ସେନା ଗାଡ଼ି ଓ ବସ ମଧ୍ୟରେ ଭୀଷଣ ଟକ୍କର: ୧୭ ପୋଲିସ କର୍ମୀ ଓ ୩ ଜଣ ମହିଳା କଏଦୀ ଆହତ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ଏକ ବଡ଼ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି । ରାମବନ ନିକଟରେ ଏକ ସେନା ଗାଡ଼ି ସହ ଏକ ବସର ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ୧୭ ଜଣ ପୋଲିସ କର୍ମୀଙ୍କ ସହିତ ୩ ଜଣ ମହିଳା କଏଦୀ ଆହତ ହୋଇଛନ୍ତି । ତେବେ ସମସ୍ତ ଆହତଙ୍କ ଅବସ୍ଥା ସ୍ଥିର ରହିଥିବା ପୋଲିସ ପକ୍ଷରୁ କହାଯାଇଛି ଓ ସେମାନଙ୍କୁ ରାମବନ ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ଏଥିସହିତ ଏକ ମାମଲା ମଧ୍ୟ ଦାୟର କରାଯାଇଛି ।

ବସଟି ଶ୍ରୀନଗରର କେନ୍ଦ୍ରୀୟ ଜେଲରୁ ଭଦ୍ରେବାହ ଜେଲ ଅଭିମୂଖେ ଯାଉଥିବା ସମୟରେ ଟି୨ ଟନେଲ ମରୋଗ ରାମବନ ନିକଟରେ ଆଗରେ ଯାଉଥିବା ଏକ ସେନା ଗାଡ଼ି ସହ ଟକ୍କର ମାରିଥିଲା । ଫଳରେ ଏହି ଦୁର୍ଘଟଣାରେ ୧୭ ଜଣ ପୋଲିସ କର୍ମୀଙ୍କ ସହିତ ୩ ଜଣ ମହିଳା କଏଦୀ ଆହତ ହୋଇଥିଲେ । ଆହତ ପୋଲିସଙ୍କ ମଧ୍ୟରେ ମହିଳା କନଷ୍ଟେବଳ ରହିଥିବା ଜଣାପଡ଼ିଛି । ସମସ୍ତ ଆହତଙ୍କୁ ରାମବନ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ସମସ୍ତ ଆହତଙ୍କ ଅବସ୍ଥା ସ୍ଥିର ରହିଥିବା ରାମବନର ଏସଏଚଓ ସୂଚନା ଦେଇଛନ୍ତି । ସମସ୍ତଙ୍କୁ ସାମାନ୍ୟ ଆଘାତ ଲାଗିଛି । ଏନେଇ ଏକ ମାମଲା ଦାୟର କରାଯାଇଛି । ଏଥିସହିତ ତଦନ୍ତ ଆରମ୍ଭ କରାଯାଇଥିବା ସେ କହିଛନ୍ତି । ଅନେକ ସମୟରେ ରାସ୍ତାଘାଟରେ ଗାଡ଼ି ଚଳାଇବା ସମୟରେ ଡ୍ରାଇଭରଙ୍କ ସାମାନ୍ୟ ଅସାବଧାନତା କାରଣରୁ ବହୁ ବଡ଼ ବଡ଼ ଦୁର୍ଘଟଣା ଘଟିବା ସହତ ଅନେକଙ୍କର ଜୀବନ ଚାଲିଯାଇଥାଏ ।