ବରଗଡ଼ : ଆଜି ସକାଳ ସମୟରେ ଜନ୍ମମାଟିରେ ପହଁଚିଲା ସହିଦ ଓଡ଼ିଆ ଯବାନଙ୍କ ମୃତଶରୀର। ସହିଦଙ୍କ ଗାଁ ବରଗଡ଼ ଭେଡେନ ବାଘପାଲି ଗାଁରେ ପହଞ୍ଚିଲା ନୀଳାଞ୍ଚଳ ପଟେଲଙ୍କ ପାର୍ଥିବ ଶରୀର। ମଧ୍ୟାହ୍ନରେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ସୂଚନା ମିଳିଛି । ଆଜି ସକାଳେ ବରଗଡ଼ରେ ପହଞ୍ଚିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ମାନ ଜଣାଯାଇଥିଲେ ବରଗଡ଼ ଜିଲ୍ଲାପାଳ। ଏପଟେ କାନ୍ଦବୋବାଳିରେ ଫାଟି ପଡୁଛି ପୁରା ଗାଁ । ସହିଦଙ୍କ ବୀରଗାଥା ଗାନ କରୁଛି ପୁରା ଗାଁ । ପୁରା ଗାଁ ଆଜି ଝୁରୁଛି ସହିଦ ନୀଳାଞ୍ଚଳଙ୍କୁ । ବୀର ପୁଅର ଶେଷ ଦର୍ଶନ ପାଇଁ ଗାଁ ପୁରା ଜନସମୁଦ୍ର ପାଲଟି ଯାଇଛି ।
ଶୁକ୍ରବାର ବିଳମ୍ବିତ ରାତିରେ ମଣିପୁରରେ ପାଟ୍ରୋଲିଂ ବେଳେ ସହିଦ ହୋଇଥିଲେ ଓଡ଼ିଆ ଯବାନ ନୀଳାଞ୍ଚଳ ପଟେଲ। ସେ ଆସାମ ରାଇଫଲ୍ସରେ କାର୍ଯ୍ୟରତ ଥିଲେ । ବରଗଡ଼ ଭେଡେନ ବ୍ଲକ ବାଘପାଲିରେ ନୀଳାଞ୍ଚଳ ଘର। ୨୦୦୦ ମସିହାରେ ସେ ଆସାମ ରାଇଫଲରେ ଯୋଗ ଦେଇଥିଲେ । ଆସନ୍ତା ବର୍ଷ ୨୦୨୪ରେ କାର୍ଯ୍ୟରୁ ଅବସର ନେଇଥାନ୍ତେ। ତାଙ୍କ ଘରେ ବୃଦ୍ଧା ମାଆ , ପତ୍ନୀ ରାଜେଶ୍ୱରୀ ପଟେଲ , ଦୁଇ ଝିଅଙ୍କ ସହ ବଡ଼ଭାଇ ନୀଳାମ୍ବର ପଟେଲ ଓ ଭାଉଜ ମଞ୍ଜୁଲତା ପଟେଲ ରହୁଛନ୍ତି ।