fbpx

ରାଜ୍ୟର ପ୍ରତି ବ୍ଲକରେ ଖୋଲିବ ଆଦର୍ଶ ପ୍ରାଥମିକ ସ୍କୁଲ: ଗଣଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହେଲା ‘ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ’ କାର୍ଯ୍ୟକ୍ରମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଛାତ୍ରଛାତ୍ରୀଙ୍କୁ ଶିକ୍ଷାକ୍ଷେତ୍ରରେ ଅଗ୍ରସର କରାଇବା ଲକ୍ଷ୍ୟରେ ରାଜ୍ୟ ସରକାର ଅନେକ ଯୋଜନା ଲାଗୁ କରୁଛନ୍ତି । ତେବେ ଏଣିକି ପ୍ରତ୍ୟେକ ବ୍ଲକରେ ପ୍ରସ୍ତୁତ ହେବ ଆଦର୍ଶ ପ୍ରାଥମିକ ସ୍କୁଲ । ପିଲାଙ୍କ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ବୃଦ୍ଧି (ଏଫଏଲଏନ) କ୍ଷେତ୍ରରେ ନୂଆ ପଦକ୍ଷେପ ଗ୍ରହଣ କରାଯିବ । ସ୍କୁଲମାନଙ୍କରେ ଟିଭି ଲଗାଯିବା ସହିତ ଖେଳକୁଦ ମାଧ୍ୟମରେ ପିଲାମାନେ ପାଠ ପଢ଼ିବେ । କୁନି କୁନି ପିଲାମାନେ କିପରି ନିଜକୁ ଶୈକ୍ଷିକ ପରିବେଶ ସହିତ ଜଡ଼ିତ କରିପାରିବେ, ସେନେଇ ଆନୁଷଙ୍ଗିକ କ୍ଷେତ୍ରକୁ ଗୁରୁତ୍ୱ ଦିଆଯିବ ।

ଏନେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ‘ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ’ ନାମରେ ଏକ ଅଭିନବ ଯୋଜନା ଆରମ୍ଭ କରାଯାଇଛି । ପିଲାଙ୍କୁ ତୃଣମୂଳ ସ୍ତରରୁ ସାହିତ୍ୟ ଓ ଗଣିତରେ ଦକ୍ଷ କରାଯିବା ନେଇ ଗୁରୁତ୍ୱ ଦିଆଯିବ । ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ପୁସ୍ତକ ମାଧ୍ୟମରେ ପାଠ ପଢ଼ାଯିବା ସହିତ ପିଲାଙ୍କ ସମନ୍ୱିତ ଓ ସାମଗ୍ରିକ ବିକାଶ ପାଇଁ ଗୁରୁତ୍ୱ ଦିଆଯିବ । ଏଫଏଲଏନକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବା ପାଇଁ ବ୍ଲକର ସିଟି ସ୍କୁଲଗୁଡ଼ିକ ଦାୟିତ୍ୱ ନେବେ ।

ରାଜ୍ୟର ପ୍ରତି ବ୍ଲକରୁ ଗୋଟିଏ ଲେଖାଏଁ ମଡେଲ ସ୍କୁଲ ଚିହ୍ନଟ କରାଯିବ । ଶ୍ରେଣୀଗୃହରେ ସ୍ୱଚ୍ଛତା, ବିଜୁଳି ସେବା ସହିତ ଅନ୍ୟାନ୍ୟ ବ୍ୟବସ୍ଥାର ସୁବିଧା କରାଯିବ । ସ୍କୁଲ କାନ୍ଥକୁ ନିଆରା ଚିତ୍ରିତ କରାଯିବା ସହିତ ଶ୍ରେଣୀଗୃହମାନଙ୍କରେ ସଂଖ୍ୟା ଓ ଭାଷାର ଅଭିନବ ଚିତ୍ର ଅଙ୍କିତ କରାଯିବ । ମଡେଲ ସ୍କୁଲମାନଙ୍କରେ ଗୋଟିଏ ସ୍ମାର୍ଟ ଟିଭି ଲଗାଯିବ । ପିଲାଙ୍କୁ କାର୍ଟୁନ, ଷ୍ଟୋରୀ ଟେଲିଂ, ଶିଶୁ ଗୀତ, କବିତା ଆବୃତ୍ତି ଆଦି ସୁବିଧା ପ୍ରଦାନ କରାଯିବ । ଫଳରେ ପିଲାମାନଙ୍କର ସୃଶଜନଶୀଳତା ବୃଦ୍ଧି ହେବା ସହତ ସେମାନେ ଶିକ୍ଷା ଆହରଣ କରିପାରିବେ । ଏଥିସହିତ କ୍ୟାରମ ବୋର୍ଡ, ଲୁଡୁ, ବିଭିନ୍ନ ପଶୁ, ପକ୍ଷୀ ଆକୃତିର ଖେଳନା ପିଲାଙ୍କୁ ଯୋଗାଇ ଦିଆଯିବ । ଜଣେ ଦକ୍ଷ ଶିକ୍ଷକଙ୍କୁ ଏହି ଦାୟିତ୍ୱ ଦିଆଯିବା ସହିତ କାର୍ଯ୍ୟକ୍ରମ ପରିଚାଳନା ଦାୟିତ୍ୱରେ ଡିଇଓ, ବିଇଓଙ୍କ ସମେତ ଡିପିସି, ସିଆରସିସି ପ୍ରମୁଖ ରହିବେ ।

Get real time updates directly on you device, subscribe now.