ଓଡ଼ିଶାର ଏହି ଜିଲ୍ଲାରେ ବଢୁଛି ସିକିଲ୍ ସେଲ୍ ରୋଗ: ମାଗଣାରେ ଔଷଧ ଓ ରକ୍ତ ବ୍ୟବସ୍ଥା କରାଯିବାକୁ ସରକାରଙ୍କ ନିଷ୍ପତ୍ତି

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଗତ କିଛି ବର୍ଷ ହେଲା ସିକିଲ ସେଲ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ହେଲେ ରକ୍ତହୀନତା ଓ ସିକିଲ ସେଲ ରୋଗୀଙ୍କ ଆବଶ୍ୟକତା ଅନୁଯାୟୀ ରକ୍ତଦାତାଙ୍କ ସଂଖ୍ୟା ବୃଦ୍ଧି ପାଉ ନଥିବା ଯୋଗୁଁ ଉକ୍ତ ରୋଗରେ ଆକ୍ରାନ୍ତ ରୋଗୀଙ୍କ ପରିବାର ସଦସ୍ୟ ଓ ସ୍ୱାସ୍ଥ୍ୟ ବିଭାଗ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟି ଥିବା ବେଳେ ବହୁ ସମୟରେ ନିୟମିତ ରକ୍ତ ଅଭାବରୁ ରୋଗୀଟି ମୃତ୍ୟୁ ମୁଖରେ ପଡୁଥିବା ଦେଖିବାକୁ ମିଳୁଛି ।

କଳାହାଣ୍ଡି ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୨୦୧୫ ଜୁନ ୧୫ ତାରିଖରୁ ୨୦୨୩ ଜୁନ ମାସ ପର୍ଯ୍ୟନ୍ତ ସିକିଲ ସେଲ ରୋଗ ପାଇଁ ସର୍ଭେ ହୋଇଥିଲା । ଏଥିରେ ୧୨,୬୯୪ ଜଣଙ୍କ ରକ୍ତ ପରୀକ୍ଷା ହୋଇଥିଲା । ସେଥିମଧ୍ୟରୁ ୪୩୬୧ ଜଣଙ୍କ ଠାରେ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୨୨ଜଣ ରୋଗୀ ଗୁରୁତର ଅବସ୍ଥାରେ ବିଭିନ୍ନ ସ୍ଥାନରେ ଚିକିତ୍ସିତ ହେଉଛନ୍ତି । କଳାହାଣ୍ଡି ଜିଲ୍ଲାରେ କେବଳ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନା ଓ ଧର୍ମଗଡ଼ ସବ୍ ଡିଭିଜନ ଡାକ୍ତରଖାନାରରେ ବ୍ଲଡ ବ୍ୟାଙ୍କ ମାଧ୍ୟମରେ ରକ୍ତ ସଂଗୃହୀତ ହୋଇଥାଏ ।

ଖରାଦିନେ ରକ୍ତଦାନ ଶିବିର କମ ହେଉଥିବା ଯୋଗୁଁ ରୋଗୀମାନେ ଅଡ଼ୁଆରେ ପଡ଼ିଥାନ୍ତି । ରକ୍ତ ହୀନତା ରୋଗୀ ଓ ସିକିଲ ସେଲ୍ ରୋଗୀଙ୍କ ପାଇଁ ରକ୍ତ ନେବାକୁ କାର୍ଡ ମଧ୍ୟ ପ୍ରଦାନ କରାଯାଇଛି । କିନ୍ତୁ ବ୍ଲଡ ବ୍ୟାଙ୍କରେ ରକ୍ତ ନ ଥିବା ଯୋଗୁଁ ଏହି ରୋଗୀମାନେ ରକ୍ତ ପାଇବାରୁ ବଞ୍ଚିତ ହୋଇଥାନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତ ଜୁନ୍ ୨୭ ତାରିଖରୁ ରାଷ୍ଟ୍ରୀୟ ରକ୍ତ ଶିକୁଳି ଜନିତ ରକ୍ତହୀନତା ନିରାକରଣ ଅଭିଯାନ ଆରମ୍ଭ ହୋଇଛି । ସିକିଲ ସେଲ ରୋଗୀଙ୍କ ପାଇଁ ଏହି ଯୋଜନାରେ ମାଗଣାରେ ଔଷଧ ଓ ରକ୍ତ ବ୍ୟବସ୍ଥା ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ସୂଚନା ମିଳିଛି ।