fbpx

ନକ୍ସଲ ଆକ୍ରମଣରେ ଓଡ଼ିଆ ଯବାନ ସହିଦ: ଦେଶ ପାଇଁ ଜୀବନ ଦେଲେ ଓଡ଼ିଆ ପୁଅ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଝାଡ଼ଖଣ୍ଡରୁ ଆସିଛି ଏକ ବଡ଼ ଖବର । ଝାଡ଼ଖଣ୍ଡରେ ନକ୍ସଲମାନେ ଯବାନଙ୍କ ଉପରେ ଏକ ବଡ଼ ଧରଣର ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଦେଶ ପାଇଁ ପ୍ରାଣବଳୀ ଦେଇଛନ୍ତି ଜଣେ ଓଡ଼ିଆ ପୁଅ । ନକ୍ସଲଙ୍କ ଆକ୍ରମଣରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ)ର ଜଣେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି ।

ସୂଚନା ମୁତାବକ, ଆଜି ନକ୍ସଲମାନେ ଝାଡ଼ଖଣ୍ଡର ଚାଇବାସାରେ ଏକ ବଡ଼ଧରଣର ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ସହିଦ ହୋଇଥିବା ଓଡ଼ିଆ ସିଆରପିଏଫ ଯବାନଙ୍କ ନାମ ସୁଶାନ୍ତ ଖୁଣ୍ଟିଆ ବୋଲି ଜଣାପଡ଼ିଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରାଞ୍ଚଳର ୪ ନମ୍ବର ୱାର୍ଡରେ ସୁଶାନ୍ତଙ୍କର ଘର । ତେବେ ସୁଶାନ୍ତଙ୍କ ବ୍ୟତୀତ ଏହି ଆକ୍ରମଣରେ ଆଉ ଜଣେ ଯବାନ ମଧ୍ୟ ଗୁରୁତର ହୋଇଛନ୍ତି । ଗୁରୁତର ଯବାନ ହେଉଛନ୍ତି ଉତ୍ତରପ୍ରଦେଶର ମୁନ୍ନା ଯାଦବ । ମୁନ୍ନାଙ୍କୁ ଚିକିତ୍ସା ନିମନ୍ତେ ରାଞ୍ଚି ସ୍ଥାନାନ୍ତର କରାଯାଇଛି ।

ସୂଚନା ଯୋଗ୍ୟ ଯେ, ଏହା ପୂର୍ବରୁ ଗତ ଏପ୍ରିଲ ମାସ ୨୦ ତାରିଖରେ ମଧ୍ୟ ଜଣେ ଓଡ଼ିଆ ଯବାନ ଦେଶ ପାଇଁ ପ୍ରାଣବଳୀ ଦେଇଥିଲେ । ଜମ୍ମୁ କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଥିଲେ । ସେମାନଙ୍କ ମଧ୍ୟରେ ଥିଲେ ଓଡ଼ିଆ ଯବାନ ଦେବାଶିଷ ବିଶ୍ୱାଳ । ଦେବାଶିଷଙ୍କ ଘର ପୁରୀ ଜିଲ୍ଲାର ଅଳଗୁମ ପଞ୍ଚାୟତର ଖଣ୍ଡାୟତ ସାହିରେ ବୋଲି ଜଣାପଡ଼ିଥିଲା । ଜମ୍ମୁ କଶ୍ମୀରର ରାଜୌରୀ ସେକ୍ଟର ସ୍ଥିତ ଭୀମବେର ଗଲି ଓ ପୁଞ୍ଚ ମଧ୍ୟ ଦେଇ ଯାଇଥିବା ହାଇୱେରେ ଯବାନଙ୍କ ଗାଡ଼ି ଯାଉଥିବା ସମୟରେ ଆତଙ୍କବାଦୀମାନେ ଅଚାନକ ଗୁଳିମାଡ଼ କରିଥିଲେ ।

Get real time updates directly on you device, subscribe now.