ନୂଆଦିଲ୍ଲୀ: ଏଚଡିଏଫସି ବ୍ୟାଙ୍କର ସମସ୍ତ ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର । ଯଦି ଏହି ବ୍ୟାଙ୍କରେ ଆପଣଙ୍କର ଆକାଉଣ୍ଟ ରହିଛି ତେବେ ଆପଣଙ୍କ ଏକ ଜରୁରୀ ଖବର ଆସିଛି । ଆସନ୍ତା ଜୁଲାଇ ମାସ ୧ ତାରିଖରୁ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଏଚଡିଏଫସି ବ୍ୟାଙ୍କ ଓ ଏଚଡିଏଫସି ଲିମିଟେଡ ମର୍ଜର ତାରିଖ ପାଖେଇ ଆସୁଛି । ଏଚଡିଏଫସି ଗ୍ରୁପ ଅଧ୍ୟକ୍ଷ ଦୀପକ ପାରିଖ ଏନେଇ ଘୋଷଣା କରିଛନ୍ତି ।
ଏଚଡିଏଫସି ବ୍ୟାଙ୍କ ଓ ଏଚଡିଏଫସିର ବୋର୍ଡ ମର୍ଜରକୁ ମଞ୍ଜୁରୀ ଦେବା ପାଇଁ ଆସନ୍ତା ୩୦ ତାରିଖରେ ବଜାର ବନ୍ଦ ହେବା ପରେ ବୈଠକ କରାଯିବ ବୋଲି ଶ୍ରୀ ପାରିଖ କହିଛନ୍ତି । ଗ୍ରୁପର ଉପାଧ୍ୟକ୍ଷ ଓ ସିଇଓ କେକୀ ମିସ୍ତ୍ରୀଙ୍କ ମୁତାବକ, ଏଚଡିଏଫସି ଷ୍ଟକ ଡିଷ୍ଟିଲିଂ ଜୁଲାଇ ୧୩ ତାରିଖରୁ ପ୍ରଭାବୀ ହୋଇଯିବ । ଏହାର ଅର୍ଥ ହେଉଛି ଏହି ତାରିଖକୁ ଗ୍ରୁପର ହାଉସିଂ ଫାଇନାନ୍ସ ଫାର୍ମର ଶେୟାର ଷ୍ଟକ ଏକ୍ସଚେଞ୍ଜରୁ ହଟିଯିବ ।
ଏଚଡିଏଫସି ବ୍ୟାଙ୍କ ଓ ଏଚଡିଏଫସି ଲିମିଟେଡ ମର୍ଜର ହେବା ପରେ ଏଚଡିଏଫସି ଦୁନିଆର ୫ମ ସବୁଠାରୁ ମୂଲ୍ୟବାନ ବ୍ୟାଙ୍କ ଭାବେ ପରିଗଣିତ ହେବ । ଚଳିତ ବର୍ଷ ଏପ୍ରିଲ ମାସ ସୁଦ୍ଧା ଏଚଡିଏଫସି ବ୍ୟାଙ୍କ ଦୁନିଆର ମାର୍କେଟ କ୍ୟାପ ହିସାବରେ ୧୧ତମ ସ୍ଥାନରେ ରହିଥିଲା । ବିଜିନେସ ଟୁଡେ ରିପୋର୍ଟ ମୁତାବକ, ୩୦ ଜୁନକୁ ମାର୍କେଟ ବନ୍ଦ ହେବା ପରେ ଦୁଇ କମ୍ପାନୀର ବୋର୍ଡ ବୈଠକ ଅନୁଷ୍ଠିତ ହେବ ଓ ଏହି ବିଲୟ ଉପରେ ମୋହର ବାଜିବ ବୋଲି ଏଚଡିଏଫସିର ଅଧ୍ୟକ୍ଷ ଶ୍ରୀ ପାରିଖ କହିଛନ୍ତି ।
ଗତ ବର୍ଷ ଏପ୍ରିଲ ମାସ ୪ ତାରିଖରେ ଏଚଡିଏଫସି ଲିମିଟେଡର ଅଧିଗ୍ରହଣ ପାଇଁ ଏଚଡିଏଫସି ବ୍ୟାଙ୍କ ସହମତି ବ୍ୟକ୍ତ କରିଥିଲା । ଏହି ଡିଲ ପାଖାପାଖି ୪୦ ଅରବ ଡଲାରର ରହିଥିଲା । ୬୦ ବର୍ଷରୁ କମ୍ ବୟସର ପ୍ରତ୍ୟେକ କର୍ମଚାରୀଙ୍କୁ ସାମିଲ କରାଯିବ ଓ ସେମାନଙ୍କର ବେତନ ହ୍ରାସ ଘଟିବ ନାହିଁ । ଏଚଡିଏଫସି ବ୍ୟାଙ୍କକୁ କର୍ମଚାରୀଙ୍କର ଆବଶ୍ୟକତା ରହିଛି । ମର୍ଜର ପରେ ଦୁଇ କମ୍ପାନୀର ଶେୟାର ୨ ପ୍ରତିଶତ ବୃଦ୍ଧି ପାଇଥିଲା ବୋଲି ଶ୍ରୀ ପାରିଖ କହିଛନ୍ତି ।