fbpx

ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମିଳିବ ମାଗଣା ପୋଷାକ: ଆସନ୍ତା ୧୫ ସୁଦ୍ଧା ସ୍କୁଲରେ ପହଞ୍ଚିବ ପୋଷାକ, ସମସ୍ତ ଜିଲ୍ଲାପାଳଙ୍କୁ ଗଣଶିକ୍ଷା ଓ ମିଶନ ଶକ୍ତି ବିଭାଗର ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମିଳିବ ମାଗଣା ପୋଷାକ । ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା ଅଧିନରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଯୋଗାଇ ଦିଆଯିବ । ପୋଷାକ ସଂଗ୍ରହ ଓ ବଣ୍ଟନ ପାଇଁ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ମାନୁଫାକଚରିଂ ୟନିଟ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ଙ୍କୁ ଦାୟିତ୍ୱ ଦିଆଯାଇଛି ।

ପୋଷାକ ସଂଗ୍ରହ ପାଇଁ ଏମଏସଏମଇ ଓ ଏସଏଚଜି ୟୁନିଟକୁ ପ୍ରାଥମିକତା ଦିଆଯିବ । ଛାତ୍ରଛାତ୍ରୀଙ୍କୁ ପୋଷାକ ପ୍ରଦାନ ନେଇ ସମୟସୀମା ଧାର୍ଯ୍ୟ ହେବା ସହିତ ଏକ କମିଟି ଗଠନ ହୋଇଛି । ଏହି ବ୍ଲକସ୍ତରୀୟ କମିଟିରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଦସ୍ୟ ଆବାହକ ରହିବା ସହିତ ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀ, ମିଶନ ଶକ୍ତିର ବିପିସି ଓ ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର ଆଦି କମିଟିରେ ସଦସ୍ୟ ରହିବେ ।

ସେହିପରି ଜିଲ୍ଲାସ୍ତରୀୟ କମିଟିରେ ଜିଲ୍ଲାପାଳ ଅଧ୍ୟକ୍ଷ ରହିବେ । ଏଥିସହିତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ସଦସ୍ୟ ଆବାହକ, ଜିଲ୍ଲା ସମାଜ କଲ୍ୟାଣ ଅଧବକାରୀ, ଡିଆଇସି ସାଧାରଣ ପ୍ରବନ୍ଧକ ସଦସ୍ୟ ରହିବେ । ଆସନ୍ତା ୧୫ ତାରିଖ ସୁଦ୍ଧା ସ୍କୁଲମାନଙ୍କୁ ପୋଷାକ ଯୋଗାଇ ଦିଆଯିବ । ସୂଚନାଯୋଗ୍ୟ ଯେ, ପୂର୍ବରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମାଗଣା ୟୁନିଫର୍ମ ପ୍ରଦାନ କରାଯାଉଥିବା ବେଳେ ଏବେ ସେଥିରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ସାମିଲ କରାଯାଇଛି । ଚଳିତ ୨୦୨୩-୨୪ ଶିକ୍ଷା ବର୍ଷରୁ ରାଜ୍ୟରେ ‘ମୁଖ୍ୟମନ୍ତ୍ରୀ ଶିକ୍ଷକ ପରିଧାନ ଯୋଜନା’ ଆରମ୍ଭ ହେବାକୁ ଯାଉଛି ।

Get real time updates directly on you device, subscribe now.