fbpx

ମାତ୍ର ୭ ଦିନରେ ‘କେଜିଏଫ-2’ କୁ ପଛରେ ପକାଇଲା ‘ଗଦର-2’

ମୁମ୍ବାଇ: ସନ୍ନି ଦେଓଲ ଓ ଅମୀଷା ପଟେଲଙ୍କ ନୂଆ ସିନେମା ଗଦର-୨କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ବକ୍ସ ଅଫିସରେ ମଧ୍ୟ ଏହା ଭଲ ରୋଜଗାର କରିବା ଆରମ୍ଭ କରିଛି । ଏହି ସିନେମାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ସଂପର୍କ ଦେଖିବାକୁ ମିଳିଛି । କହିବାକୁ ଗଲେ ସନ୍ନି ଦେଓଲଙ୍କ ଫିଲ୍ମ ‘ଗଦର-୨’ ବକ୍ସ ଅଫିସରେ ଏକ ଝଡ଼ ସୃଷ୍ଟି କରିଛି । ମୁକ୍ତିଲାଭର ପ୍ରଥମ ଦିନରୁ ଏହି ସିନେମାକୁ ଦର୍ଶକଙ୍କ ଠାରୁ ଭଲ ରେସପନ୍ସ ମିଳୁଛି ।

ସେପଟେ ୭ ଦିନରେ ବ୍ଲକବଷ୍ଟର ସିନେମା ‘କେଜିଏଫ-୨’କୁ ପଛରେ ପକାଇଛି ‘ଗଦର-୨’। ଅଗଷ୍ଟ ୧୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ସିନେମା ‘ଗଦର-୨’ । ସିନେମା ରିଲିଜ୍ ହେବାର ପ୍ରଥମ ଦିନରେ ବକ୍ସ ଅଫିସରେ ଅଭିନେତା ସନ୍ନି ଦେଓଲଙ୍କ ଚମତ୍କାର ଅଭିନୟ ଦେଖିବାକୁ ମିଳିଥିଲା । ଜବରଦସ୍ତ ଡାଇଲଗ ସାଙ୍ଗକୁ ସନ୍ନିଙ୍କ ଦମଦାର ଅଭିନୟ ସମସ୍ତଙ୍କ ପାଖରେ ଅନେକ ପ୍ରଶଂସା ସାଉଁଟି ପାରିଛି । ରିଲିଜ ପରେ ସୋସିଆଲ ମିଡିଆରେ ସିନେମାକୁ ଭଲ ପ୍ରତିକ୍ରିୟା ମିଳିଥିବା ବେଳେ ଫିଲ୍ମଟି ୭ଦିନ ମଧ୍ୟରେ ଅନେକ ବଡ଼ ବଡ଼ ସିନେମାକୁ ପଛରେ ପକାଇଛି।

ଗଦର-୨ ସିନେମା ସ୍ୱାଧୀନତା ଦିବସରେ ୫୫.୪୦କୋଟି ଟଙ୍କା ରୋଜଗାର କରିଥିଲା । ସେହିପରି ‘ଗଦର ୨’ ୭ଦିନରେ ୨୮୪କୋଟିରୁ ଅଧିକ ଟଙ୍କା ରୋଜଗାର କରି ଏକ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି । ଚଳିତ ବର୍ଷ ଆରମ୍ଭରେ ଶାହରୁଖ ଖାନଙ୍କ ସିନେମା ‘ପଠାନ’ ୭ଦିନରେ ମୋଟ ୩୭୮କୋଟି ଟଙ୍କା ସଂଗ୍ରହ କରିଥିଲା। ତିନୋଟି ଭାଷାରେ ମୁକ୍ତିଲାଭ କରିଥିବା ‘ପଠାନ୍’ କେବଳ ହିନ୍ଦୀ ସଂସ୍କରଣରୁ ୩୫୧କୋଟି ଟଙ୍କା ଆୟ କରିଥିଲା। ପଠାନ ପରେ ୭ଦିନରେ ୨୬୮କୋଟି ଟଙ୍କା ଆୟ କରି ଦ୍ୱିତୀୟ ସ୍ଥାନରେ ଥିଲା କେଜିଏଫ୍-୨। ସିନେମାର ହିନ୍ଦୀ ସଂସ୍କରଣ ୨୬୮କୋଟି ଟଙ୍କା ଆୟ କରିଥିବା ବେଳେ ଏବେ ‘ଗଦର ୨’ ୭ଦିନରେ ୨୮୪କୋଟିରୁ ଅଧିକ ଟଙ୍କା ରୋଜଗାର କରି ଦ୍ୱିତୀୟ ସ୍ଥାନକୁ ଆସିଛି। ଗଦର-୨ ଏବେ ଦ୍ବିତୀୟ ସ୍ଥାନରେ ଥିବା ବେଳେ ତୃତୀୟ ସ୍ଥାନରେ ରହିଛି କେଜିଏଫ୍-୨।

 

Get real time updates directly on you device, subscribe now.