HDFC-HDFC Bank Merger: ଏଚଡିଏଫସି ହେବ ବିଶ୍ୱର ଚତୁର୍ଥ ବୃହତ୍ତମ ବ୍ୟାଙ୍କ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଭାରତ କୌଣସି ଏକ ବ୍ୟାଙ୍କ ବିଶ୍ୱର ଟପ୍ ବ୍ୟାଙ୍କିଂ ଲିଷ୍ଟରେ ସାମିଲ ହେବାକୁ ଯାଉଛି । ଏଚଡିଏଫସି ବ୍ୟାଙ୍କ ଓ ଏଚଡିଏଫସିର ମିଶ୍ରଣ ପରେ ଏଚଡିଏଫସି ବିଶ୍ୱର ଚତୁର୍ଥ ବୃହତ୍ତମ ବ୍ୟାଙ୍କର ମାନ୍ୟତା ହାସଲ କରିବ । ଫଳରେ ଆମେରିକା ଓ ଚୀନର ସର୍ବବୃହତ ବ୍ୟାଙ୍କିଂ ଶ୍ରେଣୀରେ ଭାରତ ଆସିଯିବ । ଜେପି ମୋର୍ଗାନ ଚେଜ, ଇଣ୍ଡଷ୍ଟ୍ରିଆଲ ଆଣ୍ଡ କମର୍ସିଆଲ ବ୍ୟାଙ୍କ ଅଫ୍ ଚାଇନା ଓ ବ୍ୟାଙ୍କ ଅଫ୍ ଆମେରିକା ପରେ ଭାରତର ଏଚଡିଏଫସି ବ୍ୟାଙ୍କ ଚତୁର୍ଥ ସ୍ଥାନରେ ରହିବ ।

ଏଚଡିଏଫସି ବ୍ୟାଙ୍କ ଓ ଏଚଡିଏଫସି ଲିମିଟେଡର ମିଶ୍ରଣ ପରେ ଏହି ବ୍ୟାଙ୍କ ବିଶ୍ୱର ଚତୁର୍ଥ ଇକ୍ୱିଟି ମାର୍କେଟ କ୍ୟାପିଟାଲାଇଜେସନରେ ପରିଣତ ହେବ ବୋଲି ବ୍ଲୁମବର୍ଗ ରିପୋର୍ଟରେ କୁହାଯାଇଛି । ବ୍ୟାଙ୍କର ଭାଲୁଏସନ ପାଖାପାଖି ୧୭୨ ବିଲିୟନ ଡଲାରରେ ପହଞ୍ଚିଯିବ । ଆସନ୍ତାକାଲି ଅର୍ଥାତ ଜୁଲାଇ ମାସ ୧ ତାରିଖରୁ ଏଚଡିଏଫସି- ଏଚଡିଏଫସି ବ୍ୟାଙ୍କର ମିଶ୍ରଣ କାର୍ଯ୍ୟକାରୀ ହେବ । ଜୁନ ୩୦ରେ ଅନୁଷ୍ଠିତ ହୋଇଥିବା ଏଚଡିଏଫସି ଓ ଏଚଡିଏଫସି ବ୍ୟାଙ୍କର ବୈଠକରେ ମିଶ୍ରଣ ନିଷ୍ପତ୍ତିକୁ ଅନୁମୋଦନ ମିଳିଛି ।

ଜୁଲାଇ ପହିଲାରୁ ଏଚଡିଏଫସି ମିଶ୍ରଣ କାର୍ଯ୍ୟକାରୀ ହେବ ବୋଲି ଏଚଡିଏଫସି ଗ୍ରୁପ ଅଧ୍ୟକ୍ଷ ଦୀପକ ପାରିଖ କହିଥିଲେ । ଏହି ମିଶ୍ରଣ ଫଳରେ ଏଚଡିଏଫସି ବ୍ୟାଙ୍କ ଭାରତର କର୍ପୋରେଟ ସେକ୍ଟରରେ ଏକ ନୂଆ ଇତିହାସ ସୃଷ୍ଟି କରିବ । ଗତ ଏପ୍ରିଲ ମାସ ୪ ତାରିଖରେ ଏଚଡିଏଫସି ଲିମିଟେଡର ଅଧିଗ୍ରହଣ ପାଇଁ ଏଚଡିଏଫସି ବ୍ୟାଙ୍କ ୪୦ ବିଲିୟନ ଆମେରିକୀୟ ଡଲାରରେ ଡିଲ୍ କରିଥିଲା । ତେବେ ମିଳିତ ସଂସ୍ଥାର ମୋଟ ସମ୍ପତ୍ତି ପାଖାପାଖି ୧୮ ଲକ୍ଷ କୋଟିରେ ପହଞ୍ଚିବ । ଏଥିସହିତ ବ୍ୟାଙ୍କର ଗ୍ରାହକଙ୍କ ସଂଖ୍ୟା ୧୨୦ ମିଲିୟନରେ ପହଞ୍ଚିବା ସହିତ ଏହା ଜର୍ମାନୀର ଜନସଂଖ୍ୟାକୁ ମଧ୍ୟ ଟପିଯିବ । ବ୍ୟାଙ୍କର ବ୍ରାଞ୍ଚ ନେଟୱାର୍କ ୮,୩୦୦ରେ ପହଞ୍ଚିବା ସହିତ କର୍ମଚାରୀ ସଂଖ୍ୟା ୧,୭୭,୦୦୦ରେ ପହଞ୍ଚିଯିବ ।

ସୂଚନାଯୋଗ୍ୟ ଯେ, ଏହି ମିଶ୍ରଣ ଫଳରେ କର୍ମଚାରୀଙ୍କ ବେତନରେ କୌଣସି ପରିବର୍ତ୍ତନ ଘଟିବ ନାହିଁ । ଏଚଡିଏଫସି ବ୍ୟାଙ୍କ ପାଇଁ କର୍ମଚାରୀଙ୍କର ଆବଶ୍ୟକତା ରହିଛି । ଏହି ମିଶ୍ରଣ ଫଳରେ ଦୁଇ କମ୍ପାନୀର ଶେୟାର ୨ ପ୍ରତିଶତ ବୃଦ୍ଧି ପାଇଥିବା ଏଚଡିଏଫସି ଗ୍ରୁପ ଅଧ୍ୟକ୍ଷ ଶ୍ରୀ ପାରିଖ କହିଥିଲେ ।