ସେପ୍ଟେମ୍ବର ୨ରେ ଭାରତ-ପାକ୍ ଲଢ଼େଇ: ପାକିସ୍ତାନ ଘୋଷଣା କଲା ପ୍ଲେଇଂ-୧୧

ନୂଆଦିଲ୍ଲୀ: ଏସିଆ କପ ୨୦୨୩ରେ ଆସନ୍ତାକାଲି ଭାରତ-ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍ ଟକ୍କର ଦେଖିବାକୁ ମିଳିବ । ତେବେ ମ୍ୟାଚର ଗୋଟିଏ ଦିନ ପୂର୍ବରୁ ପାକିସ୍ତାନର ତା’ର ପ୍ଲେଇଂ-୧୧ ଘୋଷଣା କରିଛି । ଭାରତ-ପାକିସ୍ତାନ ମ୍ୟାଚ ସର୍ବଦା ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହୋଇଥାଏ । ତେଣୁ ଏହି ଦୁଇ ଦେଶର ଲଢ଼େଇକୁ ଦେଖିବାକୁ ସାରା ବିଶ୍ୱର କ୍ରୀଡ଼ାପ୍ରେମୀ ଉତ୍ସୁକତାର ସହିତ ଚାହିଁ ରହିଥାନ୍ତି ।

ଏହା ପୂର୍ବରୁ ଗତ ମାସ ୩୦ ତାରିଖରେ ପାକିସ୍ତାନ ପ୍ରଥମ ମ୍ୟାଚରେ ନେପାଳକୁ ୨୩୮ ରନର ବଡ଼ ବ୍ୟବଧାନରେ ହରାଇଥିଲା । ଉକ୍ତ ମ୍ୟାଚରେ ଅଧିନାୟକ ବାବର ଆଜମ ଓ ମଧ୍ୟମକ୍ରମ ବ୍ୟାଟ୍ସମ୍ୟାନ ଇଫତିଖାର ଅହମଦ ଶତକୀୟ ଇନିଂସ ଖେଳିଥିଲେ । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୩୪୩ ରନର ପାହାଡ଼ ଛିଡ଼ା କରିଥିଲା । ତେଣୁ ନେପାଳ ବିପକ୍ଷରେ ଖେଳିଥିବା ଟିମକୁ ପାକିସ୍ତାନ ଭାରତ ବିପକ୍ଷ ମ୍ୟାଚରେ ପୁନର୍ବାର ଓହ୍ଲାଇଛି ।

ତେବେ ଗୋଟିଏ ଦିନ ପୂର୍ବରୁ ପାକିସ୍ତାନର ଭାରତ ବିପକ୍ଷ ମ୍ୟାଚ ପାଇଁ ପ୍ଲେଇଂ-୧୧ ଘୋଷଣା କରିଥିଲେ ହେଁ ମ୍ୟାଚ ପୂର୍ବରୁ କିଛି ଖେଳାଳିଙ୍କୁ ପରିବର୍ତ୍ତନ କରିପାରିବେ । ନିୟମ ମୁତାବକ, ଟସ୍ ପଡ଼ିବା ପୂର୍ବରୁ ପାକିସ୍ତାନ ତା’ର ପ୍ଲେଇ-୧୧ରେ ପରିବର୍ତ୍ତନ କରିପାରିବ । ତେବେ ଏହି ଟିମ୍ ସହାୟତାରେ ପାକିସ୍ତାନ ନେପାଳ ବିପକ୍ଷରେ ବୃହତ ବିଜୟ ହାସଲ କରିଥିବାରୁ ଦଳର ମନୋବଳ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ମଧ୍ୟ ନିଜର ରଣନୀତି ନେଇ ପଡ଼ିଆକୁ ଓହ୍ଲାଇବ । ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ଉପରେ ସମସ୍ତଙ୍କର ନଜର ରହିବ ।