fbpx

୨୩ ତାରିଖ ଆଡକୁ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା !

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗିରହିବ । ଗତ ୨୪ ଘଣ୍ଟା ମଧ୍ୟରେ ବାଙ୍କୀଠାରେ ସର୍ବାଧିକ ୩୭୨ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା । ସମ୍ବଲପୁର, ନବରଙ୍ଗପୁର, କେନ୍ଦୁଝର, ପୁରୀ, ଖୋର୍ଦ୍ଧା, ବଲାଙ୍ଗିର ଜିଲ୍ଲାରେ ବର୍ଷାର ପରିମାଣ ୬୦ ରୁ ୮୮ ମିଲିମିଟର ଥିଲା ।

ସୂଚନା ଅନୁସାରେ, ଆଜି ସକାଳେ ପୁରୀରେ ସର୍ବାଧିକ ୬୬ ଦଶମିକ ୨ ମିଲିମିଟର, ଭୁବନେଶ୍ୱର ୫୭ ଦଶମିକ ୬ ମିଲିମିଟର, ବାଲେଶ୍ୱରରେ ୪୨ ଦଶମିକ ୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ୭ ରୁ ୪୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇଯାଇଛି । ଅନ୍ୟପକ୍ଷରେ ଆସନ୍ତା ୨୩ ରୁ ୨୫ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ ।

ପାଖାପାଖି ୨ ସପ୍ତାହ ଧରି ରାଜ୍ୟରେ ମୌସୁମୀ ଦୁର୍ବଳ ଥିଲା । ଫଳରେ ରାଜ୍ୟର ୧୧ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷାଠାରୁ ୧୦ ପ୍ରତିଶତ କମ୍‍ ବର୍ଷା ହୋଇଥିଲା । ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜି ୧୫ଟି ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ଅନ୍ୟ ୧୫ଟି ଜିଲ୍ଲାରେ ବର୍ଷା ଲାଗି ରହିବ । ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର, ସମ୍ବଲପୁର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଳକାନଗିରି, ବଲାଙ୍ଗୀର, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଏବଂ ଜଗତସିଂହପୁର ଜିଲ୍ଲାରେ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି ।

Get real time updates directly on you device, subscribe now.