ଡାକ୍ତର, ଇଞ୍ଜିନିୟର ସ୍ୱପ୍ନ ମରିଯାଉଛି, କୋଟାରେ ବଢ଼ୁଛି ଆତ୍ମହତ୍ୟା: ୬୦ ଦିନରେ ପ୍ରାଣ ହରାଇଲେଣି ୯ ଜଣ ପିଲା, ଏହା ପଛର କାରଣ କ’ଣ?
ନୂଆଦିଲ୍ଲୀ: ରାଜସ୍ଥାନର ଶିକ୍ଷା ନଗରୀ ଭାବେ ପରିଚିତ କୋଟାରେ ନିକଟରେ ବହୁସଂଖ୍ୟକ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ଦେଖାଯାଇଛି । ଗତ ଦୁଇ ମାସ ମଧ୍ୟରେ କୋଟାରେ ୯ ଜଣ ପିଲା ଆତ୍ମହତ୍ୟା କରିବା ପରେ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତ ୨୭ ତାରିଖରେ ଦୁଇଜଣ ପିଲା ଆତ୍ମହତ୍ୟା କରିଥିବା ବେଳେ ମେ’ରେ ୫ ଜଣ ଓ ଜୁନ ମାସରେ ୪ ଜଣ ପିଲା ଆତ୍ମହତ୍ୟା କରିଥିଲେ । ତେଣୁ ଏହି ଆତ୍ମହତ୍ୟା ପାଇଁ ସରକାର, ପ୍ରଶାସନ ନା କୋଚିଂ ସେଣ୍ଟର କିଏ ଦାୟୀ?
ତେବେ କୋଟାରେ ଛାତ୍ରଛାତ୍ରୀମାନେ କାହିଁକି ଆତ୍ମହତ୍ୟା କରୁଛନ୍ତି ତାହା କେହି କହିବାକୁ ପ୍ରସ୍ତୁତ ନୁହନ୍ତି । ନା ପ୍ରଶାସନ ନା କୋଚିଂ ଇନଷ୍ଟିଚ୍ୟୁଟ୍ କାହାର ପାଖରେ ଏହାର ଜବାବ ନାହିଁ । ପିଲା ସୁଇସାଇଡ୍ କରିବା ପରେ ସେମାନଙ୍କର ପରିବାରବର୍ଗଙ୍କୁ ଏନେଇ କେବଳ ସୂଚନା ଦିଆଯାଇଥାଏ । ସନ୍ତାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ପିତାମାତା କଠିନ ପରିଶ୍ରମ କରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସେମାନଙ୍କୁ ପାଠ ପଢ଼ିବା ପାଇଁ କୋଟାରେ ଛାଡ଼ୁଛନ୍ତି । ମାତ୍ର ପିଲାଟିଏ ଅଚାନକ ଜୀବନ ହାରିଦେବାର ପଥକୁ ବାଛିନେବା ଫଳରେ ପିତାମାତା ଓ ପିଲାଙ୍କ ସ୍ୱପ୍ନ ଚୁରମାର ହୋଇଯାଉଛି ।
ତେବେ ପିଲାମାନେ କାହିଁକି ଏପରି କୁପଥକୁ ବାଛି ନେଉଛନ୍ତି? ପରିବାରର ଚାପ ନା କୋଚିଂ ସଂସ୍ଥାର ଚାପ? କ’ଣ ଏପରି କାରଣ ରହିଛି ଯାହାକି ଜଣଙ୍କୁ ଜୀବନ ହାରିବାକୁ ବାଧ୍ୟ କରୁଛି । ତେବେ କେବଳ ଚାପ କାରଣରୁ ପିଲାମାନେ ଜୀବନ ହାରୁନାହାନ୍ତି, ଏଥିପାଇଁ ପ୍ରଶାସନ ଓ କୋଚିଂ ସଂସ୍ଥାଙ୍କ ଦାୟିତ୍ୱହୀନ ମନୋଭବ ମଧ୍ୟ ଦାୟୀ ବୋଲି କୁହାଯାଉଛି । ପିଲାଙ୍କର ଜୀବନକୁ କିପରି ବଞ୍ଚାଯାଇ ପାରିବ ସେନେଇ ସମସ୍ତେ ପ୍ରୟାସ କରିବା ନିହାତି ଜରୁରୀ ।
ଡାକ୍ତର, ଇଞ୍ଜିନିୟର ହେବା ସ୍ୱପ୍ନ ନେଇ କୋଟାକୁ ପଢ଼ିବାକୁ ଯାଉଥିବା ପିଲାଟି କିଛିଦିନ ମଧ୍ୟରେ ଶବ ହୋଇ ଫେରୁଛି । ରାଜସ୍ଥାନ ବିଧାନଭାର ରିପୋର୍ଟ ମୁତାବକ, ୨୦୧୯ରୁ ୨୦୨୨ ମଧ୍ୟରେ କୋଟାରେ ୫୨ ଜଣ ପିଲା ସୁଇସାଇଡ୍ କରିଥିଲେ । ୨୦୨୨ରେ ୧୦ ଦିନରେ ୪ ଜଣ, ୧୨ ଘଣ୍ଟାରେ ୩ ଜଣ ପିଲା ଜୀବନ ହାରି ଦେଇଥିଲେ । ତେବେ ଇଣ୍ଟରନାଲ ଆସେସମେଣ୍ଟ, ଲଭ୍ ଆଫେୟାର, ବ୍ଲାକମେଲିଂ, ପିତାମାତାଙ୍କ ମହତ୍ତ୍ୱାକାଂକ୍ଷୀ ଆତ୍ମହତ୍ୟାର କାରଣ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ଅନ୍ୟପକ୍ଷରେ ପିଲାଙ୍କ ପ୍ରତିଭାଙ୍କୁ ଚିହ୍ନିବା, ସେମାନଙ୍କଠାରୁ ଅଧିକ ଆଶା ନକରିବା, ସ୍ୱପ୍ନ ପୂରଣ ପାଇଁ ଚାପ ନ ପକାଇବା, ସର୍ତ୍ତ ନ ରଖିବା, ସେମାନଙ୍କ ସହିତ ବନ୍ଧୁ ଭଳି ବ୍ୟବହାର କରିବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।