fbpx

ଚୀନ-ତାଇୱାନର କଳହର ମୂଳ କାରଣ କ’ଣ: କେବେଠାରୁ ଓ କାହିଁକି ଦୁଇ ଦେଶ ମଧ୍ୟ ବିବାଦ ଆରମ୍ଭ ହୋଇଥିଲା

ନୂଆଦିଲ୍ଲୀ: ଗତ ଏକ ବର୍ଷରୁ ଅଧିକ ସମୟ ଧରି ୟୁକ୍ରେନ-ଋଷିଆ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ସାରା ବିଶ୍ୱବାସୀଙ୍କ ଚିନ୍ତାର କାରଣ ପାଲଟିଛି । ତେବେ ଏହା ମଧ୍ୟରେ ପୁଣି ଏକ ଯୁଦ୍ଧର ସମ୍ଭାବନା ଦେଖାଦେଇଛି । ଚୀନ-ତାଇୱାନ ଦୁଇ ଦେଶ ଭିତରେ କୁହୁଳୁଥିବା ନିଆଁ ପୁଣି ଥରେ ଉଗ୍ରରୂପ ଧାରଣ କରିବାକୁ ଯାଉଛି । ଏହା ମଧ୍ୟରେ ଚୀନର ୪୨ଟି ଯୁଦ୍ଧ ବିମାନ ଓ ୮ଟି ନୈସେନା ଜାହାଜ ତାଇୱାନର ଚାରିପଟେ ପଇଁତରା ମାରିଛନ୍ତି । ତାଇୱାନ ଉପରାଷ୍ଟ୍ରପତି ୱିଲିୟମ ଲାଇଙ୍କ ଆମେରିକା ଗସ୍ତ ପରେ ଚୀନ ଘାବରେଇ ଯାଇଛି ।

ତେଣୁ ଚୀନର ନୌସେନା ଓ ବାୟୁସେନା ମିଳିତ ସମରାଭ୍ୟାସ କରିବା ସହ ତାଇୱାନକୁ କଡ଼ା ଚେତାବନୀ ଦେଇଛନ୍ତି । ଅପରପକ୍ଷେ ତାଇୱାନ ଚୀନର ଏହି ପଦକ୍ଷେପକୁ କଡ଼ା ନିନ୍ଦା କରିଛି । ତେବେ ଏଠାରେ ପ୍ରଶ୍ନଉଠେ, ଦୁଇ ଦେଶ ମଧ୍ୟରେ କେବେଠାରୁ ଆଉ କେଉଁ କାରଣ ପାଇଁ ବିବାଦ ଆରମ୍ଭ ହୋଇଥିଲା । ଚୀନ ପରି ଏକ ଶକ୍ତିଶାଳୀ ରାଷ୍ଟ୍ରକୁ କାହିଁକି ଟକ୍କର ଦେଉଛି ତାଇୱାନ ପରି ଏକ ଛୋଟିଆ ରାଷ୍ଟ୍ର?

ବହୁବର୍ଷ ପୂର୍ବରୁ ଦୁଇ ଦେଶ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଚୀନର କ୍ଷମତାସୀନ କମ୍ୟୁନିଷ୍ଟ ପାର୍ଟି ଓ ରାଷ୍ଟ୍ରପତି ସି. ଜିନପିଙ୍ଗଙ୍କ ପାଇଁ ତାଇୱାନ ଏକ ବଡ଼ ପ୍ରସଙ୍ଗ । ୧୯୪୯ରେ ମାଓସେ ତୁଙ୍ଗଙ୍କ କମ୍ୟୁନିଷ୍ଟ ପାର୍ଟି ସହ ଗୃହଯୁଦ୍ଧରେ ହାରିବା ପରେ ରିପବ୍ଲିକ ଅଫ୍ ଚୀନ ସରକାର ତାଇୱାନ ପଳାଇ ଯାଇଥିଲେ । ଏହାପରେ ପିପୁଲ୍ସ ରିପବ୍ଲିକ ଅଫ୍ ଚୀନ ତାଇୱାନକୁ ନିଜର କ୍ଷେତ୍ର ବୋଲି ଦାବି କରିଥିଲେ । ଚୀନ ବାରମ୍ବାର ଆମେରିକୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ପାଇଁ ତାଇୱାନକୁ ଆହ୍ୱାନ ଦେଇଆସିଛି । ତାଇୱାନ ନେତାଙ୍କୁ ଆମେରିକା ଯିବାକୁ ମଧ୍ୟ ଚୀନ ବାରଣ କରିଛି ।

ଭବିଷ୍ୟତରେ ତାଇୱାର ତା’ର ଏକ ଅଂଶ ହୋଇଯିବ ବୋଲି ଚୀନ ମାନୁଛି । ଅନ୍ୟପକ୍ଷରେ ତାଇୱାନ ନିଜକୁ ଏକ ଅଲଗା ଦେଶ ଭାବେ ଉପସ୍ଥାପନ କରୁଛି । ୧୬୮୩ରୁ ୧୮୯୫ ପର୍ଯ୍ୟନ୍ତ ଚୀନର ଚିଙ୍ଗ ରାଜବଂଶ ତାଇୱାନରେ ଶାସନ କରୁଥିଲେ । ବର୍ଷ ୧୯୮୫ରେ ଚୀନ ଜାପାନଠାରୁ ପରାସ୍ତ ହେବା ପରେ ତାଇୱାନ ଜାପାନର ଅଂଶ ହୋଇଯାଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକାଠାରୁ ଜାପାନ ହାରିବା ପରେ ତାଇୱାନକୁ ଚୀନର ବଡ଼ ରାଜନେତା ଚେଙ୍ଗ କାଇ ଶେକଙ୍କୁ ହସ୍ତାନ୍ତର କରିବାକୁ ବିଚାର କରାଯାଇଥିଲା । ମାତ୍ର କମ୍ୟୁନିଷ୍ଟ ସେନାଠାରୁ ହାରିବା ପରେ ଚେଙ୍ଗ କାଇ ଶେକ ତାଇୱାନକୁ ଫେରାର ହୋଇଯାଇଥିଲେ ।

ଏହାପରେ କିଛି ବର୍ଷ ଧରି ତାଇୱାନରେ ଚେଙ୍ଗଙ୍କର ପ୍ରଭୁତ୍ୱ ରହିଥିଲା । ମାତ୍ର ତା’ପରେ ଦୁଇ ଦେଶ ମଧ୍ୟରେ ବିବାଦ ଉପୁଜିଥିଲା । ଚୀନ ଦେଇଥିବା ‘ୱାନ କଣ୍ଟ୍ରି ଟୁ ସିଷ୍ଟମ’ ପ୍ରସ୍ତାବକୁ ତାଇୱାନ ଅଗ୍ରାହ୍ୟ କରିଦେଇଥିଲା । ବର୍ଷ ୨୦୦୦ରେ ଚେନ ଶୁଇ ବିୟାନ ତାଇୱାନର ରାଷ୍ଟ୍ରପତି ହେବା ପରେ ତାଇୱାନକୁ ଏକ ସ୍ୱତନ୍ତ୍ର ଦେଶ ବୋଲି ଘୋଷଣା କରିଥିଲେ । ଏହାକୁ ନେଇ ଚୀନ ଅସନ୍ତୋଷ ପ୍ରକାଶ କରିଥିଲା ଓ ଆଜି ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ବିବାଦ ଜାରି ରହିଛି ।

Get real time updates directly on you device, subscribe now.