fbpx

ସେମିକଣ୍ଡକ୍ଟର ଉତ୍ପାଦନ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ କାହିଁକି: କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କ’ଣ ରହିଛି ଲକ୍ଷ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ସମୟରେ ସେମିକଣ୍ଡକ୍ଟରର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ସେମିକଣ୍ଡକ୍ଟରର ବିଭିନ୍ନ ଉପାଦାନ ଚିପ୍ସ, ଟ୍ରାଞ୍ଜିଷ୍ଟର, ଡାଇଓଡ୍ସ ଆଦି ମୋବାଇଲ ଫୋନ, ଲାପଟପ, ମାଇକ୍ରୋୱେଭସ, ରେଫ୍ରିଜେରେଟର, ସ୍ମାର୍ଟଟିଭି ପରି ସମସ୍ତ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ବାଇକ୍, କାରରେ ଲାଗିଥାଏ । ଏଥିସହିତ ଏମଆରଆଇ ମେଶିନ, ବ୍ଲଡ ପ୍ରେସର ମନିଟର, ୱେୟରଲେସ ପେସେଣ୍ଟ ମନିଟର ଓ ଭେଣ୍ଟିଲେଟରରେ ମଧ୍ୟ ସେମିକଣ୍ଡକ୍ଟର ଉପଯୋଗ କରାଯାଇଥାଏ । ତେବେ ଭାରତର ବିଶ୍ୱର ଏକ ବଡ଼ ବଜାର ହୋଇଥିଲେ ହେଁ ସେମିକଣ୍ଡକ୍ଟର ପାଇଁ ଆମକୁ ବିଦେଶରୁ ଆମଦାନୀ କରିବାକୁ ପଡ଼ୁଛି ।

ତାଇୱାନ, ଚୀନ ଓ ଦକ୍ଷିଣ କୋରିଆ ପରି କିଛି ଦେଶ ଚିପ୍ ନିର୍ମାଣରେ ଅଗ୍ରଣୀ ଅଟନ୍ତି । ଭାରତ ପରି ବିଶ୍ୱର ଏକ ପ୍ରମୁଖ ଅର୍ଥନୀତି ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ନହେବା ନିଶ୍ଚିତ ଭାବେ ଏକ ଚିନ୍ତାଜନକ ବିଷୟ । ତେଣୁ ଆଗାମୀ ଦିନରେ ସେମିକଣ୍ଡକ୍ଟର ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ ଉଭୟ କେନ୍ଦ୍ର ସରକାର ସ୍ୱତନ୍ତ୍ର ନୀତି ଆଣିବା ସହିତ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି । ଭାରତରେ ସେମିକଣ୍ଡକ୍ଟର ପ୍ଲାଣ୍ଟ ସ୍ଥାପନ ପାଇଁ କିଛି କମ୍ପାନୀ ଆଗ୍ରହ ପ୍ରକାଶ କରିଛନ୍ତି । ସେହିପରି ଓଡ଼ିଶା ସରକାର ମଧ୍ୟ ରାଜ୍ୟରେ ସେମିକଣ୍ଡକ୍ଟର ନିର୍ମାଣ ଉଦ୍ୟୋଗ ସ୍ଥାପନ ପାଇଁ ଆମେରିକାର କିଛି ଆଗଧାଡ଼ିର ଆଇଟି ଓ ସେମିକଣ୍ଡକ୍ଟର ନିର୍ମାଣ କମ୍ପାନୀଙ୍କ ସହିତ ଆଲୋଚନା କରିଛନ୍ତି ।

ଦେଶରେ ଓ ରାଜ୍ୟରେ ସେମିକଣ୍ଡକ୍ଟର ଉତ୍ପାଦନ ହେଲେ ଏହା ଅନେକ ଫାଇଦା ଦେବ । ସେମିକଣ୍ଡକ୍ଟର କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳ କରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ସୁଧାର ଆଣିବା ସହ ଏକ ଶକ୍ତିଶାଳୀ ସେମିକଣ୍ଡକ୍ଟର ଇକୋସିଷ୍ଟମ ଉପରେ ଗୁରୁତ୍ୱ ଦେଇଛନ୍ତି । ସେଥିପାଇଁ ଦେଶର ୩୦୦ଟି ପ୍ରମୁଖ କଲେଜକୁ ଚିହ୍ନଟ କରଯିବା ସହ ସେମିକଣ୍ଡକ୍ଟର ଉପରେ ସ୍ପେଶାଲ ସିଲାବସ ଉପଲବ୍ଧ କରାଯିବ ।

ଭାରତରେ ସେମିକଣ୍ଡକ୍ଟରର ଚାହିଦା ପାଖାପାଖି ୨୪ ବିଲିୟନ ଡଲାର ରହିଥିବା ବେଳେ ୨୦୨୫ ସୁଦ୍ଧା ଏହା ୧୦୦ ବିଲିୟନ ଡଲାରେ ପହଞ୍ଚିବାର ସମ୍ଭାବନା ରହିଛି । ଦେଶରେ ଚିପ୍ ୟୁଟିଟ ସ୍ଥାପନ କରିବା ପାଇଁ ୨୦୨୭ ସୁଦ୍ଧା ୧୦-୧୩ ହଜାର କୁଶଳୀ କାରିଗରଙ୍କର ଆବଶ୍ୟକତା ପଡ଼ିବ । ଓଡ଼ିଶାରେ ମଧ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସାରା ବିଶ୍ୱର ଅଧିକାଂଶ ରାଷ୍ଟ୍ର ଏବେ ସେମିକଣ୍ଡକ୍ଟର କ୍ରାଇସିସ ମଧ୍ୟରେ ଗତି କରୁଛନ୍ତି ।

Get real time updates directly on you device, subscribe now.