ଟେକ୍ସାସ:ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଗତ ରବିବାର ଏହାର ୩୭୮ ଦିବସୀୟ ମିଶନ ଆରମ୍ଭ କରିଛି । ଏଥିରେ ୪ ଜଣିଆ ଏକ ଦଳକୁ ଟେକ୍ସାସ୍ ର ହୁଷ୍ଟନସ୍ଥିତ ଜନସନ୍ ସ୍ପେସ୍ ସେଣ୍ଟରରେ ମଙ୍ଗଳ ଗ୍ରହର ପୃଥିବୀ ଆଧାରିତ ବିଚ୍ଛିନ୍ନ ବାସସ୍ଥାନ (ମକ୍ ହାବିଟାଟ୍)ରେ ବନ୍ଦ କରି ରଖାଯାଇଛି । ଏମାନେ ମଙ୍ଗଳରେ ଅନ୍ତରୀକ୍ଷ ଯାତ୍ରୀ ରହିବା ପରି ଏଠାରେ ଆଗାମୀ ବର୍ଷ ପର୍ଯ୍ୟନ୍ତ ରହିବେ ।
ଫୋର୍ବସ୍ ର ସୂଚନା ଅନୁଯାୟୀ ପୃଥିବୀରେ ମଙ୍ଗଳର ଅନୁଭବ ପାଇବା ଲାଗି ଏହି ବାସସ୍ଥାନର ସମସ୍ତ ଉପକରଣକୁ ସ୍ୱତନ୍ତ୍ର ଭାବରେ ତିଆରି କରାଯାଇଛି । ଲାଲ ଗ୍ରହ ମଙ୍ଗଳକୁ ମାନବ ଅନ୍ୱେଷଣର ତିନି ମିଶନ ମଧ୍ୟରେ ଏହା ନାସାର ପ୍ରଥମ ମିଶନ ଓ ଏହାର ନାମ କ୍ରୁ ହେଲ୍ଥ ଆଣ୍ଡ ପରଫର୍ମାନ୍ସ ଏକ୍ସପ୍ଲୋରେସନ ଆନାଲଗ (ଚାପିଆ) ରହିଛି । ୪ ଜଣ ମହାକାଶଚାରୀ ଟେକ୍ସାସରେ ଏକ ଥ୍ରିଡି ପ୍ରିଣ୍ଟେଡ୍ ୧୭୦୦ ବର୍ଗ ଫୁଟ ବିଶିଷ୍ଟ କୋଠରୀରେ ରହିବେ ଯାହାର ନାମ ମାର୍ସ ଡ୍ୟୁନ୍ ଆଲଫା ହୁଷ୍ଟନ । ଏହାର ଉଦ୍ଦେଶ୍ୟ ମଙ୍ଗଳ ପୃଷ୍ଠରେ ଭବିଷ୍ୟତରେ ଆବାସ ତିଆରି କରାଯାଇ ପାରିବ କି ନା ଏବଂ ଏଥିରେ ମହାକାଶ ଯାତ୍ରୀ କେତେଦିନ ରହିପାରିବେ ଜାଣିବା । ଏହି ୪ ଜଣିଆ ଦଳରେ କମାଣ୍ଡର କେଲୀ ହେଷ୍ଟନ ସାମିଲ ଅଛନ୍ତି ଯିଏ କି ଷ୍ଟେମ୍ ସେଲ୍ ଆଧାରିତ ଅଧ୍ୟୟନ କ୍ଷେତ୍ରରେ ଜଣେ ବୈଜ୍ଞାନିକ ଅଟନ୍ତି । ଦଳରେ ଫ୍ଲାଇଟ୍ ଇଂଜିନିୟର ରାସ୍ ବ୍ରୋକବେଲ୍, ଜଣେ ନିର୍ମାଣ ଇଂଜିନିୟର, ଚିକିତ୍ସା ଅଧିକାରୀ ଓ ବିଜ୍ଞାନ ଅଧିକାରୀ ବି ସାମିଲ ହୋଇଛନ୍ତି ।
୩୭୮ ଦିନ ଲାଗି ନାସାର ବୈଜ୍ଞାନିକ ମଙ୍ଗଳ ଗ୍ରହରେ କଣ କଣ ଆହ୍ୱାନର ସମ୍ମୁଖୀନ ହେବାକୁ ପଡିବ ତାହା ଉପରେ ଅଧ୍ୟୟନ କରିବେ । ଏହି କୋଠରୀରେ ମଙ୍ଗଳ ଗ୍ରହକୁ ଯିବାକୁ ଥିବା ସମସ୍ତ ସାମଗ୍ରୀ ଭରି ରହିଛି । ତେବେ ଏଠାରେ ଲାଲ ଗ୍ରହର ଗୁରୁତ୍ୱାକର୍ଷଣକୁ ଅନୁଭବ କରାଯାଇ ପାରିବ ନାହିଁ । ଗବେଷକ ମାନେ ଏହି କୋଠରୀରେ ସଦସ୍ୟଙ୍କର ଶାରୀରିକ ଓ ବ୍ୟବହାରିକ ସ୍ୱାସ୍ଥ୍ୟ ଉପରେ ତଥ୍ୟ ସଂଗ୍ରହ କରିବେ ।
ଏହି କୋଠରୀରେ ମହାକାଶଯାତ୍ରୀମାନେ ମଙ୍ଗଳ ଗ୍ରହରେ ଚାଲିବା ପରି ଚାଲିବେ । ଏହା ସହିତ ଏମାନେ ଏଠାରେ ବୈଜ୍ଞାନିକ ଗବେଷଣା କରିବା ସହିତ ମହାକାଶଚାରୀଙ୍କ ପରି ଖାଦ୍ୟ ଖାଇବା, ଆସବାବପତ୍ର ମରାମତି, ପରିଚାଳନା ଆଦି କାର୍ଯ୍ୟ ମଧ୍ୟ କରିବେ । ଏହି ସମୟରେ ଏମାନେ ଏଠାରେ ଜଟିଳ ମାନସିକ ଓ ଶାରୀରିକ ପରୀକ୍ଷଣ ମଧ୍ୟ ଦେଇ ବି ଗତି କରିବେ ।