fbpx

ମୋଦୀ ହିଁ ଆମ ସମସ୍ତଙ୍କ ପାଳନ କର୍ତ୍ତା, ସମସ୍ତଙ୍କ ପାଇଁ କାମ କରି କରି ବୁଢା ହୋଇଗଲାଣି ମୋ ପୁଅ ବୋଲି କହିଲେ ଶତାୟୁ ମହିଳା

ରାଜଗଡ: ମଧ୍ୟପ୍ରଦେଶ ରାଜଗଡରେ ରହୁଥିବା ଜଣେ ଶତାୟୁ ମହିଳାଙ୍କ ଭିଡିଓ ଏବେ ଦ୍ରୁତ ଗତିରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓରେ ମହିଳା ଜଣକ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରୁଥିବା ନଜର ଆସୁଛନ୍ତି । କେବଳ ଏତିକି ନୁହେଁ ସେ ନିଜର ୨୫ ବିଘା ଅର୍ଥାତ୍ ୮ ଏକରରୁ ଅଧିକ ଜମି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମରେ କରିବାକୁ ଘୋଷଣା କରିଛନ୍ତି ।
ଏହି ବୟସ୍କ ମହିଳାଙ୍କ ନାମ ମାଙ୍ଗିବାଇ ଓ ସେ ଜିଲ୍ଲା ମୁଖ୍ୟାଳୟ ଠାରୁ ୬୫ କିଲୋମିଟର ଦୂର ହରିପୁରା ଜାଗୀର ଗାଁରେ ରୁହନ୍ତି । ଏକ ଗଣମାଧ୍ୟମକୁ ମାଙ୍ଗିବାଇ କହିଛନ୍ତି , ମୋଦୀ ମୋର ପୁଅ । ସେ ଆମକୁ ଚାଉଳ, ଗହମ, ଖାଦ୍ୟ ଶସ୍ୟ ଯୋଗାଉଛନ୍ତି । ଆମର ଚିକିତ୍ସା ମାଗଣାରେ କରାଉଛନ୍ତି । ଫସଲ ନଷ୍ଟ ହେଲେ କ୍ଷତିପୂରଣ ଦେଉଛନ୍ତି । ତୀର୍ଥଯାତ୍ରା କରାଉଛନ୍ତି । ରହିବା ଲାଗି କଲୋନୀରେ ଘର ଦେଇଛନ୍ତି । ମୋତେ ବିଧବା ପେନସନ୍ ଦେଉଛନ୍ତି ।

ମାଙ୍ଗିବାଇ କହିଛନ୍ତି ମୁଁ ତାଙ୍କୁ କେବେ ସାମ୍ନାସାମ୍ନି ଭେଟି ନାହିଁ । କେବଳ ଯାହା ଟିଭିରେ ଦେଖିଛି । ମୁଁ ମୋ ପୁଅକୁ ଥରେ ଆଖି ପୁରାଇ ଦେଖିବାକୁ ଚାହୁଁଛି । ତା ମୁଣ୍ଡରେ ହାତ ରଖି ତାକୁ ଆଶୀର୍ବାଦ କରିବାକୁ ଚାହୁଁଛି । ମୋର ମୋ ପୁଅ ନିକଟରେ କେବଳ ଏତିକି ଅଭିଯୋଗ ଅଛି ଯେ, ମୋ ପେନସନ୍ ପଇସା କିଛି ବଢାଇ ଦିଅନ୍ତୁ । ମାଙ୍ଗିବାଇ କହିଛନ୍ତି ତାଙ୍କର ୧୪ ଜଣ ସନ୍ତାନ ସନ୍ତତି ଅଛନ୍ତି । ୧୨ ଜଣ ପୁଅ ଓ ଦୁଇ ଝିଅ । କିନ୍ତୁ ମୋର ସବୁଠାରୁ ପ୍ରିୟ ପୁଅ ନରେନ୍ଦ୍ର ମୋଦୀ । ମୋଦୀ ମୋର ଯେତିକି କାମରେ ଆସୁଛନ୍ତି ସେତିକି କାମରେ ତ ମୋ ପୁଅମାନେ ବି ଆସୁ ନାହାନ୍ତି । ମାଙ୍ଗିବାଇ ନିଜ ଘରର କାନ୍ଥରେ ମୋଦୀଙ୍କ ଫଟୋ ଲଗାଇନ୍ତି । ପ୍ରତିଦିନ ସକାଳୁ ଉଠି ସେ ମୋଦୀଙ୍କ ଫଟୋ ଦେଖନ୍ତି । ମୋଦୀ ହିଁ ଆମ ସମସ୍ତଙ୍କ ପାଳନ କର୍ତ୍ତା । ମୁଁ ମୋ ୨୫ ବିଘା ଜମି ମୋଦୀଙ୍କୁ ହିଁ ଦାନ କରିଦେବି ।

ସେ ଆହୁରି କହିଛନ୍ତି କରୋନା ସମୟରେ ବି ମୋଦୀ ଆମକୁ ବଞ୍ଚାଇଥିଲେ । ଲୋକଙ୍କ ପାଇଁ କାମ କରି କରି ମୋ ପୁଅ ବୁଢା ହୋଇଗଲାଣି । ତେବେ ଗତ ୨୨ ଜୁନ୍ ରେ ବିଜେପି କାର୍ଯ୍ୟକର୍ତ୍ତା ମୋଦୀଙ୍କ ପ୍ରଧାନମନ୍ତ୍ରୀ ହେବାର ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶ ଯୋଜନାର ପତ୍ର ବାଣ୍ଟିବା ଲାଗି ହରିପୁରା ଜାଗୀର ଗ୍ରାମ ଯାଇଥିଲେ । ଏହି ସମୟରେ ସେମାନଙ୍କର ମାଙ୍ଗିବାଇଙ୍କ ସହ ସାକ୍ଷାତ ହୋଇଥିଲା ଓ ସେମାନେ ମାଙ୍ଗିବାଇଙ୍କ ସହ ହୋଇଥିବା ଆଲୋଚନାର ଭିଡିଓ ପ୍ରସ୍ତୁତ କରିଥିଲେ । ଏବେ ମାଙ୍ଗିବାଇଙ୍କ ଏହି ଭିଡିଓ ସୋସିଆଲ୍ ମିଡିଆରେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି ।

 

Get real time updates directly on you device, subscribe now.