fbpx

ବିଶ୍ୱର କୋଣ ଅନୁକୋଣରୁ ଛୁଟୁଛି ଶୁଭେଚ୍ଛାର ସୁଅ ; ଇସ୍ରୋକୁ ଶୁଭେଚ୍ଛା ଜଣାଇଲା ନାସା

ଓଡିଶା ଭାସ୍କର; ଚନ୍ଦ୍ର ପୃଷ୍ଠରେ ପାଦ ଥାପି ଆଜି ସାରା ବିଶ୍ୱରେ ଇତିହାସ ରଚିଛି ଭାରତ । ଇସ୍ରୋର ଚନ୍ଦ୍ରଯାନ-୩ ନିରାପଦରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଛି । ଇସ୍ରୋ ପଠାଇଥିବା ଚନ୍ଦ୍ରଯାନ ୩ର ଲ୍ୟାଣ୍ଡର ବିକ୍ରମ ନିର୍ଦ୍ଧାରିତ ସମୟ ସନ୍ଧ୍ୟା ୬.୦୪ ମିନିଟ୍‌ରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଛି ।

ଇସ୍ରୋ ବୈଜ୍ଞାନିକଙ୍କ ସମସ୍ତ ପ୍ରଚେଷ୍ଠା ଓ ପରିଶ୍ରମର ଫଳ ଆଜି ଦେଶବାସୀଙ୍କୁ ମିଳିଛି । ୨୦୧୯ ରେ ଭାରତ ତାର ଚନ୍ଦ୍ର ଅଭିଯାନରେ ବିଫଳ ହୋଇଥିବା ବେଳେ ଦୀର୍ଘ ୫ବର୍ଷର ଅକ୍ଳାନ୍ତ ପରିଶ୍ରମ ପରେ ଏବେ ଇସ୍ରୋର ଚନ୍ଦ୍ର ମିଶନ ଚନ୍ଦ୍ରଯାନ-୩ ସଫଳତାପୂର୍ବକ ଚନ୍ଦ୍ରରେ ଅବତରଣ କରିଛି । ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ କରି ବିଶ୍ୱର ପ୍ରଥମ ଦେଶ ଭାବେ ଇତିହାସ ରଚିଛି । ଇସ୍ରୋ ବୈଜ୍ଞାନିକଙ୍କୁ ନେଇ ସାରା ଦେଶ ଗର୍ବ କରୁଥିବା ବେଳେ ବିଶ୍ୱର କୋଣ ଅନୁକୋଣରୁ ବର୍ତ୍ତମାନ ଶୁଭେଚ୍ଛାର ସୁଅ ଛୁଟୁଛି ।

ଏହି ସଫଳତା ଅବସରରେ, ଭାରତୀୟ ମହାକାଶ ସଂସ୍ଥା ଇସ୍ରୋକୁ ଅଭିନନ୍ଦନ ଜଣାଇଛନ୍ତି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା, ୟୁରୋପୀୟ ମହାକାଶ ଗବେଷଣା ସଂସ୍ଥା, ବ୍ରିଟିଶ ମହାକାଶ ସଂସ୍ଥା । ନାସା ମୁଖ୍ୟ ବିଲ୍ ନେଲସନ ଟ୍ୱିଟ୍ କରି କହିଛନ୍ତି, ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ପାଇଁ ଇସ୍ରୋ ଏବଂ ଭାରତକୁ ଅଭିନନ୍ଦନ। ଚନ୍ଦ୍ରରେ ମହାକାଶଯାନକୁ ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଭାରତ ଚତୁର୍ଥ ଦେଶ ହୋଇଛି। ଏହି ମିଶନରେ ଆପଣଙ୍କ ପାର୍ଟନର ହୋଇ ଆମେ ଖୁସି। ସେହିପରି ୟୁରୋପୀୟ ମହାକାଶ ଏଜେନ୍ସିର ମହାନିର୍ଦ୍ଦେଶକ ଜୋସେଫ୍ ଆଶବାଚର ମଧ୍ୟ ଇସ୍ରୋକୁ ଅଭିନନ୍ଦନ ଜଣାଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି, ଚନ୍ଦ୍ରଯାନ-୩ର ଅବିଶ୍ୱସନୀୟ ସଫଳତା ପାଇଁ ଇସ୍ରୋ ଏବଂ ଭାରତର ସମସ୍ତ ଜନସାଧାରଣଙ୍କୁ ଅଭିନନ୍ଦନ।

Get real time updates directly on you device, subscribe now.