ଡାଟା ସୁରକ୍ଷା ବିଲ ପ୍ରତି ଭାରତୀୟଙ୍କ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ: ସାଧାରଣ ଜନତାଙ୍କୁ ମିଳିବାକୁ ଯାଉଛିି ୧୦ ବଡ଼ ଡିଜିଟାଲ୍ ବେନିଫିଟ୍
ନୂଆଦିଲ୍ଲୀ: ବିରୋଧୀଙ୍କ ପ୍ରବଳ ବିରୋଧ ପରେ ଗତ ୭ ତାରିଖରେ ଲୋକସଭାରେ ତଥ୍ୟ ସୁରକ୍ଷା ବିଲ ପାସ କରିନେଇଛି ଏନଡିଏ ସରକାର । ଗୋପନୀୟତା ପ୍ରସଙ୍ଗ ଓ ବ୍ୟକ୍ତିଗତ ମୌଳିକ ଅଧିକାର ଉଲ୍ଲଂଘନକୁ ନେଇ ବିରୋଧୀ କ୍ରମାଗତ ଭାବେ ବିରୋଧ କରିଆସୁଥିଲେ । ଏହି ବିଲରେ ସୂଚନା ଅଧିକାର ଆଇନ (ଆରଟିଆଇ) ଆଇନର ଧାରା ୮(୧) (ଜେ)ରେ ସଂଶୋଧନର ପ୍ରସ୍ତାବ ରହିଛି । ତେଣୁ ଏହା ଦ୍ୱାରା ଆରଟିଆଇ ଆଇନ ଦୁର୍ବଳ ହୋଇଯିବ ବୋଲି ବିରୋଧୀଙ୍କ ପକ୍ଷରୁ କୁହାଯାଇଛି ।
ସେଥିପାଇଁ ଏହି ବିଲକୁ ସଂସଦୀୟ ସମିତି ନିକଟକୁ ପଠାଇବାକୁ ବିରୋଧୀଙ୍କ ପକ୍ଷରୁ ଦାବି କରାଯାଇଥିଲା । ଖାସ କରି ଟିଏମସି ସାଂସଦ ସୌଗତ ରାୟ, କଂଗ୍ରେସ ସାଂସଦ ମନିଷ ତିୱାରୀ ଓ ଏଆଇଏମଆଇଏମ ସାଂସଦ ଅସସୁଦ୍ଦୀନ ଓୱେସୀ ଏହାକୁ ବିରୋଧ କରିଥିଲେ । ଏହି ବିଲ ମାଧ୍ୟମରେ କେନ୍ଦ୍ର ସରକାର ସୂଚନା ଅଧିକାର ଆଇନକୁ ନଷ୍ଟ କରିବାକୁ ଚାହୁଁଛନ୍ତି । ତେଣୁ ଏହି ବିଲର ଚର୍ଚ୍ଚା ପାଇଁ ଷ୍ଟାଣ୍ଡିଂ କମିଟି ନିକଟକୁ ବିଲକୁ ପଠାଇବା ଆବଶ୍ୟକ ବୋଲି କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ କହିଥିଲେ ।
ଅନ୍ୟପକ୍ଷରେ ବିଲକୁ ନେଇ ଗୃହରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି ବିଲ ଦେଶର ୧୪୦ କୋଟି ଲୋକଙ୍କ ଡିଜିଟାଲ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ସହ ଜଡ଼ିତ ରହିଛି । ଆଜି ସାରା ଦୁନିଆରେ ଡିଜିଟାଲ ଇଣ୍ଡିଆକୁ ନେଇ ଚର୍ଚ୍ଚା ହେଉଛି ଓ ଅନେକ ଦେଶ ଏହାକୁ ଗ୍ରହଣ କରିବାକୁ ଚାହୁଁଛନ୍ତି । ଡିଜିଟାଲ ପେମେଣ୍ଟ ସିଷ୍ଟମ, ଆଧାର ବ୍ୟବସ୍ଥା ସହ ଡିଜିଟାଲ ଲକର ଆଜି ଲୋକାଭିମୁଖୀ ହୋଇ ପାରିଛି । ଦେଶର ୯୦ କୋଟି ଲୋକ ଇଣ୍ଟରନେଟ ସହ ଯୋଡ଼ି