ମଣିପୁର ଲଜ୍ଜାଜନକ ଘଟଣା: ପଞ୍ଚମ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ: ଗତ ୧୯ ତାରିଖରେ ଭାଇରାଲ ହୋଇଥିବା ମଣିପୁରର ଭିଡିଓକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା ଜାରି ରହିଛି । ଦୁଇଜଣ ମହିଳାଙ୍କୁ ନିବସ୍ତ୍ର କରି ସର୍ବସାଧାରଣ ସ୍ଥାନରେ ଚଲାଇବା ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଉଛି । ଏଥିସହିତ ଏହି ଘଟଣା ସହ ଜଡ଼ିତ ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ଦାବି ହେଉଛି । ଯଦି କେନ୍ଦ୍ର କି ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ସୁପ୍ରିମକୋର୍ଟ ଚେତାବନୀ ଦେଇଛନ୍ତି ।

ତେବେ ମଣିପୁର ମହିଳାଙ୍କୁ ନିର୍ବସ୍ତ୍ର କରି ପରେଡ କରାଇବା ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି । ପୂର୍ବରୁ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଆଜି ଆଉ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କୁ ୧୧ ଦିନ ପାଇଁ ପୋଲିସ ହେପାଜତରେ ରଖାଯାଇଛି । ଆଜି ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମ ୟୁମଲେମ୍ବାମ ନୁଙ୍ଗସିଥୋଇ ଓ ତାଙ୍କର ବୟସ ୧୯ ବର୍ଷ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ମେ ମାସ ୪ ତାରିଖରେ କଙ୍ଗପୋକପୀ ଜିଲ୍ଲାରେ ଏହି ଘଟଣା ଘଟିଥିଲା । ଏହି ଘଟଣାରେ ମାମଲା ଦାୟର କରାଯାଇଥିଲେ ହେଁ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରିନଥିଲା । ଏପରିକି ଏହି ଲଜ୍ଜାଜନକ ଘଟଣା ଘଟିବା ସମୟରେ ପୋଲିସ ସେଠାରେ ଉପସ୍ଥିତ ଥିବା ନେଇ ମଧ୍ୟ ଅଭିଯୋଗ ହେଉଛି । ଦୀର୍ଘ ଅଢ଼େଇ ମାସ ଧରି ମଣିପୁର ଜଳୁଥିବା ବେଳେ ଏ ପର୍ଯ୍ୟନ୍ତ ଥମିବାର ନାଁ ଧରୁନାହିଁ । ହତ୍ୟା, ଲୁଟ୍, ଘର, ଶିକ୍ଷାନୁଷ୍ଠାନ ସବୁ ଜଳିପୋଡ଼ି ଛାରଖାର ହେବାରେ ଲାଗିଛି । ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କ ଉପରେ ଆଇପିସିର ଧାରା ୩୦୨, ୩୭୬ ଡି, ୩୫୪, ୩୨୬ ଲାଗିଥିଲା ।