fbpx

ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବା ଏହା ମୋଦୀଙ୍କ ଶେଷବର୍ଷ, ଆଗାମୀ ବର୍ଷ ଲାଲକିଲ୍ଲାରେ…

ଓଡିଶା ଭାସ୍କର; ଆଜି ସାରା ଦେଶ ପାଳୁଛି ସ୍ୱାଧୀନତାର ୭୭ତମ ବର୍ଷ । ଏହି ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶବାସୀଙ୍କୁ ନିଜ ପରିବାର ବୋଲି ଅଭିହିତ କରିବା ସହ ବରାମ୍ବାର ଅଭିଭାଷଣରେ ମେରେପ୍ୟାରେ ପରିବାର ଜନୋ କହୁଥିବା ଦେଖିବାକୁ ମିଳିଛି ।

ଏହା ସହ ନିଜ ଅଭିଭାଷଣରେ ୧୦ ବର୍ଷର ବିକାଶ କ୍ଷେତ୍ରକୁ ନେଇ ହିସାବ ରଖିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ଥ୍ରୀ – ଡି ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଥିବା କଥା କହିଛନ୍ତି ମୋଦୀ । ସେ କହିଛନ୍ତି, ଡେମୋକ୍ରାସି, ଡେମୋଗ୍ରାଫି, ଡାଇଭର୍ସିଟି ଅର୍ଥାତ୍ ଭୌଗୋଳିକ ସ୍ଥିତି, ବିବିଧତା ଓ ଗଣତନ୍ତ୍ର ଦେଶର ସ୍ୱପ୍ନ ପୂରଣ କରିବାକୁ ସମର୍ଥ । ସେହିପରି ଆଜିର ଅଭିଭାଷଣରେ ୨୦୨୪ ପୁଣି ମୋଦି କ୍ଷମତାରେ ଆସିବେ ବୋଲି ଦୃଢ଼ୋକ୍ତି କରିଛନ୍ତି । ୨୦୨୪ ପୁଣି ଲାଲ୍‌କିଲ୍ଲା ଆସିବି କହିବା ସହ ଦେଶର ବିକାଶ ନେଇ ଏହି ଲାଲ୍‌କିଲ୍ଲାରୁ ହିସାବ ଦେବାକୁ କହିଛନ୍ତି ।

ତେବେ ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ କ୍ଷମତାକୁ ଆସିବାକୁ ଆଶାବାଦୀ ଅଛନ୍ତି ବୋଲି ତାଙ୍କର ଅଭିଭାଷଣରୁ ଅନୁମାନ କରାଯାଉଛି । ହେଲେ ମୋଦୀଙ୍କ ଏହି ଅଭିଭାଷଣକୁ ନେଇ ବିରୋଧୀମାନେ କଟାକ୍ଷ କରିବା ଆରମ୍ଭ କରି ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ‘ ମୋଦୀ ଆଗାମୀ ବର୍ଷ ଅଗଷ୍ଟ ୧୫ ତାରିଖରେ ତ୍ରିରଙ୍ଗା ଉଡ଼ାଇବେ, କିନ୍ତୁ ନିଜ ଘରେ । ମୋଦୀଙ୍କ ଭିତରେ ଅହଂକାର ଭରି ଗଲାଣି । ‌ଏତେ ବି ଅହଂକାର ଭଲ ନୁହେଁ। ’

ସେହିପରି ମୋଦୀଙ୍କ ୨୦୨୪ ରେ ପୁଣି କ୍ଷମତାକୁ ଆସିବାର ଦୃଢ଼ୋକ୍ତିକୁ ନେଇ ଆରଜେଡି ସଭାପତି ଲାଲୁ ପ୍ରସାଦ ଯାଦବ ମଧ୍ୟ କଟାକ୍ଷ କରିଛନ୍ତି । ଲାଲୁ କହିଛନ୍ତି ଯେ, ‘ମୋଦୀ ଚଳିତ ବର୍ଷ ‌ଶେଷଥର ପାଇଁ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଆଗାମୀ ବର୍ଷ ଲାଲକିଲ୍ଲାରେ ମୋଦୀଙ୍କୁ ତ୍ରିରଙ୍ଗା ଉଡ଼ାଇବାର ଓ ଭାଷଣ ଦେବାର ଆଉ ଦେଖିବାକୁ ମିଳିବ ନାହିଁ । କାରଣ ଆଗାମୀ ବର୍ଷ ଅଗଷ୍ଟ ୧୫ରେ ଲାଲକିଲ୍ଲାରେ ଆମେ ତ୍ରିରଙ୍ଗା ଉଡାଇବୁ।’

Get real time updates directly on you device, subscribe now.