ଏଥର ବିଜେପି ନିର୍ବାଚନରେ ​​ଜିତିବା ଅସମ୍ଭବ, ଜାଣନ୍ତୁ କେଉଁ କାରଣକୁ ନେଇ ରାହୁଲ ଗାନ୍ଧୀ ଏପରି କହିଲେ

ଓଡିଶା ଭାସ୍କର; ୨୦୨୪ରେ ବିଜେପି ସରକାରଙ୍କୁ ପରାସ୍ତ କରିବା ଆଶାରେ ରହିଛନ୍ତି ବହୁ ପ୍ରମୁଖ ବିରୋଧୀ ଦଳ । ଏହାକୁ ନେଇ ସମସ୍ତ ମୋଦି ବିରୋଧୀ ଦଳ ମେଣ୍ଟ ମଧ୍ୟ ବାନ୍ଧି ସାରିଛନ୍ତି । ଯାହାର ନାମ ରହିଛି ‘ଇଣ୍ଡିଆନ ନ୍ୟାଶନାଲ ଡେଭଲପମେଣ୍ଟାଲ ଇନକ୍ଲ୍ୟୁସିଭ ଆଲିଆନ୍ସ’ ବା ‘ଇଣ୍ଡିଆ’। ପ୍ରଥମ, ଦ୍ୱିତୀୟ ପରେ ଏବେ ‘ଇଣ୍ଡିଆ’ ମେଣ୍ଟର ତୃତୀୟ ବୈଠକ ଅନୁଷ୍ଠିତ ହୋଇଛି ।

ଯୋଡିହେବ ଭାରତ, ଜିତିବ ଇଣ୍ଡିଆ । ଆଜି ତୃତୀୟ ଥର ପାଇଁ ମୁମ୍ବାଇରେ ବସିଥିବା ବିରୋଧୀ ଇଣ୍ଡିଆ ମେଣ୍ଟ ବୈଠକରେ ଏହି ସ୍ଲୋଗାନ ଘୋଷଣା ହୋଇଛି । ଏଥିସହ ସେପ୍ଟେମ୍ବର ତୃତୀୟ ସପ୍ତାହରେ ଇଣ୍ଡିଆ ମେଣ୍ଟ ଏକ ବିଶାଳ ରାଲି କରିବା ନେଇ ନିଷ୍ପତ୍ତି ହୋଇଛି । ଦଳ ଦଳ ମଧ୍ୟରେ ତାଳମେଳ ରଖିବାକୁ ୧୪ ଜଣିଆ ସମନ୍ୱୟ କମିଟି ମଧ୍ୟ ଗଠନ ହୋଇଛି । ଯେଉଁଥିରେ ମେଣ୍ଟରେ ସାମିଲ ହୋଇଥିବା ୧୪ ଦଳର ନେତାଙ୍କୁ ସାମିଲ କରାଯାଇଛି । ଏପରି କରି ଦଳରେ ମତଭେଦ ଆଶଙ୍କାକୁ ଏଡାଇବାକୁ ବିରୋଧୀ ମେଣ୍ଟ ଦଳ ପକ୍ଷରୁ ଏକ ପ୍ରୟାସ କରାଯାଇଛି ବୋଲି ଚର୍ଚ୍ଚା ହେଉଛି ।

ଏହି ବୈଠକ ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପି ଦୁର୍ନୀତିର ଏକ ଅନ୍ୟ ନାମ । ଏହାକୁ ପ୍ରଥମ ଥର ପାଇଁ ଇଣ୍ଡିଆ ମିଳିତ ମଞ୍ଚ ପ୍ରଦର୍ଶନ କରିବ ଏବଂ ପ୍ରମାଣ କରିବ । ଏଥର ବିଜେପି ନିର୍ବାଚନରେ ​​ଜିତିବା ଅସମ୍ଭବ ବୋଲି ଦୃଢୋକ୍ତି ପ୍ରକାଶ ମଧ୍ୟ କରିଛନ୍ତି । ରାହୁଲ କହିଛନ୍ତି ଯେ, ଭାରତୀୟ ଜନସଂଖ୍ୟାର ୬୦% ପ୍ରତିନିଧିତ୍ୱ କରୁଛନ୍ତି । “ତେଣୁ ଆମ ସାମ୍ନାରେ କାର୍ୟ୍ୟ ହେଉଛି ସବୁଠାରୁ ଦକ୍ଷ ଉପାୟରେ ଏକାଠି ହେବା । ଏବଂ ଏ ବାବଦରେ ଦୁଇଟି ପ୍ରମୁଖ ପଦକ୍ଷେପ ନିଆଯାଇଛି – ଏକ ସମନ୍ୱୟ କମିଟି ଏବଂ ଆମେ ସମସ୍ତ ଆସନ ବଣ୍ଟନ ଆଲୋଚନାକୁ ତ୍ୱରାନ୍ୱିତ କରିବା । ବିଜେପିକୁ ପରାସ୍ତ କରିବାକୁ ଇଣ୍ଡିଆ ସହଯୋଗୀ ଦଳ ପାଇଁ ଏହା ଦୁଇଟି ଶକ୍ତିଶାଳୀ ପଦକ୍ଷେପ ବୋଲି କହିଛନ୍ତି । ସେହିପରି, ଆମ ଭିତରେ ପାର୍ଥକ୍ୟ ଅଛି କିନ୍ତୁ ଏହି ପାର୍ଥକ୍ୟକୁ କିପରି କମ୍ କରାଯାଇ ଏକ ଲୁହା ପରି ମଜବୁତ କରାଯାଇଛି ଯାହାକୁ ଦେଖି ମୁଁ ପ୍ରଭାବିତ ହୋଇଛି ବୋଲି ରାହୁଲ ଗାନ୍ଧୀ ନିଜର ଅଭିଭାଷଣରେ କହିଛନ୍ତି ।