ହିନ୍ଦୁ ଧର୍ମରେ ପିତୃପୁରୁଷମାନଙ୍କୁ ଶ୍ରାଦ୍ଧ ବା ପିଣ୍ଡଦାନ କରିବାର ପରମ୍ପରା ରହିଛି । ମାନ୍ୟତା ରହିଛି ଯେ ପ୍ରତିବର୍ଷ ପିଣ୍ଡଦାନ କଲେ ପୂର୍ବପୁରୁଷଙ୍କ ଆତ୍ମାକୁ ଶାନ୍ତି ଓ ମୋକ୍ଷ ପ୍ରାପ୍ତି ହୋଇଥାଏ । ସେହିପରି କୁଣ୍ଡଳୀରେ ପିତୃଦୋଷ ଥିଲେ ସେଥିରୁ ମୁକ୍ତି ପାଇବା ପାଇଁ ମଧ୍ୟ ପୂର୍ବଜମାନଙ୍କୁ ପିଣ୍ଡଦାନ କରାଯାଇଥାଏ । ତେବେ ପୁରୀ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ମଧ୍ୟ ଭକ୍ତମାନେ ପୂର୍ବପୁରୁଷଙ୍କୁ ମୋକ୍ଷ ପ୍ରଦାନ କରିବା ପାଇଁ ପିଣ୍ଡଦାନ କରିଥାନ୍ତି । ଏଥିାଇଁ ଶ୍ରୀମନ୍ଦିରରେ ଏହି ଶ୍ରାଦ୍ଧ ଦେବା ପରମ୍ପରା ୧୫ ଦିନ ଧରି ଚାଲିଥାଏ । ଲୋକମାନେ ଶ୍ରୀମନ୍ଦିର ଯାଇ ବାଇଶି ପାହାଚରେ ବଡବଡୁଆମାନଙ୍କୁ ଶ୍ରାଦ୍ଧ ଅର୍ପଣ କରିଥାନ୍ତି । ତେବେ ଚଳିତ ବର୍ଷ ଏହି ପିଣ୍ଡଦାନ ବା ଶ୍ରାଦ୍ଧ ପ୍ରକ୍ରିୟା କେବେ ଆରମ୍ଭ ହେବ ଓ ଏହା କେତେ ଦିନ ପର୍ୟ୍ୟନ୍ତ ରହିବ ଆସନ୍ତୁ ଜାଣିବା ।
ଚଳିତବର୍ଷ ପିତୃପକ୍ଷ ଶ୍ରାଦ୍ଧ ସେପ୍ଟେମ୍ବର ୨୯ ତାରିଖରୁ ଆରମ୍ଭ ହେଉଥିବା ବେଳେ ଅକ୍ଟୋବର ୧୪ ତାରିଖରେ ଶେଷ ହେବ । ସାଧାରଣତଃ ସେପ୍ଟେମ୍ବର ମାସରେ ଏହା ଶେଷ ହୋଇଥାଏ । କିନ୍ତୁ ଚଳିତ ବର୍ଷ ଯୋଡା ଶ୍ରାବଣ ପଡୁଥିବାରୁ ଏହା ଏକ ମାସ ବିଳମ୍ବରେ ଅର୍ଥାତ୍ ସେପ୍ଟେମ୍ବର ମାସ ଶେଷରେ ଆରମ୍ଭ ହୋଇ ଅକ୍ଟୋବର ମାସର ମଧ୍ୟଭାଗ ପର୍ୟ୍ୟନ୍ତ ଚାଲିବ । ସେହିପରି, ଓଡିଆ ମାସ ଅନୁଯାୟୀ ଏହା ଭାଦ୍ରବ ମାସ ପୂର୍ଣ୍ଣିମା ତିଥିରୁ ଆରମ୍ଭ ହୋଇ ଆଶ୍ୱୀନ ମାସ ଅମାବାସ୍ୟା ପର୍ୟ୍ୟନ୍ତ ରହିବ । ଏହାକୁ ମହାଳୟା ଅମାବାସ୍ୟା ମଧ୍ୟ କୁହାଯାଏ । ଏହି ମହାଳୟା ତିଥି ପରଠାରୁ ମା ଦୁର୍ଗା କୈଳାଶ ପର୍ବତରୁ ଆସି ଧରାପୃଷ୍ଠରେ ଅବତରଣ କରନ୍ତି । ପ୍ରାୟ ଦଶ ଦିନ ଧରି ମାଆ ଦଶଭୂଜା ଏଠାରେ ପୂଜା ପାଇଥାନ୍ତି ।
ବିଶ୍ୱାସ କରାଯାଏ ଯେ, ମହାଳୟାରେ ଶ୍ରାଦ୍ଧ ଦେଇ ପୂର୍ବଜମାନଙ୍କ ଘରକୁ ଅଣାଯିବା ସହ ଦୀପାବଳି ଦିନ ଦୀପଦାନ କରି ସେମାନଙ୍କୁ ବିଦାୟ ଦିଆଯାଇଥାଏ । କିମ୍ବଦନ୍ତୀ ଅନୁଯାୟୀ ଏହି ସମୟରେ ଭାରତରେ ନୂତନ ଫସଲ ଅମଳ ହୋଇଥାଏ । ତେଣୁ ପ୍ରଥମ ଉତ୍ପାଦିତ ଫସଲକୁ ପିତୃପୁରୁଷମାନଙ୍କୁ ଉତ୍ସର୍ଗ କରି ଏହି ପିଣ୍ଡଦାନ କରାଯାଏ । ତେବେ କେବଳ ଓଡିଶା ନୁହେଁ ବରଂ ସାରା ଭାରତବର୍ଷରେ ଏହି ଶ୍ରାଦ୍ଧ ଦେବା ପରମ୍ପରା ବହୁବର୍ଷ ଧରି ଚାଲି ଆସୁଛି ।