fbpx

ଗିରଫ ହେଲେ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସୀ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପାକିସ୍ତାନରେ ରାଜନୈତିକ ସଙ୍କଟ ଜାରି ରହିଛି । ଗତ ୫ ତାରିଖରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ହୋଇଥିଲେ । ତୋଶଖାନା ମାମଲାରେ ଇମ୍ରାନଙ୍କୁ ଗିରଫ କରାଯାଇଥିଲା । ତେବେ ଏହା ମଧ୍ୟରେ ପାକିସ୍ତାନରୁ ପୁଣି ଆସିଛି ଏକ ବଡ଼ ଖବର । ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସୀଙ୍କୁ ଗିରଫ କରାଯାଇଛି । ଇସଲାମାବାଦ ସ୍ଥିତ ତାଙ୍କ ବାସଭବନରୁ କ୍ୟୁରେସୀଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି ।

ଖବର ମୁତାବକ, ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ତେହରିକ-ଏ-ଇନସାଫ (ପିଟିଆଇ)ର ଉପାଧ୍ୟକ୍ଷ କ୍ୟୁରେସୀଙ୍କୁ ଆଜି ଗିରଫ କରାଯାଇଛି । ଗିରଫ କରାଯିବା ପରେ ତାଙ୍କୁ ସଂଘୀୟ ଯାଞ୍ଚ ଏଜେନ୍ସି (ଫିଆ)ର ମୁଖ୍ୟାଳୟକୁ ନିଆଯାଇଥିଲା । ଗିରଫଦାରୀର କିଛି ସମୟ ପୂର୍ବରୁ କ୍ୟୁରେସୀ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ । ଫିଆ ଦ୍ୱାରା ଚାଲିଥିବା ସାଇଫର ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା ।

କ୍ୟୁରେସୀଙ୍କୁ ତାଙ୍କ ଘରୁ ଗିରଫ କରାଯିବା ସହ ତାଙ୍କୁ ଫିଆ ମୁଖ୍ୟାଳୟକୁ ନିଆଯାଇଥିବା ନେଇ ପିଟିଆଇ ପକ୍ଷରୁ ସୂଚନା ଦିଆଯାଇଛି । ଆମେରିକୀୟ ସାଇଫର ଯାଞ୍ଚ ମାମଲାରେ ଗତ ଜୁଲାଇ ମାସରେ କ୍ୟୁରେସୀ ଓ ପିଟିଆଇ ନେତା ଅସଦ ଉମରଙ୍କୁ ଏଫଆଇଏ ପକ୍ଷରୁ ୨ ଘଣ୍ଟା ପଚରାଉଚରା କରାଯାଇଥିଲା । ଗତ ବର୍ଷ ଏପ୍ରିଲ ମାସରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରି ଆମେରିକା ଇମ୍ରାନଙ୍କୁ କ୍ଷମତାରୁ ବାହାର କରିବାର ଯୋଜନା କରିଥିଲା । ଆମେରିକୀୟ ସାଇଫର ପ୍ରସଙ୍ଗ ନିରାଟ ସତ୍ୟ ବୋଲି କ୍ୟୁରେସୀ ବାରମ୍ବାର ଦୋହରାଇଥିଲେ ।

Get real time updates directly on you device, subscribe now.