fbpx

ଏଣିକି ମହାନଗର ନିଗମର ଶିକ୍ଷା ବ୍ୟବସ୍ଥାକୁ ପରିଚାଳନା କରିବେ ସିଟି ଶିକ୍ଷା ଅଧିକାରୀ: ଗଣଶିକ୍ଷା ବିଭାଗର ନୂଆ ପଦକ୍ଷେପ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଶିକ୍ଷାର ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ଏହା ମଧ୍ୟରେ ରାଜ୍ୟ ସରକାର ମହାନଗର ନିଗମ ଅଞ୍ଚଳର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ୀକରଣ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ମହାନଗର ନିଗମ ଅଞ୍ଚଳର ଶିକ୍ଷାକୁ ପ୍ରାଧାନ୍ୟ ଦେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛି । ରାଜ୍ୟର ୫ଟି ମହାନଗର ନିଗମର ସ୍କୁଲଗୁଡ଼ିକର ସୁପରିଚାଳନା ପାଇଁ ସିଟି ଶିକ୍ଷା ଅଧିକାରୀ (ସିଇଓ) ନିଯୁକ୍ତି ଦେବା ପାଇଁ ବିଭାଗ ଯୋଜନା କରିଛି ।

ପୂର୍ବରୁ ରାଜ୍ୟର ମହାନଗର ନିଗମ ଅଞ୍ଚଳର ଶିକ୍ଷାନୁଷ୍ଠାନଗୁଡ଼ିକର ସମସ୍ୟାର ସମାଧାନ ପାଇଁ ଅନେକ ସମସ୍ୟା ଦେଖାଦେଉଥିଲା । ଏଣିକି ସିଇଓଙ୍କ ନିକଟରେ ମହାନଗର ନିଗମର ଶିକ୍ଷା ବ୍ୟବସ୍ଥାର ପରିଚାଳନା କ୍ଷମତା ରହିବ । ଶିକ୍ଷା ସମ୍ପର୍କିତ କ୍ଷେତ୍ର ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କ ଅନୁମତି ପାଇଁ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଶିକ୍ଷା ବ୍ୟବସ୍ଥା ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୬ଟି ଟାସ୍କ ଫୋର୍ସ ଗଠନ ହୋଇଥିବା ବେଳେ ସହରାଞ୍ଚଳ ପାଇଁ ଉଦ୍ଦିଷ୍ଟ ଟାସ୍କଫୋର୍ସ ଏ ଦିଗରେ ଦାୟିତ୍ୱ ନେବ ।

ରାଜ୍ୟର ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ପରି ୫ଟି ମହାନଗର ନିଗମ ପାଇଁ ସ୍ୱତନ୍ତ୍ର ଶିକ୍ଷା ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏଣିକି ମହାନଗର ନିଗମ ଅଞ୍ଚଳର ସ୍କୁଲଗୁଡ଼ିକ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ୱାରା ପରିଚାଳିତ ନହୋଇ ସିଟି ଶିକ୍ଷାଧିକାରୀ (ସିଇଓ)ଙ୍କ ଦ୍ୱାରା ପରିଚାଳିତ ହେବ । ପ୍ରାଥମିକ ଭାବେ ପ୍ରତି ମହାନଗର ନିଗମରେ ଜଣେ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ (ଏଡିଇଓ)ଙ୍କୁ ସିଇଓ ଭାବେ ନିଯୁକ୍ତି ଦିଅଯିବ । ସମ୍ପୃକ୍ତ ଏଡିଓଙ୍କୁ ଜିଲ୍ଲାପାଳ ଚୟନ କରିବେ । ୫ଟି ମହାନଗର ନିଗମରେ ଏହା ପାଇଲଟ୍ ପ୍ରୋଜେକ୍ଟ ଭାବେ ଲାଗୁ ହେବାକୁ ଥିବାବେଳେ ଅଗାମୀ ଦିନରେ ରାଜ୍ୟର ଅନ୍ୟ ପୌରାଞ୍ଚଳରେ ଏହାକୁ ଲାଗୁ କରାଯିବ ।

Get real time updates directly on you device, subscribe now.