ଦିନିକିଆ ସିରିଜ୍ ଆରମ୍ଭରୁ ବଡ଼ ଝଟକା: ପ୍ରଥମ ଦିନିକିଆରେ ୱେଷ୍ଟଇଣ୍ଡିଜ ୧୧୪ ରନରେ ଅଲଆଉଟ୍

ନୂଆଦିଲ୍ଲୀ: ଭାରତ-ୱେଷ୍ଟିଇଣ୍ଡିଜ ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ପ୍ରଥମ ଦିନିକିଆ । ତେବେ ସିରିଜ ଆରମ୍ଭରୁ ବଡ଼ ଝଟକା ଖାଇଛି ୱେଷ୍ଟଇଣ୍ଡିଜ୍ । ଭାରତ ଟସ୍ ଜିତିବା ପରେ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ଅଧିନାୟକ ରୋହିତ ଶର୍ମା । ତେବେ ଭାରତୀୟ ବୋଲରଙ୍କ ଆକ୍ରମଣକୁ ପ୍ରତିହତ କରି ନପାରି ୱେଷ୍ଟଇଣ୍ଡିଜ ୨୩ ଓଭରରେ ମାତ୍ର ୧୧୪ ରନରେ ଅଲଆଉଟ୍ ହୋଇଯାଇଥିଲା ।

ଦଳୀୟ ସ୍କୋର ମାତ୍ର ୭ ରନ ହୋଇଥିବା ବେଳେ ୱେଷ୍ଟଇଣ୍ଡିଜ ତା’ର ଓପନର କାଇଲ ମେୟର୍ସଙ୍କୁ ହରାଇଥିଲା । ଏହାପରେ ନିୟମିତ ବ୍ୟବଧାନରେ ଜଣଙ୍କ ପରେ ଜଣେ ବ୍ୟାଟ୍ସମ୍ୟାନ ପାଭିଲିୟନ ଫେରିଥିଲେ । ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୪ଟି, ରବୀନ୍ଦ୍ର ଜାଡେଜା ୩ଟି ୱିକେଟ ଅକ୍ତିଆର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା, ମୁକେଶ କୁମାର ଓ ଶାର୍ଦୁଲ ଠାକୁର ପ୍ରତ୍ୟେକେ ୧ଟି ଲେଖାଏଁ ୱିକେଟ ହାସଲ କରିଥିଲେ ।

ୱେଷ୍ଟଇଣ୍ଡିଜ ପକ୍ଷରୁ ଅଧିନାୟକ ତଥା ୱିକେଟ ରକ୍ଷକ ଶାଇ ହୋପ ସର୍ବାଧିକ ୪୩ ରନ୍ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଲିକ ଆଥାନାଜେ ୨୨, ବ୍ରାଣ୍ଡନ କିଙ୍ଗ ୧୭ ଓ ଶିମ୍ରୋନ ହିଟମେୟର ୧୧ ରନ୍ ସଂଗ୍ରହ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଟପି ପାରିନଥିଲେ । ପୂରା ଇନିଂରେ ଜାଡେଜା ଓ କୁଲଦୀପଙ୍କ ସ୍ପିନର ଯାଦୁ ଦେଖିବାକୁ ମିଳିଥିଲା । ଫଳରେ ୱେଷ୍ଟଇଣ୍ଡିଜର ବ୍ୟାଟ୍ସମ୍ୟାନମାନେ ବଡ଼ ଅଡ଼ୁଆରେ ପଡ଼ିଥିଲେ । ଆଜି ବିଜୟ ହାସଲ କଲେ ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିବ । ଆସନ୍ତା ୨୯ ତାରିଖରେ ବ୍ରିଜଟାଉନରେ ଦ୍ୱିତୀୟ ଦିନିକିଆ ଓ ଅଗଷ୍ଟ ୧ରେ ତାରୋଉବାଠାରେ ତୃତୀୟ ଦିନିକିଆ ଖେଳାଯିବ । ଦିନିକିଆ ସିରିଜ ସମାପ୍ତ ପରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଅଗଷ୍ଟ ୩ରୁ ଆରମ୍ଭ ହେବ ।