ବିିଭିନ୍ନ ପର୍ଯ୍ୟାୟ ଦେଇ ଗତି କରିଥାଏ ଚନ୍ଦ୍ରପୃଷ୍ଠରେ ନାମକରଣ ପ୍ରକ୍ରିୟା, କିଏ କରିଥାଏ ଓ କିପରି ହୋଇଥାଏ ଆସନ୍ତୁ ଜାଣିନେବା

ନୂଆଦିଲ୍ଲୀ: ଚନ୍ଦ୍ରଯାନ ୩ର ଲ୍ୟାଣ୍ଡର ବିକ୍ରମ ଯେଉଁଠାରେ ଅବତରଣ କରିଛି ସେହି ସ୍ଥାନର ନାମକରଣ ପ୍ରଧାନମନ୍ତ୍ରୀ ମୋଦୀ ‘ଶିବଶକ୍ତି’ କରିଛନ୍ତି ଯାହାକୁ ନେଇ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ପ୍ରଶ୍ନ ଉଠୁଛି ଆମ ଘର ଠାରୁ ଲକ୍ଷ ଲକ୍ଷ କିଲୋମିଟର ଦୂରରେ ଅବସ୍ଥିତ ଚନ୍ଦ୍ରପୃଷ୍ଠରେ ଏକ ସ୍ଥାନର ନାମକରଣ କିପରି ହୋଇଥାଏ । ଏହା ସହିତ ଏହି ପ୍ରକ୍ରିୟାର ଅଧିକାର କାହା ଉପରେ ରହିଛି । ପ୍ରଧାଦମନ୍ତ୍ରୀ ମୋଦୀ ଶିବ ଶକ୍ତି ନାମକରଣ କରିବା ପୂର୍ବରୁ କହିଥିଲେ ଭଗବାନ ଶିବଙ୍କ ମଧ୍ୟରେ ଜଗତ କଲ୍ୟାଣର ସଂକଳ୍ପ ସମାହିତ ହୋଇରହିଛି ଓ ସେହି ଶକ୍ତିରୁ ଆମକୁ ନିଜର ସଂକଳ୍ପ ପୁରା କରିବାର ସାମର୍ଥ୍ୟ ମିଳିଛି । ଚନ୍ଦ୍ରପୃଷ୍ଠରେ ଏହି ଶିବଶକ୍ତି ପଏଣ୍ଟ ହିମାଳୟ ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଯୋଡି ହେବାର ଭାବନା ଦେଇଥାଏ ବୋଲି ମୋଦୀ କହିଥିଲେ ।

କିପରି ହୋଇଥାଏ ନାମକରଣ ?
ମିଳିଥିବା ସୂଚନା ଅନୁସାରେ ୧୯୧୯ରେ ସ୍ଥାପିତ ଇଣ୍ଟରନ୍ୟାସନାଲ ଆଷ୍ଟ୍ରୋନୋମିକାଲ୍ ୟୁନିଅନ(ଆଇଏୟୁ) ମହାଜାଗତିକ ପିଣ୍ଡ ବା ସୌରମଣ୍ଡଳୀୟ ବସ୍ତୁର ନାମକରଣ କରିଥାଏ । ଏହି ନୋଡାଲ ଏଜେନ୍ସୀ ନିକଟରେ ବହୁ ଟାକ୍ସ ଫୋର୍ସେସ୍ ରହିଛନ୍ତି । ଏମାନଙ୍କ ମଧ୍ୟରେ ଏକ୍ଜିକ୍ୟୁଟିଭ କିମିଟି, ଡିଭିଜନ, କମିଶନ ଓ ୱାର୍କିଂ ଗ୍ରୁପ୍ସ ସାମିଲ ରହିଛନ୍ତି । ବିଶ୍ୱର ବହୁ ମହାକାଶବିଜ୍ଞାନୀ ଏଥିରେ ସାମିଲ ହୋଇଛନ୍ତି ।

କୌଣସି ଗ୍ରହ କିମ୍ବା ଉପଗ୍ରହର ନାମକରଣକୁ ନେଇ ଏହା କୁହାଯାଏ ଯେ, ଯେତେବେଳେ କୌଣସି ଗ୍ରହ କିମ୍ବା ଉପଗ୍ରହର ପ୍ରଥମ ଫଟୋ ସାମ୍ନାକୁ ଆସିଥାଏ ନାମକରଣ ଲାଗି ନୂଆ ଥିମ୍ ଚୟନ କରାଯାଇଥାଏ । କିଛି ବିଶେଷତ୍ୱ ଦୃଷ୍ଟିରୁ ନାମର ପ୍ରସ୍ତାବ ଦିଆଯାଇଥାଏ । ତେବେ ସାଧାରଣତଃ ଏହି କାମ ଆଇଏୟୁର ଟାକ୍ସଫୋର୍ସ ମିଶନ ଟିମ୍ ସହ ମିଶି ହିଁ କରିଥାଏ । ନିୟମ ପାଳନ ପରେ ଆଇଏୟୁର ୱାର୍କିଂ ଗ୍ରୁପ ଫର ପ୍ଲାନୋଟୋରୀ ସିଷ୍ଟମ ନୋମେନକ୍ଲେଚର ଏହି ମାମଲାରେ ନାମରେ ମୋହର ଲଗାଇଥାଏ । ଏହା ପରେ ୱାର୍କିଂ ଗ୍ରୁପ ଫର ପ୍ଲାନୋଟୋରୀ ସିଷ୍ଟମର ସଦସ୍ୟମାନେ ଭୋଟ କରିଥାନ୍ତି ଓ ପ୍ରସ୍ତାବିତ ନାମକୁ ଅଧିକାରୀକ ମାନ୍ୟତା ଦିଆଯାଏ । ଏହାପରେ ଏହାର ବ୍ୟବହାର ନକ୍ସା ଓ ବିଭିନ୍ନ ପ୍ରକାଶନ ଲାଗି ମଧ୍ୟ ହୋଇଥାଏ ।