ନୂଆଦିଲ୍ଲୀ: ପ୍ରୋଭିଡେଣ୍ଟ ଫଣ୍ଡ ଖାତାଧାରକଙ୍କ ଆକାଉଣ୍ଟରେ ଜମା ଟଙ୍କାକୁ କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ଅଲଗା ଅଲଗା ତରିକାରେ ନିବେଶ କରିଥାଏ । ଏହି ନିବେଶ ଜରିଆରେ ହେଉଥିବା ଆୟର ଏକ ଅଂଶ ସୁଧ ଭାବରେ ଖାତାଧାରକଙ୍କୁ ଦିଆଯାଇଥାଏ ।
ଏବେ ଇପିଏଫଓ ନିଷ୍ପତ୍ତି ନେଇଛି ପିଏଫ୍ ଟଙ୍କାକୁ ସେୟାର ବଜାରରେ ନିବେଶ କରିବା ଲାଗି । ଏଥିଲାଗି ଅର୍ଥ ମନ୍ତ୍ରଣାଳୟ ସହିତ ଆଲୋଚନା ବି ଆରମ୍ଭ ହୋଇଯାଇଛି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ଇପିଏଫଓ ସଂପର୍କିତ ଶୀର୍ଷ ନିର୍ଣ୍ଣୟ ନେଉଥିବା ସଂସ୍ଥା କେନ୍ଦ୍ରୀୟ ବୋର୍ଡ ମାର୍ଚ୍ଚ ମାସ ଶେଷ ସପ୍ତାହରେ ଏକ ବୈଠକରେ ଏଥିପାଇଁ ଅନୁମତି ଦେଇଥିଲେ ।
ଏକ ରିପୋର୍ଟ ଅନୁସାରେ ଇପିଏଫଓ ଏପରି ଉପାୟ ବାହାର କରିଛି ଯଦ୍ଦ୍ୱାରା ବଜାରରେ ଅସ୍ଥିରତା ସତ୍ତେ୍ୱ ଇକ୍ୱିଟି ରିଟର୍ଣ୍ଣ ଅଧିକ ହେବାରେ ସହାୟତା ମିଳିପାରିବ । ଏହି ପ୍ରସ୍ତାବ ଉପରେ ଅର୍ଥ ଓ ଶ୍ରମ ମନ୍ତ୍ରଣାଳୟର ମଞ୍ଜୁରୀ ମିଳିଯିବା ପରେ ଇପିଏଫଓ ଏହାର ପ୍ରକ୍ରିୟା ଆଗକୁ ବଢାଇବ ।ଏଠାରେ ସୂଚାଇ ଦିଆଯାଇପାରେ ଯେ, ପିଏଫ ଖାତାଧାରକଙ୍କ ଆକାଉଣ୍ଟରେ ଜମା ଅର୍ଥକୁ ଇପିଏଫଓ ଅଲଗା ଅଲଗା ତରିକାରେ ନିବେଶ କରିଥାଏ । ଇପିଏଫଓ ପକ୍ଷରୁ ଆର୍ଥିକ ବର୍ଷ ୨୦୨୨-୨୩ ଲାଗି ପିଏଫ୍ ଆକାଉଣ୍ଟରେ ଜମା ରାଶି ଉପରେ ୮.୧୫ ପ୍ରତିଶତ ସୁଧ ପ୍ରଦାନ କରାଯାଉଛି ।
ଅର୍ଥ ମନ୍ତ୍ରଣାଳୟ ନିର୍ଦ୍ଦେଶ ଅନୁସାରେ ଇପିଏଫଓ ଏହାର ଆୟର ୫ ପ୍ରତିଶତରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ଇକ୍ୱିଟି ଓ ସମ୍ବନ୍ଧିତ ଫଣ୍ଡସରେ ନିବେଶ କରିପାରିବ । ଏହା ସହିତ ଇପିଏଫଓ ଏକ୍ସଚେଞ୍ଜ ଟ୍ରେଡେଡ୍ ଫଣ୍ଡରେ ନିବେଶ କ୍ଷେତ୍ରରେ ରହିଥିବା ଗାଇଡଲାଇନରେ ପରିବର୍ତ୍ତନ ଲାଗି ଦାବୀ ବି କରିଛି ।