fbpx

ନିଆଯିବ ବଡ଼ ନିଷ୍ପତ୍ତି! ଏଣିକି ପ୍ରତ୍ୟେକ ସପ୍ତାହରେ ଦୁଇ ଦିନ ଛୁଟି, ମାସରେ ୮ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ସମସ୍ତ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ସାଧାରଣ ଭାବେ ପ୍ରତ୍ୟେକ ମାସର ପ୍ରଥମ ଓ ତୃତୀୟ ଶନିବାର ବ୍ୟାଙ୍କ ଖୋଲା ରହୁଥିବା ବେଳେ ଦ୍ୱିତୀୟ ଓ ତୃତୀୟ ଶନିବାର ବନ୍ଦ ରହିଥାଏ । ତେବେ ଖୁବଶୀଘ୍ର ନୂଆ ନିଷ୍ପତ୍ତି ନିଆଯିବ । ଏହି ନିୟମ ଲାଗୁ ହେବା ଫଳରେ ବ୍ୟାଙ୍କ କର୍ମଚାରୀମାନେ ସପ୍ତାହକୁ ଦୁଇଦିନ ଛୁଟି ପାଇବେ । ଫଳରେ କର୍ମଚାରୀଙ୍କୁ ପ୍ରତ୍ୟେକ ମାସରେ ମୋଟ ୮ ଦିନ ଛୁଟି ମିଳିବ ।

ସୂଚନା ମୁତାବକ, ପୂର୍ବରୁ ପ୍ରତ୍ୟେକ ମାସର ପ୍ରଥମ ଓ ତୃତୀୟ ଶନିବାର ଖୋଲା ରହୁଥିଲା । ମାତ୍ର ଏବେ ସପ୍ତାହକୁ କେବଳ ୫ ଦିନ କାର୍ଯ୍ୟ ଦିବସ ଲାଗୁ କରାଯିବା ସହିତ କର୍ମଚାରୀଙ୍କୁ ୨ ଦିନ ସାପ୍ତାହିକ ଛୁଟି ପ୍ରଦାନ ନେଇ ଦାବି ହେଉଛି । ବ୍ୟାଙ୍କ କର୍ମଚାରୀଙ୍କୁ ସପ୍ତାହକୁ ଦୁଇ ଦିନ ଛୁଟି ନେଇ ଦୀର୍ଘଦିନ ହେଲା ଦାବି ହୋଇ ଆସୁଛି । ତେବେ ଆସନ୍ତା ୨୮ ତାରିଖରେ ଏନେଇ ବଡ଼ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି । ଇଣ୍ଡିଆନ ବ୍ୟାଙ୍କ ଆସୋସିଏସନ (ଆଇବିଏ) ଓ ୟୁନାଇଟେଡ ଫୋରମ ଅଫ୍ ବ୍ୟାଙ୍କ ୟୁନିୟନ୍ସ (ୟୁଏଫବିୟୁ) ମଧ୍ୟରେ ଆସନ୍ତା ସପ୍ତାହରେ ବସିବାକୁ ଥିବା ବୈଠକରେ ଏ ବାବଦରେ ନିଷ୍ପତ୍ତି ନିଆଯାଇପାରେ ।

ସପ୍ତାହକୁ ବ୍ୟାଙ୍କର ୫ ଦିନିଆ କାର୍ଯ୍ୟ ଦିବସ ପ୍ରସଙ୍ଗ ଗତ ଆଲୋଚନା ସମୟରେ ଉଠିଥିଲା ବୋଲି ୟୁଏଫବିୟୁ ପକ୍ଷରୁ କୁହାଯାଇଛି । ସେହିପରି ଏହି ପ୍ରସଙ୍ଗ ବିଚାରାଧୀନ ରହିଛି ଓ ଏହା ଉପରେ କାର୍ଯ୍ୟ ଜାରି ରହିଥିବା ଆଇବିଏ ପକ୍ଷରୁ କୁହାଯାଇଛି । ପ୍ରତି ସପ୍ତାହରେ ୫ ଦିନ କାର୍ଯ୍ୟ ଆରମ୍ଭ ନେଇ ବିଳମ୍ବ ନ କରିବା ଓ ଏଥିପାଇଁ ଶୀଘ୍ର ନିଷ୍ପତ୍ତି ନେବାକୁ ୟୁଏଫବିୟୁ ପକ୍ଷରୁ ଅନୁରୋଧ କରାଯାଇଥିଲା । ତେବେ ବ୍ୟାଙ୍କ କର୍ମଚାରୀଙ୍କର ଦୈନିକ କାର୍ଯ୍ୟ ସମୟ ୪୦ ମିନିଟ ବୃଦ୍ଧି ହୋଇପାରେ । ଆସନ୍ତା ୨୮ରେ ବସିବାକୁ ଥିବା ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା ହେବାର ସମ୍ଭାବନା ରହିଛି । ଏହା ଉପରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଓ ଭାରତୀୟ ରିଜର୍ଭ ବ୍ୟାଙ୍କର ମଧ୍ୟ ମଞ୍ଜୁରୀର ଆବଶ୍ୟକତା ରହିଛି ।

Get real time updates directly on you device, subscribe now.