ଇସ୍ତଫା ଦେବେ କି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ? ଦଳର ମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ସହ ବୈଠକ ପରେ ସ୍ପଷ୍ଟ କଲେ ଶିନ୍ଦେ

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ଗତ ଦୁଇ ତାରିଖରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ଅଜିତ ପାୱାର ନିଜର କିଛି ସହଯୋଗୀ ବିଧାୟକଙ୍କ ସହିତ ବିଜେପି-ଏକନାଥ ଶିନ୍ଦେଙ୍କ ମେଣ୍ଟରେ ସାମିଲ ହୋଇଥିଲେ । ଏହା ମଧ୍ୟରେ ଆଜି ଅଜିତଙ୍କ ବୈଠକରେ ୩୧ ଜଣ ବିଧାୟକ ସାମିଲ ହୋଇଥିବା ବେଳେ ଶରଦ ପାୱାରଙ୍କ ବୈଠକରେ ୧୩ ଜଣ ବିଧାୟକ ସାମିଲ ହୋଇଥିଲେ । ଅବଶିଷ୍ଟ ୯ ଜଣ ବିଧାୟକ କୌଣସି ପକ୍ଷଙ୍କୁ ସମର୍ଥନ କରିଥିଲେ । ତେଣୁ ଶରଦଙ୍କୁ ଏନସିପି ଅଧ୍ୟକ୍ଷ ପକ୍ଷରୁ ହଟାଇବା ସହିତ ନିଜେ ଏନସିପିର ମୁଖିଆ ବୋଲି ଅଜିତଙ୍କ ପକ୍ଷରୁ ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି କରାଯାଇଛି ।

ତେବେ ଏହା ମଧ୍ୟରେ ମହାରାଷ୍ଟ୍ରରୁ ଆସିଛି ପୁଣି ଏକ ବଡ଼ ଖବର । ଅଜିତଙ୍କର ଏଣ୍ଟ୍ରି ପରେ ଶିନ୍ଦେଙ୍କୁ ନେଇ ଏକ ବଡ଼ ଚର୍ଚ୍ଚା ହେବାରେ ଲାଗିଛି । ଅଜିତ ଶିନ୍ଦେ-ବିଜେପି ମେଣ୍ଟରେ ସାମିଲ ହେବା ପରେ ଶିନ୍ଦେ ନିଜ ପଦକୁ ନେଇ ଆଶଙ୍କା ମଧ୍ୟରେ ରହିଥିବା ଚର୍ଚ୍ଚା ହେଉଥିଲା । ତେଣୁ ଏନେଇ ଆଜି ଶିବସେନାର ବିଧାୟକ ଓ ସାଂସଦଙ୍କୁ ନେଇ ଶିନ୍ଦେ ଏକ ବୈଠକ ଡକାଇଥିଲେ । ଏହି ଅବସରରେ ସେ ଇସ୍ତଫା ଦେବେ ନାହିଁ ବୋଲି ଶିନ୍ଦେ ସ୍ପଷ୍ଟ କରିଛନ୍ତି ।

ଅଜିତ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଶିନ୍ଦେ ସିଏମ୍ ପଦରୁ ଇସ୍ତଫା ଦେଇ ପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ଆସନ୍ତା ୨୦୨୪ରେ ସେ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ଏକନାଥ ମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ଆଶ୍ୱାସନା ଦେଇଛନ୍ତି । ଇସ୍ତଫା ଭଳି ଏକ ମିଥ୍ୟା ଖବର କିଏ ପ୍ରଚାର କରୁଛି ବୋଲି ସେ ପ୍ରଶ୍ନ କରିବା ସହିତ ସଙ୍କଟ କାଳରେ ତାଙ୍କୁ ସମର୍ଥନ କରିଥିବା ୫୦ ବିଧାୟକଙ୍କୁ ସେ ନିରାଶ କରିବେ ନାହିଁ ବୋଲି ଏକନାଥ କହିଛନ୍ତି ।