ଓଡିଶା ଭାସ୍କର; ପୂର୍ବରୁ ଋଷିଆ, ଆମେରିକା ଓ ଚୀନ ଚନ୍ଦ୍ରରେ ମହାକାଶ ଯାନ ଅବତରଣ କରିବାରେ ସଫଳ ହୋଇଥିବା ଭାରତ ଚତୁର୍ଥ ଦେଶ ଭାବେ ଏହି ସଫଳତା ହାସଲ କରିଛି । ସେହିପରି ବିଶ୍ୱର ପ୍ରଥମ ଦେଶ ଭାବେ ଭାରତର ଚନ୍ଦ୍ରଯାନ-୩ ଦକ୍ଷିଣ ମେରୁରେ ସଫଳ ଲ୍ୟାଣ୍ଡିଂ କରି ଇତିହାସ ରଚିଛି । ଦକ୍ଷିଣ ମେରୁରେ ଭାରତ ପ୍ରଥମେ ପହଞ୍ଚି ଥିବାରୁ ସେଠୁ ଯାହା ବି ତଥ୍ୟ ସଂଗ୍ରହ କରିଛି ତାହା ବିଶ୍ୱରେ ପ୍ରଥମ ତଥ୍ୟ ଭାବେ ବିବେଚିତ ହୋଇଛି।
ଚନ୍ଦ୍ର ମିଶନ; ଚନ୍ଦ୍ରପୃଷ୍ଠରେ ବିଭିନ୍ନ ସ୍ଥାନର ତାପମାତ୍ରା, ଅକ୍ସିଜେନ, ଆଲୁମିନିୟମ ଏହା ବ୍ୟତିତ ଚନ୍ଦ୍ରପୃଷ୍ଠରୁ କ୍ୟାଲସିୟମ, ଲୁହା, କ୍ରୋମିୟମ, ଟାଇଟାନିୟମ, ମାଙ୍ଗାନିଜ, ସିଲିକନ ଆଦିର ସନ୍ଧାନ ପାଇଛି ଚନ୍ଦ୍ରଯାନ-୩ । ଭାରତର ଚନ୍ଦ୍ର ଅଭିଯାନ ବିଶ୍ୱକୁ ଏକ ବଡ଼ ସଫଳତା ଦେଇପାରିଛି । ତେବେ ସଫଳତାର ସହିତ ପ୍ରଥମ ପର୍ୟ୍ୟାୟ କାର୍ୟ୍ୟ ଶେଷ କରିଥିବା ‘ଚନ୍ଦ୍ରଯାନ-୩’ର ‘ରୋଭର୍ ପ୍ରଜ୍ଞାନ’କୁ ଚନ୍ଦ୍ରପୃଷ୍ଠରେ ନିରାପଦରେ ‘ପାର୍କିଙ୍ଗ୍’ କରାଇ ‘ସ୍ଲିପ୍ ମୋଡ୍’ରେ (ନିଷ୍କ୍ରିୟ ଅବସ୍ଥା) ରଖାଯାଇଥିବା ‘ଇସ୍ରୋ’ ସୂଚନା ଦେଇ ଜଣାଇଛି ।
‘ଇସ୍ରୋ’ ସୁନିଶ୍ଚିତ କରିଛି ଯେ, ‘ରୋଭର୍ ପ୍ରଜ୍ଞାନ’ର ‘ଏପିଏକ୍ସଏସ୍’ ଓ ‘ଏଲ୍ଆଇବିଏସ୍’ ପ୍ଲେଲୋଡ୍ ଦୁଇଟିକୁ ମଧ୍ୟ ନିଷ୍କ୍ରିୟ କରିଦିଆଯାଇଛି । ୧୪ ଦିନ ପରେ ଅର୍ଥାତ୍ ସେପ୍ଟେମ୍ବର ୨୨ ତାରିଖରେ ଚନ୍ଦ୍ରପୃଷ୍ଠରେ ପୁଣି ସୂର୍ଯ୍ୟୋଦୟ ହେଲେ ‘ରୋଭର୍ ପ୍ରଜ୍ଞାନ’ ନିଦରୁ ଉଠିବ ବା ସକ୍ରିୟ ହେବ ବୋଲି ‘ଇସ୍ରୋ’ ଆଶା କରୁଛି । ଯଦି ଏହା ସକ୍ରିୟ ହୋପାରେ ତେବେ ପୁଣି ଚନ୍ଦ୍ରପୃଷ୍ଠରେ ବିଭିନ୍ନ ଅନୁସନ୍ଧାନ ଜାରି ରଖି ଭାରତକୁ ନୂଆ ତଥ୍ୟ ଯୋଗାଇବ ।
ସୂର୍ଯ୍ୟ ମିଶନ; ଭାରତର ପ୍ରଥମ ସୂର୍ଯ୍ୟ ମିଶନ (ଆଦିତ୍ୟ L1) ଲଞ୍ଚ କରିବାରେ ସଫଳ ହୋଇଛି । ଚଝଖଠ-ଉ୫୭ ରେ ‘ଆଦିତ୍ୟ L1’ର ଉତ୍କ୍ଷେପଣ ହୋଇଛି । ଏହି ସୂର୍ଯ୍ୟ ମିଶନ ‘ଆଦିତ୍ୟ L1-’ ବର୍ତମାନ ସୂର୍ଯ୍ୟ ମୁହାଁ ହୋଇ ଗତି କରୁଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତିଶ ଧାୱନ ମହାକାଶ କେନ୍ଦ୍ରରୁ ଏହା ଉତ୍କ୍ଷେପଣ ହୋଇଛି । ୨୦୨୩ ସେପ୍ଟେମ୍ବର ୨ ତାରିଖର ପୂର୍ବାହ୍ନ ୧୧.