ଜୟପୁର: ରାଜସ୍ଥାନ ଢୋଲପୁର ଜିଲ୍ଲାର ଜଣେ ମହିଳାଙ୍କୁ ୩ ଭାଇ ମିଶି ଜୀବନରୁ ମାରିଦେଇଥିବା ଖବର ସାମ୍ନାକୁ ଆସିଛି । ଏହି ହତ୍ୟା ସଂପର୍କରେ ମୃତକଙ୍କ ଭାଉଜ ଥାନାରେ ରିପୋର୍ଟ ଦାଖଲ କରିଛନ୍ତି। ମହିଳାଙ୍କୁ ହତ୍ୟା ପରେ ତାଙ୍କ ଦୁଇ ପାଦ ବନ୍ଧାଯାଇ ପୋଖରୀରେ ଫିଙ୍ଗି ଦିଆଯାଇଛି । ପୋଲିସ ଅଭିଯୁକ୍ତ ମାନଙ୍କୁ ଖୋଜିବାରେ ଲାଗିଛି ।
ବସାଇ ଡାଙ୍ଗ ଷ୍ଟେସନ ହାଉସ ଅଧିକାରୀ ମୋହନ ସିଂ କହିଛନ୍ତି ଯେ, ମହିଳା ଜଣକ ଅନୀତା ପ୍ରଜାପତ (୩୫) ବୋଲି ଜଣାପଡିଛି। ସେ ଆଗ୍ରା ନିବାସୀ ଥିଲେ। ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ଅନୀତାଙ୍କ ସ୍ୱାମୀ ମାନସିକ ସ୍ତରରେ ଅସୁସ୍ଥ ଅଛନ୍ତି। ଏହି କାରଣରୁ ସେ ତାଙ୍କ ସ୍ୱାମୀଙ୍କ ସହ ଆଗ୍ରାସ୍ଥିତ ଏକ ଭଡା ଘରେ ରହୁଥିଲେ। ସେଠାରେ ସେ ଅନ୍ୟ ଜଣେ ଭଡାଟିଆଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ। ତାଙ୍କ ବେଆଇନ ସମ୍ପର୍କ ବିଷୟରେ ପିତା ଘର ପକ୍ଷ ଜାଣିବାକୁ ପାଇଥିଲେ। କୁହାଯାଉଛି ଯେ, ଭାଇମାନେ ମହିଳାଙ୍କୁ ଏହା ବିଷୟରେ ବୁଝାଇଥିଲେ କିନ୍ତୁ ଏହାର କୌଣସି ପ୍ରଭାବ ପଡି ନଥିଲା। ଜୁନ୍ ୨୨ରେ, ମହିଳାଙ୍କ ଭାଇ ଲୋକେଶ, ରାଜୁ ଏବଂ ବିକାଶ ତାଙ୍କୁ ବାପ ଘରକୁ ନେବା ବାହାନା କରି ଶାଶୁଘର ଘରୁ ନେଇ ଯାଇଥିଲେ। ଏହା ପରେ ଶୁକ୍ରବାର ଦିନ ବସାଇ ଡାଙ୍ଗ ଅଞ୍ଚଳର ନିବି କା ତାଲରେ ମହିଳାଙ୍କ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଥିଲା।
ମହିଳାଙ୍କ ଗୋଡରେ ବନ୍ଧା ହୋଇଥିବାରୁ ପୋଲିସ ହତ୍ୟା ସନ୍ଦେହ କରିଥିଲା। ପରେ ମହିଳାଙ୍କ ପରିଚୟ ପରେ ତାଙ୍କ ତିନି ଭାଇଙ୍କ ବିରୋଧରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ଅନୀତା ତାଙ୍କ ଭାଇମାନଙ୍କର ଏକମାତ୍ର ଭଉଣୀ ଥିଲେ। ଅନୀତାଙ୍କର ଚାରି ଭାଇ ଅଛନ୍ତି। ପୋଲିସ ଷ୍ଟେସନରେ ମାମଲା ପଞ୍ଜିକରଣ କରିବା ପରେ ପୋଲିସ ଶନିବାର ପୋଷ୍ଟମର୍ଟମ କରି ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିଛି। ତେବେ ପୁରା ଘଟଣାର ତଦନ୍ତରେ ପୋଲିସ ନିୟୋଜିତ ଅଛି।