ନୂଆଦିଲ୍ଲୀ: ସ୍ନେହ, ପ୍ରେମ, ଭଲପାଇବା କୌଣସି ସୀମା ସରହଦ ମାନେ ନାହିଁ । ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ପାକିସ୍ତାନୀ ଭଉଣୀ କମର ମୋହସିନ ଶେଖ । ମୋଦୀଙ୍କ ଏହି ପାକିସ୍ତାନୀ ଭଉଣୀ ରାକ୍ଷୀ ବାନ୍ଧିବାକୁ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇ ରହିଛନ୍ତି । ସେ କହିଛନ୍ତି କୋଭିଡ୍ କାରଣରୁ ଗତ ୩ ବର୍ଷ ହେବ ସେ ବ୍ୟକ୍ତିଗତ ଭାବରେ ତାଙ୍କ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ପାରି ନ ଥିଲେ । ଏବେ ସେ ନିଜେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ହାତରେ ରାକ୍ଷୀ ବାନ୍ଧିବେ । ଏଥିପାଇଁ ସେ ସ୍ୱତନ୍ତ୍ର ଉପହାର ମଧ୍ୟ ପ୍ରସ୍ତୁତ କରି ରଖିଛନ୍ତି । ଶେଖ ବିବାହ ପରେ ପାକିସ୍ତାନରୁ ଭାରତ ସ୍ଥାନାନ୍ତରିତ ହୋଇ ଆସିଛନ୍ତି ।
ଶେଖ ଏଥର ନିଜ ହାତରେ ତାଙ୍କ ଭାଇ ଅର୍ଥାତ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲାଗି ରାକ୍ଷୀ ତିଆରି କରିଛନ୍ତି । ଏହା ବ୍ୟତିତ ସେ ମୋଦୀଙ୍କୁ କୃଷି ସହ ଜଡିତ ଏକ ପୁସ୍ତକ ବି ପଢିବାକୁ ଦେବେ । କାରଣ ସେ ଜାଣିଛନ୍ତି ମୋଦୀ ପଢିବାକୁ ବହୁତ ଭଲ ପାଆନ୍ତି ।ଶେଖ କହିଛନ୍ତି ସେ ତାଙ୍କ ଭାଇଙ୍କ ଲାଗି ନିଜ ହାତରେ ଲାଲ ରଙ୍ଗର ରାକ୍ଷୀ ତିଆରି କରିଛନ୍ତି । ଲାଲ ରଙ୍ଗ ଶକ୍ତିର ପ୍ରତୀକ । ସେ ଆହୁରି କହିଛନ୍ତି ଯେ, ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ସେ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ ଓ ଏହା ଫଳବତୀ ବି ହୋଇଥିଲା । ଯେତେବେଳେ ମୁଁ ତାଙ୍କ ହାତରେ ରାକ୍ଷୀ ବାନେ୍ଧ ସେତେବେଳେ ମୁଁ ଈଶ୍ୱରଙ୍କୁ ପ୍ରାର୍ଥନା କରେ ଯେ, ସେ ଦିନେ ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି । ଭଗବାନ ତାଙ୍କର ସବୁ ପ୍ରାର୍ଥନା ଶୁଣିଛନ୍ତି । ଏବେ ସେ ପ୍ରଧାନମନ୍ତ୍ରୀ ଭାବରେ ଭାରତ ପାଇଁ ବେଶ୍ ଭଲ କାମ କରୁଛନ୍ତି ।
୨୦୨୪ ଲୋକସଭା ନିର୍ବାଚନକୁ ନେଇ ଶେଖ କହିଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ ଯେ, ପୁଣି ଥରେ ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହେବେ । ମୁଁ ତ ଚାହୁଁଛି ସେ ପ୍ରତିଥର ନିର୍ବାଚନରେ ଜିତି ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ । କାରଣ ତାଙ୍କ ପାଖରେ ସେହି ଦକ୍ଷତା ରହିଛି । ଶେଖ ଦୀର୍ଘ ୨୮ ବର୍ଷ ହେବ ପ୍ରଧାନମନ୍ତ୍ରୀ ମୋଦୀଙ୍କ ହାତରେ ରାକ୍ଷୀ ବାନ୍ଧି ଆସୁଛନ୍ତି ।