୫୦ ମିନିଟ୍ରେ ଏହା ଉତ୍କ୍ଷେପଣ ହୋଇଛି । ଦେଶର ପ୍ରଥମ ମିଶନ ଭାବେ ଏହା ସଫଳତାର ପ୍ରଥମ ପାହାଚରେ ପାଦ ଥାପିଛି ।
ଏହି ମିଶନ ତା’ର ଲକ୍ଷ୍ୟସ୍ଥଳ ଅର୍ଥାତ ୧୫ ଲକ୍ଷ କି.ମି. ଦୂରତା ଅତିକ୍ରମ କରିବାକୁ ୪ ମାସ ସମୟ ଲାଗିବ ବୋଲି ଇସ୍ରୋ ସୂଚନା ଦେଇଛି । ସୌରଜଗତର ସବିଶେଷ ତଥ୍ୟ ଯେପରି ମିଳିପାରିବ ତାକୁ ଦୃଷ୍ଟିରେ ରଖି ଏଲ୍-୧କୁ ବିକଶିତ କରାଯାଇଛି । ଏହାଦ୍ୱାରା ସୂର୍ୟ୍ୟର ଫଟୋସ୍ଫିୟର, କ୍ରୋମୋସ୍ଫିୟର ଓ ସୂର୍ୟ୍ୟର ବାହ୍ୟ ସ୍ତର କରୋନା ତଥା ସୌର ବାୟୁ ଉପରେ ଅନୁଧ୍ୟାନ ପାଇଁ ଭାରତ ତଥ୍ୟ ହାସଲ କରିବ ।
ଗଗନାୟନ ମିଶନ; ଚନ୍ଦ୍ରଯାନ ୩ ସଫଳତା ଓ ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ-୧ର ସଫଳ ଉତକ୍ଷେପଣ ପରେ ଇସ୍ରୋ ଏବେ ଅନେକ ବଡ଼ ବଡ଼ ଗବେଷଣା କରିବାକୁ ଲକ୍ଷ୍ୟ ରଖିଛି । ଏହି କ୍ରମରେ ‘ଗଗନାୟନ’ ଲଞ୍ଚ କରିବାକୁ ପ୍ରସ୍ତୁତି ଚଳାଇଛି ଇସ୍ରୋ । ଗତବର୍ଷ କେନ୍ଦ୍ର ସରକାର ‘ଗଗନାୟନ’ ପ୍ରୋଜେକ୍ଟ ପାଇଁ ୧୦ ହଜାର କୋଟି ଟଙ୍କା ମଞ୍ଜୁର ମଧ୍ୟ କରିଥିଲେ । ଏହା ଭାରତର ଏକମାତ୍ର ଅନ୍ତରୀକ୍ଷ ମିଶନ । ଏହାଦ୍ୱାରା ମହାକାଶ ମିଶନ ଜରିଆରେ ମହାକାଶ ଯାତ୍ରୀଙ୍କୁ ମହାକାଶକୁ ନେଇ ଯିବ । ଇସ୍ରୋର ଗଗନାୟନ ମିଶନରେ ମହାକାଶଯାତ୍ରୀମାନେ ପୃଥିବୀ ଠାରୁ ୪୦୦ କିଲୋମିଟର ଉପରକୁ ମହାକାଶକୁ ଯାତ୍ରା କରିପାରିବେ । ଏଥିପାଇଁ ଇସ୍ରୋ ଭାରତୀୟ ବାୟୁସେନାରୁ ମହାକାଶଯାତ୍ରୀଙ୍କୁ ବାଛିବାକୁ ନିଷ୍ପତ୍ତି ନେଇଥିଲା ।
ଚନ୍ଦ୍ର, ସୂର୍ଯ୍ୟ ପରେ ଆଗାମୀ ପଦକ୍ଷେପ ‘ଗଗନାୟନ’ ବୋଲି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ରାଷ୍ଟ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଏନେଇ ସୂଚନା ଦେଇଛନ୍ତି । ଏହାର ପରୀକ୍ଷଣ ଖୁବ୍ ଶୀଘ୍ର ଅର୍ଥାତ ଆସନ୍ତା ଅକ୍ଟୋବରରେ ହୋଇପାରେ ବୋଲି କହିଛନ୍ତି ।