ହୋଇ ରହିଛନ୍ତି । ୪ଜି, ୫ଜି ଓ ଭାରତନେଟ ମାଧ୍ୟମରେ ଛୋଟ ଛୋଟ ଗାଁକୁ ଡିଜିଟାଲ ସୁବିଧା ପହଞ୍ଚି ପାରିଛି । ବିପକ୍ଷ ସଦସ୍ୟମାନେ ଏହି ଗୁରୁତ୍ୱପୂର୍ଣ୍ଣ ବିଲ ଉପରେ ଚର୍ଚ୍ଚା କରୁଛନ୍ତି, ମାତ୍ର ଦେଶର ଜନତା ଓ ସେମାନଙ୍କର ଅଧିକାର ବିଷୟରେ ଚିନ୍ତା କରୁନାହାନ୍ତି । ସେମାନେ କେବଳ ନାରା ଲଗାଉଛନ୍ତି, ଚର୍ଚ୍ଚା କରିବାରେ ସେମାନଙ୍କର ରୁଚି ନାହିଁ ।
୧- ତଥ୍ୟର ଖରାପ ବ୍ୟବହାର ହେଲେ ସୋସିଆଲ ମିଡ଼ିଆ କମ୍ପାନୀ ଉପରେ ସର୍ବନିମ୍ନ ୫୦ କୋଟି ଟଙ୍କା ଓ ସର୍ବାଧିକ ୨୫୦ କୋଟି ଟଙ୍କା ଜରିମାନା ଲାଗୁ ହୋଇପାରିବ । ୨- ଡାଟାର ଦୁରୂପଯୋଗ ନହେବା ପାଇଁ ଆଇନ ବ୍ୟବସ୍ଥା ପ୍ରସ୍ତୁତ କରାଯାଇଛି । ଏହା ଉପରେ ନଜର ରଖିବା ପାଇଁ ତଥ୍ୟ ସୁରକ୍ଷା ବୋର୍ଡ ମଧ୍ୟ ରହିବ । ୩- ଯଦି କୌଣସି କମ୍ପାନୀ କୌଣସି ବ୍ୟକ୍ତିଙ୍କର ବ୍ୟକ୍ତିଗତ ତଥ୍ୟ ଚାହିଁବ, ତେବେ ଏନେଇ ସେ ୟୁଜରଙ୍କୁ ପ୍ରଥମେ ସୂଚନା ଦେବାକୁ ପଡ଼ିବ । ୪- ତଥ୍ୟକୁ ଏକତ୍ର କରୁଥିବା କମ୍ପାନୀମାନେ ଏହାର ସୁରକ୍ଷା ନେଇ ଉତ୍ତରଦାୟୀ ରହିବେ । ୫- ଯେ ପର୍ଯ୍ୟନ୍ତ ଜରୁରୀ ସେ ପର୍ଯ୍ୟନ୍ତ ଡାଟାକୁ ଷ୍ଟୋର କରାଯାଇ ପାରିବ । ଏହାପରେ ଡାଟାକୁ ଡିଲିଟ କରିବା ସହ ସର୍ଭରରୁ ହଟାଇବାକୁ ପଡ଼ିବ । ୬- ଦେଶରେ ସୋସିଆଲ ମିଡ଼ିଆ କମ୍ପାନୀ ଓ ଗେମିଂ କମ୍ପାନୀମାନେ ଶିଶୁଙ୍କ ଡାଟାକୁ ଷ୍ଟୋର କରୁଥିବା ଦେଖାଯାଉଛି । ଏଥିପାଇଁ କମ୍ପାନୀଙ୍କୁ ଅଭିଭାବକଙ୍କଠାରୁ ମଞ୍ଜୁରୀ ନେବାକୁ ପଡ଼ିବ । ୭- ଡାଟା ଟ୍ରାନ୍ସଫର ମିତ୍ର ଦେଶଙ୍କ ସହିତ କରାଯାଇ ପାରିବ । ୮- ଡାଟା ଟ୍ରାନ୍ସଫର ଓ ତା’ର ପ୍ରୋସେସିଂର ବ୍ୟବସାୟିକ ପ୍ରୟୋଗ ଉପରେ ରୋକ ଲାଗିବ । ୯- ଏହି ବିଲ ଲାଗୁ ହେବା ପରେ ଦେଶର ଲୋକଙ୍କ ପ୍ରାଇଭେସି ସହ ଜଡ଼ିତ ଅଧିକାର ଆହୁରି ମଜବୁତ ହୋଇପାରିବ । ୧୦- ଅଭିଯୋଗର ସମାଧାନ ହେବା ସହିତ ସୁରକ୍ଷାକୁ ଗ୍ରହଣ କରିବା ନେଇ ବିଲରେ ଏକ ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ରହିଛି ।