୃତ କାରଣ ଜାଣିହେବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.