ଓଡିଶା ଭାସ୍କର; ଅଲ୍ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ୍ (ଏଆଇଏମ୍ଆଇଏମ୍) ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସୀଙ୍କ ଦିଲ୍ଲୀସ୍ଥିତ ବାସଭବନ ଉପରକୁ ପଥରମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଘର ଡ୍ରଇଙ୍ଗ୍ ରୁମ୍ କବାଟର କାଚ ଭାଙ୍ଗି କଣା ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । ଓୱେସୀଙ୍କ ଘରର ସହାୟକ କର୍ମଚାରୀ ରୋହିତଙ୍କ କହିବା ମୁତାବକ, ରବିବାର ରାତିରେ କୁକୁର ଭୁକିବା ପରେ ଘର ପଛ କବାଟରେ ଲାଗିଥିବା ଦୁଇଟି ଲ୍ୟାମ୍ପ୍ ନଷ୍ଟ ହୋଇଥିବା ଦେଖିଥିଲେ। ଗୋଟିଏ ଦୀପ ଭାଙ୍ଗି ଝୁଲୁଥିବା ବେଳେ ଅନ୍ୟ ଦୀପର କାଚ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା । ଏହାପରେ ସେ ମୁଖ୍ୟ କବାଟ ପାଖକୁ ଯିବାପରେ ଡ୍ରଇଙ୍ଗ୍ ରୁମ୍ କବାଟର କାଚ ଭାଙ୍ଗିଯାଇଥିବା ଦେଖିବାକୁ ପାଇଥିଲେ । ଏହା ପରେ ରୋହିତ ଥାନାକୁ ଯାଇ ପଥର ମାଡ଼ ହୋଇଥିବା ନେଇ ଏକ ଏତଲା ଦେଇଥିଲେ । ପୋଲିସ ତାଙ୍କ ଏତଲା ପାଇବା ପରେ ଓୱେସୀଙ୍କ ଘରେ ଆସି ପ୍ରାଥମିକ ତଦନ୍ତ କରିଥିଲେ । ଏହି ତଦନ୍ତ ବେଳେ ଭାଙ୍ଗିଥିବା କବାଟ ପାଖରେ ପଥର ଭଳି କୌଣସି ଜିନିଷ ଦେଖିବାକୁ ମିଳିନଥିଲା । ଏଣୁ ପଥରମାଡ଼ ବିଷୟରେ ଏବେଠାରୁ କିଛି କହିହେବ ନାହିଁ ବୋଲି କୁହାଯାଇଛି । ତେବେ କାଚ ଭାଙ୍ଗିବାର କାରଣ କଣ ହୋଇପାରେ ଏନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ତଦନ୍ତ ପରେ ଏହାର ପ୍ରକୃତ କାରଣ ଜଣାପଡିବ ବୋଲି କହିଛି ପୋଲିସ ।
ଏପର୍ଯ୍ୟନ୍ତ ମୁସଲମାନମାନଙ୍କ ଘର ଉପରେ ବୁଲଡୋଜର ଚଳାଯାଉଥିଲା । କିନ୍ତୁ ଏବେ ଜଣେ ସାଂସଦଙ୍କ ଘର ଉପରକୁ ପଥରମାଡ଼ ହେଉଛି । କିନ୍ତୁ ଏହାକୁ ଓୱେସୀ ଭୟ କରନ୍ତି ନାହିଁ ବୋଲି ଏହି ଘଟଣା ସଂପର୍କରେ ପ୍ରତିକ୍ରିୟା ରଖି ଓୱେସୀ ଏପରି କହିଛନ୍ତି ।