ଓଡିଶା ଭାସ୍କର; ଆମ ଶରୀରରେ ସବୁଠୁ ମୂଲ୍ୟବାନ ଅଙ୍ଗ ହେଉଛି ଆଖି । ଏହି ଆଖି ଦ୍ୱାରା ଆମେ ପୁରା ସାରା ଦୁନିଆକୁ ଦେଖିପାରୁ । ଥରେ ଭାବନ୍ତୁ, ଯେଉଁମାନଙ୍କର ଆଖି ଥାଇ ବି ସେମାନେ ଏହି ସୁନ୍ଦର ଦୁନିଆକୁ ଦେଖି ପାରୁନାହାନ୍ତି ସେମାନଙ୍କର କେଡେ ବଡ଼ ଦୁର୍ଭାଗ୍ୟ । ଆମର ସୌଭାଗ୍ୟ ଯେ ଆମେ ଏହି ସୁନ୍ଦର ଦୁନିଆକୁ ଦେଖିବାର ସୁଯୋଗ ପାଇଛୁ । ଯେଉଁ ଆଖି ଦ୍ୱାରା ଆମେ ସବୁ କିଛି ଦେଖି ପାରୁଛନ୍ତି,ସେଇଠୁ ସୃଷ୍ଟି ହୋଇପାରେ ଏକ ମାରାତ୍ମକ ରୋଗ ।
କିଛି ଲୋକଙ୍କ ଆଖି ଡୋଳାରେ କଳା ଦାଗ ଦେଖିବାକୁ ମିଳିଥାଏ। କେହି କେହି ଏହି ଦାଗକୁ କଳାଜାଇ ବୋଲି କହିଥା’ନ୍ତି। ସମସ୍ତେ ଏହାକୁ ନିଜ ଆଖିରେ ଦେଖୁଥିଲେ ବି ଏହାକୁ ହାଲୁକା ଭାବେ ନେଇଥାନ୍ତି । ବ୍ୟସ୍ତବହୁଳ ଜୀବନ ଭିତରେ ଏହାକୁ ଆଦୌ ଧ୍ୟାନ ମଧ୍ୟ ଦେଇନଥାନ୍ତି । କିନ୍ତୁ ସମସ୍ତ କଳାଦାଗ ସାମାନ୍ୟ ନୁହେଁ। ଏହା ଦ୍ୱାରା ଆପଣଙ୍କୁ ଭବିଷ୍ୟତରେ କ୍ୟାନ୍ସର ମଧ୍ୟ ହୋଇପାରେ ।
ଡାକ୍ତରୀ ଭାଷାରେ ଏହି ଦାଗକୁ ‘ଆଇ ଫ୍ରେକଲ୍ସ’ ବୋଲି କୁହାଯାଏ। ଯଦି ଆପଣଙ୍କ ଆଖିରେ ଏଭଳି କିଛି ଦାଗ ରହିଛି ତାହେଲେ ଆପଣ ଏହାକୁ ହାଲୁକା ଭାବେ ନିଅନ୍ତୁ ନାହିଁ । ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଇ ଏହାର ଯାଞ୍ଚ କରାନ୍ତୁ । ନଚେତ ଏହା ଆପଣଙ୍କ ପାଇଁ କ୍ୟାନ୍ସରର କାରଣ ପାଲଟି ଯାଇପାରେ ।
ଡୋଳାରେ ଏହି ଦାଗ କାହିଁକି ହୋଇଥାଏ?
ଏହି କଳା ଦାଗ ବା ଆଇ ଫ୍ରେକଲ୍ସ ଅନେକ କାରଣରୁ ହୋଇଥାଏ। ଡୋଳାର ଯେକୌଣସି ସ୍ଥାନରେ ଏହା ହୋଇପାରେ। ସେହିପରି କିଛି କିଛି ଆଇ ଫ୍ରେକଲ୍ସ ଦୃଶ୍ୟମାନ ହୁଅନ୍ତି ନାହିଁ। ପରୀକ୍ଷା ପରେ ଡାକ୍ତର ଏଗୁଡ଼ିକୁ ଧରି ପାରନ୍ତି। ଡୋଳାରେ ଦାଗ ହେବାର ଅନ୍ୟ ଏକ କାରଣ ହେଉଛି, ଯେଉଁମାନେ ଅତ୍ୟଧିକ ସୂର୍ଯ୍ୟକିରଣରେ ରହନ୍ତି, ସେମାନଙ୍କ ଆଖି ଡୋଳାରେ ମଧ୍ୟ ଏପରି ଦାଗ ସୃଷ୍ଟି ହୋଇଥାଏ। ଅନେକ ଜଣକଙ୍କ ଆଖି ଡୋଳାରେ ଜନ୍ମରୁ କଳା ଦାଗ ରହିଥାଏ। ବୟସ ବଢ଼ିବା ସହିତ ଏହି କଳା ଦାଗର ଆକାର ବି ବୃଦ୍ଧି ପାଇଥାଏ।
ଏହାର ଲକ୍ଷଣ ଜାଣିବେ କେମିତି ?
ମହିଳାଙ୍କ କ୍ଷେତ୍ରରେ ଗର୍ଭାବସ୍ଥା ସମୟରେ ଆଖିରେ ଥିବା ଏହି ଦାଗ ରଙ୍ଗ ପରିବର୍ତ୍ତନ ହେବାର ସମ୍ଭାବନା ରହିଥାଏ। ସେହିପରି ଯେଉଁମାନଙ୍କର ଆଖି ନୀଳ ଡାକ୍ତରଙ୍କ କହିବା ମୁତାବକ ସେମାନଙ୍କ ଆଖି ଚେକ୍ କରିବା ପରେ ଏହି ଫ୍ରେକଲ୍ସ ସଂପର୍କରେ ଜଣାପଡ଼େ । ଆଇନା ସାମ୍ନାରେ ଛିଡା ହୋଇ ବି ଏହି ଦାଗକୁ ଆପଣ ଦେଖି ପାରିବେ ।
ଅଧିକାଂଶ ଆଇ ଫ୍ରେକଲ୍ସ କୌଣସି କ୍ଷତି ପହଞ୍ଚାଇ ନ ଥା’ନ୍ତି କିନ୍ତୁ ଆଖିରେ ଫ୍ରେକଲ୍ସ ଦେଖିଲା ମାତ୍ରେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ନଚେତ ଏହା ଯୋଗୁ ଦୃଷ୍ଟି ଶକ୍ତି ପ୍ରଭାବିତ ହେବା ସହିତ କ୍ୟାନସର୍ ହେବାର ଆଶଙ୍କା ମଧ୍ୟ ରହିଛି। ଏଥିଯୋଗୁ ହେଉଥିବା କ୍ୟାନ୍ସରକୁ ‘ମେଲାନୋମା’ ବୋଲି କୁହାଯାଏ।