fbpx

SAFF Championship: ପେନାଲଟି ଶୁଟ୍ ଆଉଟରେ କୁଏତକୁ ୫-୪ରେ ହରାଇ ଟାଇଟଲ ଜିତିଲା ଭାରତ

ନୂଆଦିଲ୍ଲୀ: ଦକ୍ଷିଣ ଏସୀୟ ଫୁଟବଲ ଫେଡେରେସନ (ସାଫ) ଚାମ୍ପିୟନଶିପରେ ଆଜି ଭାରତ-କୁଏତ ମଧ୍ୟରେ ଫାଇନାଲ ମୁକାବିଲା ହୋଇଥିଲା । ନିର୍ଦ୍ଧାରିତ ସମୟ ସୁଦ୍ଧା ଖେଳ ୧-୧ ସ୍ଥିତିରେ ବରାବର ରହିଥିଲା । ଫଳରେ ପେନାଲଟି ଶୁଟ୍ ଆଉଟରେ ଭାରତ କୁଏତକୁ ୫-୧ରେ ପରାସ୍ତ କରିଥିଲା । ଆଜିର ବିଜୟ ଫଳରେ ଭାରତ ନବମ ଥର ପାଇଁ ସାଫ ଚାମ୍ପିୟନ ହେବାର ଗୌରବ ହାସଲ କରିଛି ।

ବେଙ୍ଗାଲୁରୁର ଶ୍ରୀ କାନ୍ତେରଭା ଷ୍ଟାଡିୟମରେ ଆଜି ଦୁଇ ଟିମ ମଧ୍ୟରେ ଫାଇନାଲ ମୁକାବିଲା ଆରମ୍ଭ ହୋଇଥିଲା । ଚଳିତ ଟୁର୍ଣ୍ଣାମେଣ୍ଟରେ ଏହା ପୂର୍ବରୁ ଦୁଇ ଟିମ୍ ପରସ୍ପରକୁ ଗ୍ରୁପ ପର୍ଯ୍ୟାୟରେ ଭେଟିଥିବା ବେଳେ ଫଳାଫଳ ୧-୧ରେ ରହିଥିଲା । ଆଜିର ମ୍ୟାଚର ପ୍ରଥମାର୍ଦ୍ଧରେ କୌଣସି ଟିମ୍ ପରସ୍ପରକୁ ଗୋଲ ଦେଇ ପାରିନଥିଲେ । ଦୁଇ ଟିମର ଖେଳାଳିମାନେ ଶାନଦାର ପ୍ରଦର୍ଶନ କରିଥିବା ଦେଖାଯାଇଥିଲା ।

ସେମିଫାଇନାଲ ପେନାଲଟି ଶୁଟ ଆଉଟରେ ଭାରତ ଲେବାନନକୁ ୪-୨ରେ ପରାସ୍ତ କରି ଫାଇନାଲକୁ ଉନ୍ନୀତ ହୋଇଥିଲା । ସେହିପରି କୁଏତ ୧-୦ରେ ବାଂଲାଦେଶକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା । ଡିଫେଣ୍ଡିଂ ଚାମ୍ପିୟନ ଭାରତ ନବମ ଥର ପାଇଁ ଟାଇଟାଲ ବଜାୟ ରଖିବାକୁ ଆପ୍ରାଣ ଉଦ୍ୟମ କରି ଶେଷରେ ସଫଳ ହୋଇଥିଲା । କୁଏତର ଖେଳାଳିଙ୍କୁ ସାମ୍ନା କରିବା ଏତେ ସହଜ ହୋଇଥିଲେ ହେଁ ଭାରତୀୟ ଅଧିନାୟକ ସୁନୀଲ ଛେତ୍ରୀଙ୍କ ସୁଚୁର ରଣନୀତି ଆଗରେ କୁଏତ ହାର ମାନିଥିଲା ।

ଏହାର ପୂର୍ବରୁ ଭାରତ ୧୯୯୩, ୧୯୯୭, ୧୯୯୯, ୨୦୦୫, ୨୦୦୯, ୨୦୧୧, ୨୦୧୫ ଓ ୨୦୨୧ରେ ଭାରତ ସାଫ୍ ଚାମ୍ପିୟନ ହୋଇଥିଲା । ଆଜି ଭାରତ ବିଜୟର ହିରୋ ସାଜିଥିଲେ ଗୋଲ କିପର ଗୁରପ୍ରୀତ ସନ୍ଧୁ । ଗୁରପ୍ରୀତ ଏକାଧିକ ପେନାଲଟି ବଞ୍ଚାଇ ଭାରତକୁ ଚାମ୍ପିୟନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଭାରତର ବିଜୟ ପାଇଁ ଗୁରୁପ୍ରୀତ ଏକ ମେରୁଦଣ୍ଡ ଭଳି ଛିଡ଼ା ହୋଇଥିଲେ ଓ ଶେଷରେ ଦଳକୁ ବିଜୟୀ କରାଇଥିଲେ ।

Get real time updates directly on you device, subscribe now.